Advertisment

Politics In Satire: ସତରେ କଣ ରାଜନୀତିରେ ଏଇଆ ହୁଏ, ବଳଦ ହଡ଼ା ହୁଅନ୍ତି, ମାଲିକ ନୁହଁ !

ଓଡ଼ିଶାରେ କଂଗ୍ରେସ୍, ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳ ପ୍ରମୂଖ ରାଜନୈତିକ ଦଳ ଅଛନ୍ତି। ଏହାଛଡ଼ା ବାମପନ୍ଥୀ ଦଳ, ଆପ୍, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଭଳି ଦଳ ଅଛନ୍ତି। ଯେଉଁଟି ଭଲ ଭାବିବୁ ସେଇଠାରେ ଯୋଗ ଦେଇଦେବୁ। ହେଲେ ଗୋଟିଏ କଥା ସବୁବେଳ ମନେ ରଖିବୁ– ମୋ ଭଳି ଯେଉଁଠି ସୁବିଧାବାଦୀ ଦଳପତି ଥିବେ, ସେଠି ଆଦୌ ଯୋଗ ଦେବୁନାହିଁ। ଯଦି ଯୋଗ ଦେବୁ, ମୋ ଗୁହାଳେ ବନ୍ଧା ହେଇଥିବା ହଡ଼ା ବଳଦମାନଙ୍କ ଭଳି ଦୁଭାର୍ଗ୍ୟର ସାମ୍ନା କରିବୁ।

author-image
Akshaya Kumar Sahoo
ଅଦ୍ୟତନ ହୋଇଛି
Satire

Satire

ଅଜା ଜମିଦାର। ଖଣ୍ଡମଣ୍ଡଳରେ ବେଶ୍ ନାଁ ଅଛି। ଭାରି କଡ଼ା ମିଜାଜର ଲୋକ। ଲୋକ ଡରନ୍ତି, ଆଉ ସମ୍ମାନ ବି କରନ୍ତି। ଯୁବ ବୟସରେ ସଦ୍ୟ ପାଦ ଥାପିଥିବା ନାତି, ସକାଳୁ ସକାଳୁ ଅଜାଙ୍କ ପାଖରେ ବସିଛି। ଅଜାଙ୍କ ପାଖକୁ ଆସୁଥିବା ଲୋକମାନଙ୍କ ସହିତ ଅଜା କିଭଳି ଢଙ୍ଗରେ କଥାବାର୍ତ୍ତା ହେଉଛନ୍ତି, ତାହାକୁ ମନଧ୍ୟାନ ଦେଇ ଶୁଣୁଛି। କିଛି କଥା ତାହାକୁ ଠିକ୍ ଲାଗୁଛି ତ ଆଉ କିଛି କଥା ଟିକିଏ ଟିକିଏ ଖଟ୍କା ଲାଗୁଛି।

Advertisment

ଅଜାଙ୍କ ଗୁହାଳରେ ଅନେକ ବଳଦ ଅଛନ୍ତି— ସେମାନଙ୍କ ଭିତରେ ରହିଛନ୍ତି କିଛି ନୂଆ ନୂଆ ଦାନ୍ତ ଉଠୁଥିବା ଦାମୁଡ଼ି ବା ଯୁବା ବଳଦ ଓ ଆଉ କିଛି ଦାନ୍ତ ଝଡ଼ାଦେଇଥିବା ହଡ଼ା ବଳଦ। ଘରୁ ପଖାଳ ଖାଇ ହୃଷ୍ଟପୁଷ୍ଟ ହଳିଆମାନେ ଆସିଲେଣି। ଏବେ ହଳ ଯୋଚା ହେବ।

