• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ହୋଲି ବାହାନା । ହେଲେ ଲକ୍ଷ୍ୟ ୨୪ । ଆସନ୍ତାବର୍ଷ ଏତେବେଳକୁ ନିର୍ବାଚନୀ ତାତିରେ ଟକ ଟକ ଫୁଟିବାକୁ ଥିବା ରାଜନୀତି ପାଇଁ ଏଇ ହୋଲିରୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ରାଜ୍ୟର ତିନି ପ୍ରମୁଖ ଦଳ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ ହିତକର କାମକୁ ଆଧାର କରି ବିଜେପି ଓଡ଼ିଶାରେ କ୍ଷମତାକୁ ଆସିବ ବୋଲି ଦୃଢ଼ ଆଶା ରଖିଥିବା ବେଳେ ଶାସକ ବିଜେଡି ଷଷ୍ଠଥର ରାଜ୍ୟର ଭାଗ୍ୟ ଡୋରି ହାତକୁ ନେବା ପ୍ରୟାସରେ । ସେପଟେ ଉଭୟ ଦଳର ବିକଳ୍ପ ଭାବେ ଲୋକେ ତାଙ୍କ ଦଳକୁ ହିଁ ଭରସା କରିବେ ବୋଲି କହିଛି କଂଗ୍ରେସ ।

ରାଜନୀତିରେ ରଙ୍ଗର ଛିଟା । ବିଜେପି, ବିଜେଡି, କଂଗ୍ରସ । ହୋଲିର ସାତ ରଙ୍ଗରେ ରଙ୍ଗୀନ ସବୁ ଶିବିର । ଆସନ୍ତାବର୍ଷ ଏତେବେଳକୁ ହୋଲିର ଏ ମଉଜରେ ମିଶି ସାରିଥିବ ୨୪ ମହା ସଂଗ୍ରାମର ରଙ୍ଗ । ଫଗୁଣ ପବନକୁ ଘାଣ୍ଟି ସାରିଥିବ ନିର୍ବାଚନୀ ତାତି । ତେଣୁ ତା ପୂର୍ବରୁ ଆଜିର ହୋଲି ଖେଳରେ ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ ମିଶି ରାଜନୀତି ଖେଳର ଛୁଙ୍କ ଦେଇଛନ୍ତି ରାଜନେତା ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ତ ପିସିସି ସଭାପତି ଶରତ ପଟ୍ଟନାୟକ ରାଉରକେଲା ଓ କଂଗ୍ରେସ ବିଧାୟକ ତାରା ବାହିନୀପତି ନିଜ ନିର୍ବାଚନ ମଣ୍ଡଳି ଜୟପୁରରେ ଓ ଶାସକ ବିଜେଡିର ମନ୍ତ୍ରୀ ସମୀର ଦାଶ, ଅଶୋକ ପଣ୍ଡା ଓ ବିଧାୟକ ଅମର ଶତପଥୀ ରାଜଧାନୀରେ କର୍ମୀ, ଶୁଭେଚ୍ଛୁଙ୍କ ସହ ହୋଲି ଖେଳିଛନ୍ତି । ଆଉ ଏଇ ରଙ୍ଗ ମଖା ଆଳରେ ଦେଇଛନ୍ତି ନିର୍ବାଚନୀ ପ୍ରସ୍ତୁତିର ବାର୍ତ୍ତା ।

ବିଜେପି ଓଡ଼ିଶାକୁ ଅଧିକ ଫୋକସ୍ କରି କ୍ଷମତାକୁ ଆସିବାକୁ ଜୋରଦାର ପ୍ରୟାସ ଚଳାଇଛି । ସେଥିଲାଗି ଦଳର କେନ୍ଦ୍ରୀୟ ନେତୃତ୍ୱ ଘନ ଘନ ରାଜ୍ୟ ଗସ୍ତରେ ଆସି କର୍ମୀଙ୍କୁ ଉତ୍ସାହିତ କରିବା ସହିତ ନିର୍ବାଚନରେ ସଫଳ ଲାଗି ମନ୍ତ୍ର ଦେବେ । ସେପଟେ ସୁପ୍ତ ଅବସ୍ଥାରେ ଥିବା କଂଗ୍ରେସ ଖୁବ୍ ଶୀଘ୍ର କମିଟି ଘୋଷଣା କରି ବିଜେଡି-ବିଜେପି ବିରୁଦ୍ଧରେ ଲଢ଼ିବାକୁ ରଣନୀତି ପ୍ରସ୍ତୁତ କରିଛି ।