• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ସହ ପୁରୀ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କର ରହିଛି କି ସଂପର୍କ ? କ୍ୟାସ ଫର କ୍ୱେରି ବିବାଦରେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀ ପିନାକୀଙ୍କ ନାଁ ନେବା ପରେ ରାଜ୍ୟରେ ରାଜନୈତିକ ଝଡ଼ । ମହୁଆଙ୍କ ସହ ପିନାକୀଙ୍କ ଫଟୋ ଦେଖାଇ ଟାର୍ଗେଟ କରିଛି ବିଜେପି । ମୁଖ୍ୟମନ୍ତ୍ରୀ ପିନାକୀଙ୍କୁ ଦଳରୁ ବହିଷ୍କାର କରିବା ସହ EOW ଦ୍ୱାରା ଅଭିଯୋଗର ତଦନ୍ତ କରାନ୍ତୁ ବୋଲି ଦଳ ଦାବି କରିଛି ।

ଅପରପକ୍ଷେ ମହୁଆଙ୍କୁ ଦିଆଯାଇଥିବା ଦୁଇ କୋଟିର ହାୱଲା ଅର୍ଥ ଓଡ଼ିଶାର କେଉଁ ସାଂସଦଙ୍କ ପାଖରେ ସୁରକ୍ଷିତ ରହିଛି ବୋଲି ଗତକାଲି ଏକ୍ସରେ ପଚାରିଥିଲେ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ । ମହୁଆ ପ୍ରସଙ୍ଗକୁ ନେଇ କଂଗ୍ରେସ ବି ପିନାକୀଙ୍କୁ ସମାଲୋଚନା କରିଛି । ପିନାକୀ ମିଶ୍ର, ଶଶି ଥରୁର ଓ ରାହୁଲ ଗାନ୍ଧୀଙ୍କ ଭଳି ବିରୋଧୀ ଦଳ ନେତାଙ୍କ ସହ ମହୁଆଙ୍କ ନିବିଡ଼ତା ରହିଛି ଓ ସେ ଦୃଷ୍ଟିରୁ ମହୁଆ ତାଙ୍କୁ ଲାଭ ପହଞ୍ଚାଇବା ଆଶା ରଖି ସେ ତାଙ୍କ ପିଛା ବିପୁଳ ଅର୍ଥ ଖର୍ଚ୍ଚ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି ହିରାନନ୍ଦାନୀ । ତେଣୁ ପିନାକୀଙ୍କ ସହାୟତାରେ ହିରାନନ୍ଦାନୀ ଓଡ଼ିଶାରୁ ପାଇନାହାନ୍ତି ତ କିଛି ଅବାଞ୍ଛିତ ଫାଇଦା ? ତାକୁ ନେଇ ଉଠିଛି ପ୍ରଶ୍ନ । ତେବେ ବିଜେପିର ଅଭିଯୋଗ ନେଇ ପିନାକୀ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

ହିରାନନ୍ଦାନୀଙ୍କ ସତ୍ୟାପାଠରେ ଲେଖାଯାଇଛି..

  • ମହୁଆ ମୈତ୍ର କମ୍ ଦିନରେ ଫେମସ ହେବାକୁ ଚାହୁଁଥିଲେ ।
  • ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିଧାସଳଖ ଟାର୍ଗେଟ କଲେ ଏହା ସମ୍ଭବ ହେବ ବୋଲି କିଛି ପାଖ ଲୋକ ମହୁଆଙ୍କୁ ପରାମର୍ଶ ଦେଇଥିଲେ ।
  • ଆଦାନୀଙ୍କ ଜରିଆରେ ମୋଦିଙ୍କୁ ଟାର୍ଗେଟ କରିବାକୁ ମହୁଆ ବାଟ ବାଛିଥିଲେ ।
  • ଆଦାନୀଙ୍କ ସଂପର୍କରେ ପ୍ରଶ୍ନ ପଚାରିବା ଲାଗି ସେ ମୋତେ ତାଙ୍କ ପାର୍ଲାମେଣ୍ଟ ଆକାଉଣ୍ଟର ଆଇଡି ଓ ପାସୱାର୍ଡ ଦେଇଥିଲେ ।
  • ମୁଁ ପ୍ରଶ୍ନ ଲେଖି ଦେଉଥିଲି, ସେ ପଚାରୁଥିଲେ ।
  • ବଦଳରେ ଦିଲ୍ଲୀରେ ସରକାରୀ ବାସଭବନର ସୌନ୍ଦର୍ଯ୍ୟକରଣ, ଦେଶ-ବିଦେଶ ଭ୍ରମଣ ଖର୍ଚ୍ଚ ସହ ମୁଁ ତାଙ୍କୁ ଅତି ଦାମିକା ଉପହାର ଦେଉଥିଲି।

ତେବେ ହିରାନନ୍ଦାନୀଙ୍କ ସତ୍ୟପାଠ ସାଧା କାଗଜରେ ଲେଖାଯାଇଛି, ଲେଟର ହେଡ ନାହିଁ କି ନୋଟାରୀ କରାଯାଇନଥିବା କହି ଏହାର ବୈଦ୍ଧତାକୁ ପ୍ରଶ୍ନ କରିଛନ୍ତି ମହୁଆ । ପିଏମ୍ଓ ଇଙ୍ଗିତରେ ଏହା ଲେଖାଯାଇଥିବା ସେ ଅଭିଯୋଗ ଅଣିଛନ୍ତି । ତେଣେ ଏଥିକ୍ସ କମିଟିକୁ ସତ୍ୟପାଠ ମିଳିଥିବା ସୂଚନା ଦେଇଛନ୍ତି କମିଟି ଅଧ୍ୟକ୍ଷ ବିନୋଦ ସୋନକର । ଅନ୍ୟପକ୍ଷରେ ଏଥିକ୍ସ କମିଟି ଅଭିଯୋଗର ଯାଞ୍ଚ କରି ଉପଯୁକ୍ତ ପଦକ୍ଷେପ ନେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ତେଣେ ମହୁଆ ପ୍ରସଙ୍ଗକୁ ନେଇ ୨୦୦୫ର କ୍ୟାସ ଫର କ୍ୱେରି ମାମଲାରେ ୧୧ ସାଂସଦଙ୍କୁ ବହିଷ୍କାର ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା । ପାର୍ଲାମେଣ୍ଟର ନୈତିକତା, ନିୟମ ଓ ସୁରକ୍ଷାର ଏହା ଘୋର ଉଲ୍ଲଙ୍ଘନ ବୋଲି ସେ ଲେଖିଛନ୍ତି । ଟଙ୍କା ହେଉ କି ଉପହାର, ୨୦୦୫ ଭଳି ଦଣ୍ଡବିଧାନ ହେବା ଜରୁରୀ ବୋଲି ସେ ମତ ଦେଇଛନ୍ତି ।