ଅଜା ହଳିଆମାନଙ୍କୁ ଖୁବ୍ ବଡ଼ ପାଟିରେ କହିଲେ— “ଦାମୁଡ଼ିମାନଙ୍କୁ କୁଣ୍ଡା, ତୋରାଣି ଓ ଚୋକଡ଼ ଖୁଆଇ ହଳରେ ଯୋଚି ଦିଅ। ହଡ଼ାଗୁଡ଼ାକ ଆଉ ଖଟି ପାରୁନାହାଁନ୍ତି। ସେମାନଙ୍କୁ କୁଣ୍ଡା, ଚୋକଡ଼ ଆଉ ଦିଅ ନାହିଁ। ସେମାନଙ୍କୁ କେବଳ ତୋରାଣି ପିଆଇ ଛାଡି ଦିଅ। ଗୁହାଳେ ବନ୍ଧା ହୋଇଥାନ୍ତୁ। ଯଦି ରଡ଼ି ଛାଡ଼ିବେ, ତେବେ ସେମାନଙ୍କୁ ନେଇ ପାଖ ଗୋଶାଳାରେ ଛାଡ଼ିଦେବ। ସେଠାରେ ରହି ଭଜନ କୀର୍ତ୍ତନ ଶୁଣିବେ। ଯଦି ଗୁହାଳ ଆପଣା ଛାଏଁ ନଛାଡ଼ି ଯାଉଛନ୍ତି, ତେବେ ସେମାନଙ୍କୁ ଜୋର ଜବରଦସ୍ତି ବାହାର କରିଦିଆ — ଠିକ୍ ଅତୀତରେ ଯେମିତି ବାହାରକରି ଦିଆଯାଇଥିଲା ।

Advertisment

ନାତି ଭାବୁଥିଲା, ଅଜାଙ୍କର ଏତାଦୃଶ ରୁକ୍ଷ ବ୍ୟବହାର କଥା। ସେ କେମିତି ଏତେ ନିଷ୍ଠୁର ହୋଇପାରନ୍ତି ! ଯେଉଁ ବଳଦମାନେ ଦିନେ ତାଙ୍କ ପାଇଁ ଖଟିଖଟି ତାଙ୍କର ସମ୍ପତ୍ତି ବଢାଇଲେ, ଆଜି ସେମାନେ ଅଲୋଡ଼ା ପାଲଟିଗଲେ ! କିନ୍ତୁ ଅଜା ତ ବୁଢ଼ା ହୋଇଗଲେଣି। ସେ କାହିଁକି ଘରୁ ତଡ଼ା ହେବେନି?

“ଅଜା ! ତୁମେ ନିଜେ ତ ବୁଢ଼ା ହେଲଣି। ତୁମକୁ କାହିଁକି ଘରୁ ତଡ଼ା ହେବନି?” ନାତି ଅତି ସାହସ ସଞ୍ଚୟ କରି ଏତକ ପଚାରିଦେଲା।

“ଠିକ୍ ପ୍ରଶ୍ନ ପଚାରିଛୁରେ ନାତି। ମଣିଷ ଆଉ ବଳଦ ଭିତରେ ଫରକ୍ ଅଛି। ଏମାନେ ଖଟୁଥିଲା ବେଳେ ମୁଁ ସେମାନଙ୍କୁ ଆଉଁଷି ଦେଉଥିଲି। କାଳିଆ, କଷରା ବଳଦକୁ ପାଟବସ୍ତ୍ରରେ ସଜାଉଥିଲି। କେବଳ ସେତିକି ନୁହେଁ, ବେକରେ ବଡ଼ ଘଣ୍ଟିମାଳ ପିନ୍ଧାଇ ସାରା ଦୁନିଆଁକୁ ବିକ୍ରମ ବଳିୟାର ସିଂହ ଜମିଦାରଙ୍କ ବଳଦ ବୋଲି ପରିଚିତି ଦେଉଥିଲି। ଏବେ ଏ ହଡ଼ା ବଳଦକୁ କାହାକୁ ମୋର ବଳଦ କହି ଚିହ୍ନାଇବି- ଚିହ୍ନାଇବାର ଆବଶ୍ୟକତା କ’ଣ ବା ଅଛି? ଏମାନେ ଏବେ କେଉଁ ଭିଡ଼କୁ ସରି?” — ଅତି ନିଃସଙ୍କୋଚରେ ଷ୍ପଷ୍ଟୀକରଣ ରଖିଲେ ଅଜା।

ନାତି ଏବେ କଲେଜରେ ନାମ ଲେଖାଇଛି। ଭାବୁଛି ଏଥର କଲେଜ ନିର୍ବାଚନରେ ଭାଗ ନେବ। ପରେ ଏକ ରାଜନୈତିକ ଦଳରେ ଯୋଗ ଦେଇ ରାଜ୍ୟ ଓ ଦେଶ ସେବାରେ ବ୍ରତୀ ହେବ। କିନ୍ତୁ ଅଜାଙ୍କର ଏହିଭଳି ଆଚରଣ ଦେଖି ତା’ ଆଖି ଆଗରେ ଭାସୁ ଉଠୁଥିଲା ଗୋଟିଏ ଛବି — ଓଡ଼ିଶାର ଏକ ଆଞ୍ଚଳିକ ରାଜନୈତିକ ଦଳର ଛବି। ଏହି ଦଳର ଗଠନ ଠାରୁ ଆରମ୍ଭ କରି ଏହାକୁ ପରିପୁଷ୍ଟ କରିବା ପାଇଁ ଯେଉଁମାନଙ୍କର ସର୍ବାଧିକ ପରିଶ୍ରମ ରହିଥିଲା, ସେମାନେ ଆଜି ଦଳରେ ଅଖୋଜା ଓ ଅଲୋଡ଼ା।

