• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଜ୍ୟରେ ହେବ କି ଆଗୁଆ ନିର୍ବାଚନ ? ସାଙ୍ଗଠନିକ ସ୍ତରରେ ବିଜେଡିର ପ୍ରସ୍ତୁତି ଓ ସ୍କିମ୍ ପରେ ସ୍କିମ୍ ଘୋଷଣାରୁ ଏଭଳି ଚର୍ଚ୍ଚା ଜୋର୍ ଧରିଛି । ଏହାରି ଭିତରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ବିଜେଡି ୫ ବର୍ଷ ପାଇଁ ଜନାଦେଶ ପାଇଛି, ଆଗୁଆ ନିର୍ବାଚନ ପାଇଁ ଏତେ ତରବର କାହିଁକି ? ଏପଟେ ବିଜେଡି କହିଛି, ଦଳ କେଉଁଠି ବି ଆଗୁଆ ନିର୍ବାଚନ କଥା କହିନାହିଁ । କିନ୍ତୁ ସାମ୍ବିଧାନିକ ବ୍ୟବସ୍ଥାରେ ସରକାର ଚାହିଁଲେ ବିଧାନସଭାକୁ ଆଗୁଆ ଭାଙ୍ଗିପାରିବେ ।

ଗଳି କନ୍ଦିରୁ ଚା' ଖଟି..ରାଜନେତାଠୁ ପାୱାର୍ କରିଡର୍..ସବୁଠି ସମସ୍ତଙ୍କ ମନରେ, ଏବେ କେବଳ ଦୁଇଟି ପ୍ରଶ୍ନ । ବିଧାନସଭାକୁ ଭାଙ୍ଗି ଆଗୁଆ ନିର୍ବାଚନକୁ ଯିବେ କି ନବୀନ ? ବିଜେପି-ବିଜେଡି ଭିତରେ କିଛି ବୁଝାମଣା ହେବାକୁ ଯାଉଛି କି ? ପଲ୍ଲୀରୁ ଦିଲ୍ଲୀ ଯାଏଁ, କେବଳ ଏହି ଚର୍ଚ୍ଚା। ସାଙ୍ଗଠନିକ ସ୍ତରରେ ବିଜେଡିର ବ୍ୟାପକ ପ୍ରସ୍ତୁତି ଓ ସରକାରୀ ସ୍ତରରେ ଲୋଭନୀୟ ସ୍କିମ୍‌ର ବର୍ଷା ଏ ଚର୍ଚ୍ଚାକୁ ଆହୁରି ଖୋରାକ୍ ଯୋଗାଉଛି । ତା’ଭିତରେ ପୁଣି କେନ୍ଦ୍ର ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ବିଜେଡିର ବିରୋଧ ଓ ଦିଲ୍ଲୀ ସେବା ବିଲ୍‌କୁ ସମର୍ଥନ, ବିଜେପି-ବିଜେଡିର ଟପ୍ ଲିଡର୍ ପରସ୍ପରକୁ ଖୋଲାଖୋଲି ପ୍ରଶଂସା କରିବା ପରେ ଶଙ୍ଖ-ପଦ୍ମ ଭିତରେ କିଛି ନା କିଛି ବଡ଼ ଘଟଣା ଘଟିବାକୁ ଯାଉଛି ବୋଲି ଚର୍ଚ୍ଚା ଜୋର ଧରିଛି ।

