• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ପଂଚାୟତ ନିର୍ବାଚନ ଲାଗି ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ । ସେପଟେ ନିର୍ବାଚନ ଲାଗି ପୁରା ତୟାର୍ ବିଭିନ୍ନ ରାଜନୈତିକ ଦଳ । ଭୋଟ୍ ପୂର୍ବରୁ ମାହୋଲ୍ ବନାଇବା ଲାଗି ନିଜ ନିଜର ବ୍ଳୁପ୍ରିଣ୍ଟ ବି ପ୍ରସ୍ତୁତ କରିସାରିଛନ୍ତି ସବୁ ପାର୍ଟି । ଆସନ୍ତାକାଲିଠାରୁ ଉଭୟ ସରକାରୀ ଓ ଦଳୀୟ ସ୍ତରରେ ସୁଶାସନ ସପ୍ତାହ ପାଳନ କରିବାକୁ ଯାଉଛି ବିଜେପି । ସାରା ଦେଶରେ ପ୍ରଶାସନ ଗାଁଓ କି ଓର୍ ନାଁରେ ଅଭିଯାନ ଚାଲିବ । ଯେଉଁଥିରେ ଜିଲ୍ଲାପାଳମାନେ ଅଭିଯୋଗ ଶୁଣାଣି କ୍ୟାଂପ୍ କରି ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଚେଷ୍ଟା କରିବେ ।

ସେପଟେ ଦଳୀୟ ସ୍ତରରେ ପଂଚାୟତ, ମଣ୍ଡଳ, ବ୍ଲକ୍ ଓ ଜିଲ୍ଲା ସ୍ତରରେ ମଧ୍ୟ ଏହି କାଯର୍ୟକ୍ରମ ପାଳନ କରାଯିବ । ରାମ ମନ୍ଦିରଠୁ ଆରମ୍ଭ କରି ଆତ୍ମନିର୍ଭର ଭାରତ, ପିଏମ୍‌ କିଷାନ, ଆୟୁଷ୍ମାନ ଭାରତ, କରୋନା ମୁକାବିଲା, ମାଗଣା ଟିକା ପ୍ରଦାନ ଭଳି ଜନହିତକାରୀ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରାଯିବ । ତାସହ ରାଜ୍ୟ ସରକାରଙ୍କ କୁଶାସନ, ଦୁର୍ନୀତି, ନାରୀ ନିର୍ଯାତନା ଆଦି ପ୍ରସଙ୍ଗକୁ ଉଠାଇବ ଦଳ ।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଡିସେମ୍ବର ୨୫କୁ ସୁଶାସନ ଦିବସ ଭାବେ ପାଳନ କରାଯିବ । ସେପଟେ ବିଜେପିର ଏହି କାର୍ଯ୍ୟକ୍ରମକୁ ନିଜ ପ୍ରତିଷ୍ଠା ଦିବସ ଡିସେମ୍ବର ୨୬ରେ କାଉଣ୍ଟର କରିବାକୁ ଷ୍ଟ୍ରାଟେଜି କରିଛି ବିଜେଡି । ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ସମସ୍ତ ୩୧୪ ବ୍ଲକରେ ଏହାକୁ ପାଳନ କରାଯିବ ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ମୋଡ୍‌ରେ ନେତା ଓ କର୍ମୀଙ୍କୁ ବାର୍ତ୍ତା ଦେବେ । ବିଏସ୍‌କେୱାଇ ସ୍ମାର୍ଟ କାର୍ଡ ବଣ୍ଟନ, ସ୍କୁଲ୍ ରୂପାନ୍ତୀକରଣ, ଏସ୍ଏଚ୍‌ଜି ସଦସ୍ୟାଙ୍କୁ ଜୀବୀକା ପ୍ରଦାନ ଓ ରାଜ୍ୟ ସରକାରଙ୍କ ସଫଳ ଯୋଜନା ଗାଁ ଗାଁରେ ପହଞ୍ଚାଇବାକୁ ଯୋଜନା କରିଛି ବିଜେଡି । କଂଗ୍ରେସ୍ ବି ବିଭିନ୍ନ ଜିଲ୍ଲାରେ ନିଜ କାର୍ଯ୍ୟକ୍ରମ ଜାରି ରଖିଛି । ରାଜ୍ୟ କଂଗ୍ରେସ୍ ପ୍ରଭାରୀ ଚେଲ୍ଲା କୁମାର ଆଜି ଫୁଲବାଣୀରେ ଏକ ବିରାଟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅବହେଳା କଥା ଉଠାଇ ଦଳ ଲୋକଙ୍କ ପାଖକୁ ଯାଉଛି ।

ସେପଟେ ପଂଚାୟତ ନିର୍ବାଚନ ପାଇଁ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ଯେକୌଣସି ସମୟରେ ପ୍ରକାଶ ପାଇବ ବିଜ୍ଞପ୍ତି । ଯେଉଁଦିନ ବିଜ୍ଞପ୍ତି ପ୍ରକାଶ ପାଇବ ସେବେଠାରୁ ଭୋଟ୍‌ଗଣତି ସରିବା ଯାଏଁ ଆଦର୍ଶ ଆଚରଣ ବିଧି ଲାଗୁ ହେବ । ସେପଟେ ନିର୍ବାଚନ ଲାଗି ପଂଚାୟତ ସ୍ତରରେ ଭୋଟର୍ ତାଲିକା ପ୍ରସ୍ତୁତି ସରିଛି । ଓ୍ୱାର୍ଡସ୍ତରରେ ଭୋଟ୍‌ଗ୍ରହଣ କେନ୍ଦ୍ର ନିର୍ଦ୍ଧାରଣ କାମ ମଧ୍ୟ ଶେଷ ହୋଇଛି । ଚଳିତ ମାସ ଶେଷ ସୁଦ୍ଧା ପଂଚାୟତ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହେବାର ସମ୍ଭାବନା ରହିଛି । ଫେବ୍ରୁଆରୀରେ ୫ଟି ପର୍ଯ୍ୟାୟରେ ନିର୍ବାଚନ ହୋଇ ୩ଟି ପର୍ଯ୍ୟାୟରେ କାଉଣ୍ଟିଂ ହେବାର ଅଛି ।