• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସରକାରୀ ଘର ବିକ୍ରି ନାଁରେ ଠକେଇ ଅଭିଯୋଗରେ ବିଜେଡି ନେତା ତଥା ପୂର୍ବତନ କର୍ପୋରେଟର ରଞ୍ଜିତା କରଣଙ୍କ ସ୍ୱାମୀ ରାଜା କରଣ ଗିରଫ ହୋଇଛନ୍ତି। ରାଜାଙ୍କୁ ୩ ଦିନିଆ ରିମାଣ୍ଡରେ ନେବା ଲାଗି କୋର୍ଟ ପୋଲିସ୍‌କୁ ଅନୁମତି ପ୍ରଦାନ କରିଛନ୍ତି। ଠକେଇକୁ ନେଇ ପୋଲିସ୍‌ ତାଙ୍କୁ ପଚରାଉଚରା କରିବ ବୋଲି ଜଣାପଡ଼ିଛି। ଫଳରେ ଆହୁରି ଗୁମର ଖୋଲିପାରେ ବୋଲି କୁହାଯାଉଛି। 

ଗତକାଲି କଟକ କଲ୍ୟାଣନଗର ସ୍ଥିତ ରାଜାଙ୍କ ଘରେ ପୋଲିସ୍ ଚଢ଼ଉ କରିଥିଲା। ରେଡ୍‌ ବେଳେ ପୋଲିସ ନଗଦ ୧୪ ଲକ୍ଷ ୯୦ ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା। କଟକ ଅନ୍ଦରପୁରରେ ସରକାରଙ୍କ EWS ଯୋଜନାରେ ନିର୍ମାଣ ହୋଇଥିବା ଘରକୁ ବେଆଇନ୍‌ ଭାବେ ବିକ୍ରି କରିବା ଅଭିଯୋଗରେ ରାଜା କରଣଙ୍କୁ ଗିରଫ କରାଯାଇଛି।

 

ପାଖାପାଖି ୩୦ ଜଣ ଲୋକଙ୍କୁ ଘର ବିକ୍ରି ନାଁରେ ଏଭଳି ଠକେଇ କରିଥିବା ରାଜାଙ୍କ ବିରୋଧରେ ଅଭିଯୋଗ ରହିଥିଲା। ଜାଲ୍‌ କାଗଜପତ୍ର ଜରିଆରେ ଏସବୁ ଘରକୁ ସେ ଲୋକଙ୍କୁ ବିକ୍ରି କରିଦେଇଥିବା ଅଭିଯୋଗ ରହିଥିଲା। ରାଜା କରଣଙ୍କ ନାଁରେ ୫ଟି ମାମଲା ରୁଜୁ କରାଯାଇଛି। ଘଟଣାର ଅଧିକ ତଦନ୍ତ କରାଯିବା ସହ ରାଜାଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଯାଞ୍ଚ କରାଯାଇ ଠକେଇ ସମ୍ପର୍କରେ ତଥ୍ୟ ଯୋଗାଡ଼ ହେଉଛି ବୋଲି ପୋଲିସ କହିଛି।