• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଧାମାନଗର ଉପନିର୍ବାଚନ ପାଇଁ ଛିଣ୍ଡୁନି ବିଜେଡର ଅଙ୍କ । ପ୍ରାର୍ଥୀ ଚୟନ ନେଇ ଚାଲିଛି ଟଣାଓଟରା । ଗୋଷ୍ଠୀ କନ୍ଦଳକୁ ସହ୍ୟ କରାଯିବନି ବୋଲି ସ୍ଥାନୀୟ ନେତାଙ୍କୁ ଡାକି ଚେତାଇ ଦେଇଛନ୍ତି ବିଜେଡି ହାଇକମାଣ୍ଡ । ତେଣେ ପରଲୋକଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଶୀଂ ସୂରଜ ଏଠାରୁ ବିଜେପିରୁ ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଚିତ । ଅନ୍ୟପକ୍ଷରେ ତୃଣମୂଳସ୍ତରର ନେତା ଓ କର୍ମୀଙ୍କ ଫିଡ୍ ବ୍ୟାକ୍‌କୁ ଅପେକ୍ଷା କରିଛି କଂଗ୍ରେସ । ସେମାନଙ୍କ ମତାମତ ଅନୁଯାୟୀ ପ୍ରାର୍ଥୀ ଚୟନ କରାଯିବ । ଧାମନଗର ଉପନିର୍ବାଚନକୁ ନେଇ ରାଜନୌତିକ ଦଳଙ୍କ ରଣନୀତି ପ୍ରସ୍ତୁତି ଭିତରେ ଆଜି ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ବିଜ୍ଞପ୍ତି ।

ଧାମନଗର ଉପନିବାର୍ଚନକୁ ନେଇ ସରଗରମ ରାଜ୍ୟ ରାଜନୀତି । ନଭେମ୍ବର ୩ରେ ଭୋଟ ହେବାକୁ ଯାଉଥିବା ବେଳେ ହାତରେ ଖୁବ୍ କମ୍ ସମୟ । ତେଣୁ ଜୋରଦାର ଢଙ୍ଗରେ ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଧାମନଗର ବିଜେଡି, ବିଜେପି, କଂଗ୍ରେସ ପାଇଁ ଅଗ୍ନୀପରିକ୍ଷା ବୋଲି କୁହାଯାଉଛି । ଏହି ଆସନ ବିଜେପି ବଜାୟ ରଖିବ ନା ଅନ୍ୟ ଉପନିର୍ବାଚନ ଭଳି ଶାସକ ଦଳ ଏହାକୁ ଅକ୍ତିଆର କରିନେବ । ଏବେ ତାକୁ ନେଇ ଚାଲିଛି ଅଙ୍କକଷା ।