କଲେଜ୍ ଯିବା ପୂର୍ବରୁ ନାତି ଅଜାଙ୍କୁ ପଚାରିଲା - “କେଉଁ ଦଳର ପ୍ରାର୍ଥୀ ହେଲେ ଭଲ ହେବ କୁହତ ଅଜା?”

ଅଜା କହିଲେ- “ଦେଖ୍ ନାତି। ଓଡ଼ିଶାରେ କଂଗ୍ରେସ୍, ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳ ପ୍ରମୂଖ ରାଜନୈତିକ ଦଳ ଅଛନ୍ତି। ଏହାଛଡ଼ା ବାମପନ୍ଥୀ ଦଳ, ଆପ୍, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଭଳି ଦଳ ଅଛନ୍ତି। ଯେଉଁଟି ଭଲ ଭାବିବୁ ସେଇଠାରେ ଯୋଗ ଦେଇଦେବୁ। ହେଲେ ଗୋଟିଏ କଥା ସବୁବେଳ ମନେ ରଖିବୁ– ମୋ ଭଳି ଯେଉଁଠି ସୁବିଧାବାଦୀ ଦଳପତି ଥିବେ, ସେଠି ଆଦୌ ଯୋଗ ଦେବୁନାହିଁ। ଯଦି ଯୋଗ ଦେବୁ, ମୋ ଗୁହାଳେ ବନ୍ଧା ହେଇଥିବା ହଡ଼ା ବଳଦମାନଙ୍କ ଭଳି ଦୁଭାର୍ଗ୍ୟର ସାମ୍ନା କରିବୁ।”

ନାତି ତା’ର ସମସ୍ତ ବୁଦ୍ଧି ଟାଣିଟୁଣି ତଥା ଖଟାଇ ଭାବୁଥିଲା, କେଉଁ ଦଳରେ ଅଜାଙ୍କ ଭଳି ସ୍ୱାର୍ଥନ୍ୱେଷୀ ନେତା ନାହାଁନ୍ତି? ସବୁଦଳରେ ତ ଗୋଡ଼ଟଣା ଓ ଗୋଚ୍ଛିକଟା ଲୋକ ହାଉଯାଉ ! ସେଇଥି ପାଇଁ ତ କଂଗ୍ରେସ୍ ଆଜିକୁ ୨୫ ବର୍ଷ ହେଲାଣି ଉଠିପାରୁନି। ଯେଉଁମାନେ ଦଳପତି ହେଲେ, ଆଦୌ ପରିଶ୍ରମ ନକରି ମୁଖ୍ୟମନ୍ତ୍ରୀ ସ୍ୱପ୍ନରେ ମସଗୁଲ ରହିଲେ। କେବଳ ସେତିକି ନୁହେଁ, ନିଜର ପ୍ରମୋସନ ବା ଉତ୍ଥାନ କରିବାକୁ ଯାଇ ଅନ୍ୟମାନଙ୍କୁ ଅବଦମିତ କରିଚାଲିଲେ। ଶେଷରେ ହଡ଼ାବଳଦ ଓ ଦାମୁଡ଼ିମାନଙ୍କ ଶିଙ୍ଗ ମାଡ଼ରେ ରକ୍ତାକ୍ତ ହୋଇ ତଳେ ପଡ଼ିଲେ। ନା ଦଳ ଉଠିପାରିଲା ନା ସେମାନେ !