ଏପଟେ କିନ୍ତୁ ବିଜେପିର ତମାମ୍ ନେତା ବିଜେଡି ସହ ମେଣ୍ଟକୁ ଖଣ୍ଡନ କରୁଛନ୍ତି । ଆଜି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ସ୍ପଷ୍ଟ କରିଛନ୍ତି ବିଜେଡି ସହ ମେଣ୍ଟ ହେବାର ପ୍ରଶ୍ନ ଉଠୁନି । ତେବେ ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ନେଇ ଅପରାଜିତା ଓଲଟା ପ୍ରଶ୍ନ କରିଛନ୍ତି, ଏ ନେଇ ରାଜ୍ୟ ସରକାର ଏତେ ତରବର କାହିଁକି । ବିଜେଡି ୫ ବର୍ଷ ଶାସନ କରିବା ଲାଗି ଜନାଦେଶ ପାଇଛି, ୫ ବର୍ଷ କାମ କରନ୍ତୁ । ତା’ପରେ ରିପୋର୍ଟ କାର୍ଡ ରଖି ନିର୍ବାଚନକୁ ଯାଆନ୍ତୁ । ସେପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ରାଜ୍ୟ ସରକାରଙ୍କ ପ୍ରସ୍ତୁତିରୁ ଆଗୁଆ ନିର୍ବାଚନର ଆଭାସ ମିଳୁଛି । ସେପଟେ ସ୍ପଷ୍ଟୀକରଣ ରଖି ବିଜେଡି ବିଧାୟକ ପର୍ଶୁରାମ ଧଡ଼ା କହିଛନ୍ତି ଯେ, ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ସରକାର ଚାହିଁଲେ ବିଧାନସଭାକୁ ଆଗୁଆ ଭାଙ୍ଗିପାରିବେ । ତେବେ ଆଗୁଆ ନିର୍ବାଚନ ହେବ ବୋଲି ଦଳ କେଉଁଠି କହିନାହିଁ ।

ଏବେ ପ୍ରଶ୍ନ, ଯଦି ବିଜେଡି ଆଗୁଆ ବିଧାନସଭା ନିର୍ବାଚନ କରିବାକୁ ଚାହୁଁଛି, ତେବେ କାହିଁକି ? ରାଜ୍ୟରେ ବଢୁଥିବା ବିଜେପିକୁ ଚେକ୍ ଦେବାକୁ ଏହି ଷ୍ଟ୍ରାଟେଜି କି? କାହିଁକି ନା ୨୦୧୯ରେ ବିଜେପି ଆଡ଼କୁ ଭୋଟ୍ ସୁଇଂ ହେବାରୁ ଟ୍ରେଣ୍ଡ୍ ଓଡ଼ିଶା ଦେଖିସାରିଛି । ସେତେବେଳେ ଅନେକ ସିଟ୍ ରେ ଭୋଟ୍ ବିଭାଜନ ହୋଇ ଗୋଟିଏ ଭୋଟ୍ ନବୀନଙ୍କୁ ତ ଆଉ ଗୋଟିଏ ଭୋଟ୍ ମୋଦିଙ୍କ ସପକ୍ଷରେ ଯାଇଥିଲା । ନିର୍ବାଚନ ସମୟରେ ଯଦି ମୋଦି ମାନିଆ ବଢ଼େ, ତେବେ ବିଜେଡିକୁ ଘାଟା ଖାଇବାକୁ ପଡ଼ିପାରେ । ଅନ୍ୟପକ୍ଷରେ ନବୀନ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେଲେ, ଭାରତ ବର୍ଷରେ ସର୍ବାଧିକ ଅବଧି ମୁଖ୍ୟମନ୍ତ୍ରୀ ରହିବାର ରେକର୍ଡ କରିବେ । ଏସବୁ ଦୃଷ୍ଟିରୁ ବିଜେଡି ନିର୍ବାଚନ ଲାଗି ତରତର ବୋଲି ଚର୍ଚ୍ଚା ହେଉଛି ।

ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲାଙ୍ଗାନା ଓ ମିଜୋରାମରେ ଆସନ୍ତା ନଭେମ୍ବର-ଡିସେମ୍ବରରେ ବିଧାନସଭା ନିର୍ବାଚନ ହେବ । ତେଣୁ ସେହି ସମୟରେ ଓଡ଼ିଶାରେ ବିଧାନସଭା ଭୋଟ୍ ହେବ ନା ଲୋକସଭା ସହିତ ଏକାଠି ହେବ ତା ଉପରେ ସମସ୍ତଙ୍କ ନଜର ।

  • Reported by:
  • HARIHARA CHAND