ତେବେ ଏଠାରେ କାହାକୁ କରିବ ପ୍ରାର୍ଥୀ । ତାକୁ ନେଇ ଅଡୁଆରେ ବିଜେଡି । ଦୁଇ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଓ ମୁକ୍ତିକାନ୍ତ ମଣ୍ଡଳ ଗୋଷ୍ଠୀ ମଧ୍ୟରେ ତେଜିବାରେ ଲାଗିଛି କନ୍ଦଳ । ୨୦୧୯ ନିର୍ବାଚନରେ ଏଠାରୁ ହାରି ଯାଇଥିଲେ ରାଜେନ୍ଦ୍ର ଦାସ । ତେବେ ମୁକ୍ତିକାନ୍ତ ମଣ୍ଡଳ ୨୦୧୪ରେ ଧାମନଗରରୁ ନିର୍ବାଚିତ ହୋଇଥିଲେ । ସେହିପରି ମୁକ୍ତିକାନ୍ତଙ୍କ ପତ୍ନି ମଂଜୁଲତା ଏବେ ଭଦ୍ରକ ସାଂସଦ ବି ଅଛନ୍ତି । ତେଣୁ ମୁକ୍ତିକାନ୍ତଙ୍କୁ ଟିକଟ ଦେବା ଲାଗି ଜୋରଦାର ଲବି ହେଉଛି ।  ତେଣେ ନୂଆ ମୁହଁ ଭାବେ ଦୌଡରେ ରହିଛନ୍ତି ଡାକ୍ତର ସଂଜୟ ଦାସ । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ତାଙ୍କୁ ପ୍ରାର୍ଥୀ କରାଯିବା ସପକ୍ଷରେ ଥିବା ଚର୍ଚ୍ଚା ହେଉଛି । ଏଭଳି ସ୍ଥିତିରେ ଧାମନଗର ନେତାଙ୍କୁ ଡାକି ବିଜେଡି ହାଇକମାଣ୍ଡ ଆଲୋଚାନ କରିବା ସହ ବିବାଦ ତୁଟାଇବାକୁ ଉଦ୍ୟମ କରିଛନ୍ତି । ନବୀନ ଯାହାକୁ ଟିକଟ ଦେବେ ତାହା ହିଁ ଚୂଡ଼ାନ୍ତ ନିଷ୍ପତ୍ତି । ଦଳରେ ବିଶୃଙ୍ଖଳା କଦାପି ବରଦାସ୍ତ କରାଯିବନି ବୋଲି ଚେତାବନୀ ଦିଆଯାଇଛି ।

ଏପଟେ ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଶୀଂ ସୂରଜ ଏଠାରୁ ବିଜେପିରୁ ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଚିତ । ପ୍ରଭାରୀ ଡି.ପୁରେନ୍ଦ୍ରଶ୍ୱରୀ ଓ ରାଜ୍ୟ ସଭାପତି ସମୀର ମହାନ୍ତି ଭଦ୍ରକରେ ରହି ରଣନୀତି ପ୍ରସ୍ତୁତ କରୁଛନ୍ତି । ତେଣେ ଧାମନଗର ନିର୍ବାଚନ ମଣ୍ଡଳୀର ତୃଣମୂଳସ୍ତରର ନେତା ଓ କର୍ମୀଙ୍କ ମତାମତ ଆଧାରରେ ପ୍ରାର୍ଥୀ ଚୂଡ଼ାନ୍ତ କରାଯିବ ବୋଲି କହିଛି କଂଗ୍ରେସ ।

ଧାମନଗର ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠୁ ୧୪ ତାରିଖ ଯାଏଁ ନାମାଙ୍କନ ପତ୍ର ଦାଖଲ କରି ହେବ । ୨ ଲକ୍ଷ ୩୮ ହଜାର ଭୋଟର ଭୋଟ ଦେବେ । ଯେଉଁଥିରେ ୧ ଲକ୍ଷ ୨୩ ହଜାର ପୁରୁଷ ଓ ୧ ଲକ୍ଷ ୧୫ ହଜାର ମହିଳା ରହିଛନ୍ତି । ଧାମନଗରରେ ୨୫୨ଟି ବୁଥ୍ ରହିଛି । ୫୦ ପ୍ରତିଶତ ବୁଥ୍‌ରେ ୱେବକାଷ୍ଟିଂ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି ।

ଧାମନଗର ବ୍ଲକର ୩୧, ତିହିଡିର ୧୩ ଓ ନବଗଠିତ ଧାମନଗର ଏନଏସିରେ ୧୧ଟି ଓ୍ୱାର୍ଡକୁ ନେଇ ଧାମନଗର ବିଧାନସଭା ଆସନ । ୨୦୧୯ରେ ଏଠାରେ ବିଜେପି ବାଜି ମାରିଥିବା ବେଳେ ଗତ ପଂଚାୟତ ଓ ପୌର ନିର୍ବାଚନରେ ବିଜେଡିତୁ ସଫଳତା ମିଳିଥିଲା । ତେଣୁ ନିର୍ବାଚନ ଫଳାଫଳ କାହା ସପକ୍ଷରେ ଯିବ ତାକୁ ନେଇ ଚାଲିଛି କଳ୍ପନାଜଳ୍ପନା ।