ଓଡ଼ିଶା ପ୍ରଦେଶର ଭାରତୀୟ ଜନତା ପାର୍ଟି ଶାଖା ୨୦୦୯ରୁ ଅଜାଙ୍କ ଭଳି କିଛି ଚରିତ୍ରର ନେତାଙ୍କ ପାଇଁ ୧୫ ବର୍ଷ କାଳ ଘଣା ପେଲିଲା। ସେଠି ବି ଦାମୁଡ଼ି ଓ ହଡ଼ାବଳଦଙ୍କ ମଧ୍ୟରେ ଅନେକ ଖେଳ ଚାଲିଲା। କିଛି ହଡ଼ା ବଳଦଙ୍କୁ ଗୁହାଳ ଛାଡ଼ିବାକ ପଡ଼ିଲା।

ଆଉ ବଡ଼ ଦଳ ଭିତରରେ ରହିଲା ରାଜ୍ୟକୁ ୨୪ ବର୍ଷ ଶାସନ କରିଥିବା ବିଜୁ ଜନତା ଦଳ। ଏଠି ତ ହଡ଼ା ହେବା ପୂର୍ବରୁ ଭଲଭଲ ଦାମୁଡ଼ିଙ୍କୁ ଚିହ୍ନଟ କରାଯାଇ ସାଇଡ୍ କରିଦିଆଗଲା। ଏବେ ଆଉ କିଛି ନେତା ଫଡ଼ଫଡ଼ ହେଉଛନ୍ତି, ସେମାନେ ବି ବିଦା ହେବା ପ୍ରକ୍ରିୟାରେ ଅଛନ୍ତି। ଯଦି ଆପଣା ଛାଏଁ ନଯିବେ, ତେବେ ସେମାନେ ଅତୀତରେ ଯେମିତ ଅନେକ ନେତାଙ୍କୁ ବାହାର କରାଯାଇଥିଲା, ସେମିତି ଦଳରୁ ବିଦା ହେବାର ସମ୍ଭାବନା ରହିଛି।

ନାତି ଭାବୁଥିଲା- ଯାହା ସାଙ୍ଗ କହୁଥିଲା, ତାହା ଠିକ୍ ! ରାଜନୀତି ଏକ ଅଡ଼ୁଆ ପାଠ। ଠିକ୍ ଭାବରେ ନପଢ଼ି ପାରିଲେ ମୁଣ୍ଡ ଟିଣ ହୋଇଯିବ।

ଅଜାଙ୍କ ନିକଟରୁ ମୁଣ୍ଡିଆ ମାରି ବିଦା ହେବା ପୂର୍ବରୁ ନାତି କହିଲା- “ମୁଁ ଆସୁଛି, ଅଜା। ଏବେ ଦେଖିବି କେଉଁ ଦଳରେ ତୁମ ଭଳି ଖଳ ଆଉ କୁତ୍ସିତ ପ୍ରକୃତିର ନେତା ନାହାନ୍ତି। ଯେଉଁଦିନ ଏକ ଭଲ ଦଳ ଆଉ ଭିନ୍ନ ପ୍ରକୃତିର ନେତା ପାଇିବି, ସେହିଦିନ ଆଉ ସେହି ଦଳରେ ନିଶ୍ଚିତ ଯୋଗଦେବି।”

“ଅଲ୍ ମାଇଁ ବେଷ୍ଟ ଉଇସେସ୍, ନାତି ! ଉଦ୍ୟମ ଜାରି ରଖ। ତୁ ନିଶ୍ଚିତ ଦିନେ ସଫଳ ହେବୁ।”

ଅଜାଙ୍କ ଆଶୀର୍ବାଦ ନେଇ ନାତି କଲେଜ୍ ଅଭିମୁଖେ ନିଜର ବୁଲେଟ୍ ମୋଟର ସାଇକେଲ ଚଢ଼ି ବାହାରିପଡ଼ିଲା। ବାଟ ସାରା ଭାବୁଥିଲା, ‘ସତରେ କ’ଣ ସେ ସୁଦିନ ଆସିବ ଯେଉଁଦିନ ସେ ନିଜ ଅଜାଙ୍କଠାରୁ ଭିନ୍ନ ଏକ ଚରିତ୍ରର ନେତା ପାଇବ?’

ବିଶେଷ ଦ୍ରଷ୍ଟବ୍ୟ: ଏହି ଲେଖାଟି ଏକ ରାଜନୈତିକ ବ୍ୟଙ୍ଗ। ଏଥିରେ କାହାକୁ ଉଦ୍ଦ୍ୟେଶମୂଳକ ଭାବେ ଇଙ୍ଗିତ କରାଯାଇନାହିଁ। ଏହା କେବଳ ଏକ ମନୋରଞ୍ଜନଧର୍ମୀ ଲେଖା, ଯାହା ସମାଜ ସୁଧାର ପାଇଁ ଅଭିପ୍ରେତ। ଏହା ଲେଖକଙ୍କ ନିଜସ୍ୱ ମତ ।

Odisha Political Satire Politics
Advertisment
Related Articles
Advertisment