Advertisment

୨୦୨୪ ପାଇଁ ନିଅଁ ପକାଇବେ ବିଜେଡି, ବିଜେପି, କଂଗ୍ରେସ୍

ମୟ ଥାଉ ଥାଉ ପାଗ ନଭିଡିଲେ କାଳେ କିଏ ପଛରେ ପଡିଯିବେ ସେ ଭୟ ବି ଅଛି।

author-image
Chandan Shishu
Focus September

Focus September

ଆରମ୍ଭ ହୋଇଯାଇଛି ସୁପର୍ ସେପ୍ଟେମ୍ବର। ଆଉ ମାସ ଆରମ୍ଭରୁ ବିଭିନ୍ନ ରାଜନୈତିକ ଦଳରେ ପ୍ରତିଯୋଗିତାମୂଳକ ଭାବେ ସ୍ଥିର ହୋଇଛି କାର୍ଯ୍ୟକ୍ରମ। କେହି କାହାକୁ ବାଟ ଛାଡ଼ିବାକୁ ପ୍ରସ୍ତୁତ ନାହାଁନ୍ତି। କାରଣ ସାଧାରଣ ନିର୍ବାଚନକୁ ରହିଲା ଦୁଇ ବର୍ଷରୁ କମ୍ ସମୟ। ସବୁଠାରୁ ବେଶୀ କାର୍ଯ୍ୟକ୍ରମ ରହିଛି ବିଜେପିର ଦଳର। ନୂଆ ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ୫ ଓ ୬ ତାରିଖରେ ଓଡ଼ିଶା ଆସି ସଂଗଠନ କଥା ବୁଝିବେ। ପରେ ସଂଗଠନ ମହାମନ୍ତ୍ରୀ ବି.ଏଲ୍. ସନ୍ତୋଷ ଆସି ନେତୃତ୍ୱ ଓ କର୍ମୀମାନଙ୍କର ବୈଠକ ନେବା ସହ ଆଗାମୀ ନିର୍ବାଚନ ଲାଗି ତାଲିମ ଦେବେ। ଆଉ ମାସ ଶେଷରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିଶାଳ ସମାବେଶର ଆୟୋଜନ କରି ୨୦୨୪ ନିର୍ବାଚନ ପ୍ରସ୍ତୁତି ଲାଗି ବିଗୁଲ ବଜାଇବେ।

Advertisment

ବିଜେଡି ବି କାଉଣ୍ଟର କରିବାକୁ ରଣନୀତି ପ୍ରସ୍ତୁତ କରିଛି। କ୍ୟାପିଟାଲ୍ ଫାଉଣ୍ଡେସନ ପକ୍ଷରୁ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କୁ ଆସନ୍ତାକାଲି ଜୀବନ ବ୍ୟାପୀ ସାଧନା ପୁରସ୍କାର ଦିଆଯିବ। ଯେଉଁଥି ପାଇଁ ଦିଲ୍ଲୀରେ ରହୁଥିବା ପ୍ରବାସୀଙ୍କୁ ଠୁଳ କରାଯାଉଛି। ସେପ୍ଟେମ୍ବର ୬ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବା ପରେ ଗ୍ରାଣ୍ଡ ୱେଲକମ୍ ଦେବା ଲାଗି ବି ତୟାରି ଚାଲିଛି। ଏଥିଲାଗି ଦିଲ୍ଲୀରେ ବିଜେଡିର ଯୁବ, ଛାତ୍ର, ମହିଳା ଓ ଛାମୁଆ ନେତା ଡେରା ପକାଇଛନ୍ତି।

କଂଗ୍ରେସ ବି ଏହି ମାସରେ ଏକାଧିକ କାର୍ଯ୍ୟକ୍ରମ ରଖିଛି। ଆସନ୍ତାକାଲି ଦିଲ୍ଲୀରେ ଦରଦାମ ବୃଦ୍ଧି ନେଇ ବିଶାଳ ପ୍ରତିବାଦ କରାଯିବ ପିସିସି ସଭାପତିଙ୍କ ସମେତ ଛାମୁଆ ନେତା ଦିଲ୍ଲୀ ଗସ୍ତରେ। ସେହିପରି ୭ ତାରିଖରେ କନ୍ୟାକୁମାରୀରୁ ଆରମ୍ଭ ହେବ ରାହୁଲ ଭାରତ ଯୋଡ ଅଭିଯାନ। ନିର୍ବାଚନ ପାଇଁ କେନ୍ଦ୍ରୀୟ କମିଟିର ଏ ପ୍ରସ୍ତୁତି। ରାଜ୍ୟରେ ପିସିସି ପକ୍ଷରୁ ମେହଙ୍ଗାଇ ପେ ଚର୍ଚ୍ଚା କାର୍ଯ୍ୟକ୍ରମ ବି ଚାଲିଛି।

Advertisment

ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରତିଯୋଗିତା ମୂଳକ ଭାବେ ସେପ୍ଟେମ୍ବରକୁ ଗୁରୁତ୍ୱ ଦେଉଛନ୍ତି। ଭୋଟରଙ୍କ ପାଖରେ ପହଞ୍ଚି ମନାଇବାକୁ ସଭିଏଁ ପ୍ରୟାସ ଆରମ୍ଭ କଲେଣି। ରାଜ୍ୟ ବିଜେପିର ସକ୍ରିୟତା ଶାସକ ବିଜେଡି ଓ ବିରୋଧୀ କଂଗ୍ରେସର ମୁଣ୍ଡ ବିନ୍ଧାକୁ ବଢାଇ ଦେଇଥିବାରୁ ଉଭୟ ଦଳ ଏବେ ବିଜେପି ସହ ଟକ୍କର ଦେଇ କାର୍ଯ୍ୟକ୍ରମ କରୁଥିବା ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି।

ଚର୍ଚ୍ଚା ହେଉଛି, ୨୦୨୪ ବଦଳରେ ରାଜ୍ୟରେ ଆଗୁଆ ନିର୍ବାଚନ ହୋଇପାରେ। ସମୟ ଥାଉ ଥାଉ ପାଗ ନଭିଡିଲେ କାଳେ କିଏ ପଛରେ ପଡିଯିବେ ସେ ଭୟ ବି ଅଛି। ସେଥିଲାଗି ରାଜନୀତି ମଇଦାନରେ ଏସବୁ ଦଳ ଟକ୍କର ଦେଇ ଓହ୍ଲାଉଛନ୍ତି।

ରିପୋର୍ଟ: ଶିବାନନ୍ଦ ରାଉତ ଓ ଜଗଦୀଶ ଦାସ 

Political Parties Gear Up
Advertisment
Advertisment