• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେଉଁ ନାଁରେ ନାମିତ ହେବ ଭୁବନେଶ୍ୱର AIIMS ? ରାଜ୍ୟର କୌଣସି ବରପୁତ୍ର କି ସ୍ୱାଧୀନତା ସଂଗ୍ରାମୀଙ୍କ ନାଁକୁ ବଦଳିବ AIIMS ? କିମ୍ବା କୌଣସି ଜଣାଶୁଣା ଐତିହ୍ୟସ୍ଥଳ କି ଐତିହାସିକ ଘଟଣାବଳୀକୁ ମିଳିପାରେ ପ୍ରାଧାନ୍ୟ ? ୪ଟି ଯାକ ଶ୍ରେଣୀରୁ ଏକାଧିକ ଉଚିତ୍ ନାଁ ବାଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟକୁ ପଠାଇବାକୁ ଭାରତ ସରକାରଙ୍କ ନିର୍ଦ୍ଦେଶନାମା ପରେ ଏବେ ତେଜିଛି ନାମକରଣ ରାଜନୀତି ।

ବିଜେପି କହିଛି ଓଡ଼ିଶା ପ୍ରଦେଶ ଗଠନରେ ଯାହାଙ୍କ ବାସ୍ତବ ଭୂମିକା ରହିଛି ସେହିଭଳି ମହାମାନବଙ୍କ ନାଁରେ ଭୁବନେଶ୍ୱର ଏଏମ୍‌ସ ନାମିତ ହେଉ । ତେବେ ସେଥିପାଇଁ ବୁଦ୍ଧିଜୀବୀ, ସାମାଜିକ ସଂସ୍ଥା ଓ ରାଜନୈତିକ ଦଳମାନଙ୍କ ପରାମର୍ଶ ଏକାନ୍ତ ଆବଶ୍ୟକ । ସେହିପରି କଂଗ୍ରେସ କହିଛି ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଚର ହରେକୃଷ୍ଣ ମହତାବଙ୍କ ନାଁ ସବୁଠୁ ଶ୍ରେଷ୍ଠ । ତେଣେ ବିଜେଡି କହିଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁରେ ଭୁବନେଶ୍ୱର AIIMS ନାମିତ ହେଲେ ଅଧିକ ଭଲ ହେବ ।

ଭାରତ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ରାଜଧାନୀ ଦିଲ୍ଲୀକୁ ମିଶାଇ ଦେଶର ସମସ୍ତ ୨୩ଟି ଯାକ ଅଲ୍ ଇଣ୍ଡିଆ ମେଡିକାଲ ସାଇନ୍ସ ବା AIIMSର ଆଞ୍ଚଳିକ ସ୍ତରକୁ ଗୁରୁତ୍ୱ ଦେଇ ସ୍ୱତନ୍ତ୍ର ନାମକରଣ ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ ସବୁ AIIMS ମାନଙ୍କୁ ପ୍ରସ୍ତାବିତ ନାଁ ପଠାଇବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିଲା । ଇତିମଧ୍ୟରେ ଅଧିକାଂଶ AIIMS ନିଜର ମତାମତ ଜଣାଇ ସାରିଛନ୍ତି । ଉଭୟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଥିବା ୧୯ଟି ଓ ନିର୍ମାଣାଧୀନ ବାକି ମେଡିକାଲମାନେ ବି ନାମକରଣ ପ୍ରସ୍ତାବିତ ତାଲିକା ପଠାଇଲେଣି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର AIIMSକୁ ମିଶାଇ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଥିବା ୬ଟି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନମାନଙ୍କର ନାଁ ବଦଳାଇବାକୁ ସ୍ଥିର ହୋଇଛି ।

ସେଗୁଡ଼ିକ ହେଲା ପାଟନା, ରାୟପୁର, ଭୋପାଳ, ଯୋଦ୍ଧପୁର ଓ ରିଷିକେଶ AIIMS ବାକି ଗୁଡ଼ିକୁ ଦ୍ୱିତୀୟ ପର୍ଯ୍ୟାୟରେ ରଖାଯାଇଛି । ପ୍ରତ୍ୟେକ ସଂସ୍ଥାନ ନିର୍ଦ୍ଧାରିତ ୪ଟି କ୍ୟାଟେଗୋରୀରୁ ନାଁ ସ୍ଥିର କରି ପଠାଇବେ । ଚୂଡ଼ାନ୍ତ ନିଷ୍ପତ୍ତି କେନ୍ଦ୍ର ସରକାର ନେବେ । ତେବେ ଦେଶର ଏଭଳି ସର୍ବୋଚ୍ଚ ମେଡିକାଲ ସଂସ୍ଥାମାନଙ୍କ ନାମ ପରିବର୍ତ୍ତନକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି ।