• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନାଁ ଆମେ ହାରିଥିଲୁ ନା ହାରିବୁ, ଏନଡିଏ ଥିଲା ଓ ରହିବ । ଆଜି ନୂଆଦିଲ୍ଲୀର ସମ୍ବିଧାନ ସଦନରେ ଅନୁଷ୍ଠିତ ଏନଡିଏର ସଂସଦୀୟ ଦଳ ବୈଠକରେ ଏନଡିଏର ନେତା ନିର୍ବାଚିତ ହେବା ପରେ ଏଭଳି କହିଛନ୍ତି ମୋଦି । ତାସହ ଏଠି ବି ଓଡ଼ିଶାକୁ ଫୋକସ୍ କରି କହିଛନ୍ତି ଭାରତର ବିକାଶ ଯାତ୍ରାରେ ଓଡ଼ିଶା ହେବ ଇଞ୍ଜିନ ।

ମୋଦି ସର୍ବସମ୍ମତିକ୍ରମେ ଏନଡିଏର ନେତା ନିର୍ବାଚିତ ହେବା ପରେ ସଂଧ୍ୟାରେ ରାଷ୍ଟ୍ରପତିଙ୍କୁ ଭେଟି ପାଇଁ ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରିଛନ୍ତି । ସେପଟେ ଆସନ୍ତା ୯ ତାରିଖରେ ଶପଥ ପାଇଁ ରାଷ୍ଟ୍ରପତି ତାଙ୍କୁ ଆମନ୍ତ୍ରଣ ଜଣାଇଥିବା କହିଛନ୍ତି ମୋଦି । ଏହାପରେ ଗଣମାଧ୍ୟମକୁ ସମ୍ବୋଧନ କରି ମୋଦି କହିଛନ୍ତି, ଏନଡିଏକୁ ତୃତୀୟ ଥର ସେବା କରିବା ପାଇଁ ଦେଶବାସୀ ଅବସର ଦେଇଛନ୍ତି ।

ଏଥିପାଇଁ ଦେଶବାସୀଙ୍କ ଆଗରେ କୃତଜ୍ଞ । ଆଗାମୀ ୨୫ ବର୍ଷରେ ଭାରତର ବିକାଶ ଯାତ୍ରାରେ ଓଡ଼ିଶା ହେବ ଅନ୍ୟତମ ଇଂଜିନ୍ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ପୂରଣ ହେବ ବିକଶିତ ଭାରତର ସ୍ୱପ୍ନ । ଆଉ ଓଡ଼ିଶାର ଫଳାଫଳ ବିକଶିତ ଭାରତର ସ୍ୱପ୍ନକୁ ଦେବ ନୂଆ ଗତି ।

ଆଜି ନୂଆଦିଲ୍ଲୀରେ ଏନଡିଏ ସଂସଦୀୟ ଦଳର ନେତା ନିର୍ବାଚିତ ହେବା ପରେ, ଅଂଶୀଦାର ଦଳମାନଙ୍କୁ ସମ୍ବୋଧନ କରି କେନ୍ଦ୍ର ସରକାରଙ୍କ ଫୋକସ ଓଡ଼ିଶା ଦୃଷ୍ଟିଭଙ୍ଗୀକୁ ଆହୁରି ଅଧିକ ଉଜ୍ଜୀବିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ଘନ ଘନ ପ୍ରଚାରରେ ଆସି, ରାଜ୍ୟର ବିକାଶକୁ ନୂଆ ଶିଖରରେ ପହଞ୍ଚାଇବାର ପ୍ରତିଶ୍ରୁତି ଦେଇଥିଲେ ମୋଦି ।

ଆଉ ଏବେ ନିଜ ତୃତୀୟ ଇନିଂସ ଆରମ୍ଭ କରିବା ଅବ୍ୟବହିତ ପୂର୍ବରୁ ଏନଡିଏ ସଂସଦୀୟ ଦଳ ବୈଠକରେ ମଧ୍ୟ ଓଡ଼ିଶାର ଗୁରୁତ୍ୱକୁ ସଂସଦ ଭବନରେ ସର୍ବ ସମ୍ମୁଖରେ ମନ ପକାଇବାକୁ ଭୁଲି ନଥିଲେ । ନିଜ ଅଭିଭାଷଣରେ ଚଳିତ ନିର୍ବାଚନରେ ଓଡିଶାର ରାଜନୈତିକ କ୍ଷେତ୍ରରେ ଆସିଥିବା ପରିବର୍ତ୍ତନକୁ ବୈପ୍ଳବିକ ବୋଲି ଦର୍ଶାଇଥିଲେ ମୋଦି ।

ତା ସହ ମହାପ୍ରଭୁ ଜଗନ୍ନାଥଙ୍କୁ ଗରିବଙ୍କ ଦେବତା ବୋଲି ସମ୍ବୋଧନ କରି ଜଗନ୍ନାଥଙ୍କ ଅପାର ମହିମାର ଗୁଣଗାନ ମଧ୍ୟ କରିଥିଲେ । ୨୪ ନିର୍ବାଚନରେ NDAର ମହାବିଜୟ ପରେ ଆଜି ସମ୍ବିଧାନ ଭବନରେ ଏକାଠି ହୋଇଥିଲେ ଏନଡିଏର ସମସ୍ତ ନବ ନିର୍ବାଚିତ ସାଂସଦ, ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅଂଶୀଦାର ଦଳଗୁଡ଼ିକର ସଭାପତି ଓ ଅନ୍ୟ ପ୍ରମୁଖ ନେତା ।

ବୈଠକରେ ରାଜନାଥ ସିଂ, ଏନଡିଏର ସଂସଦୀୟ ଦଳ ନେତା ଭାବେ ମୋଦିଙ୍କ ନା ପ୍ରସ୍ତାବ ରଖିଥିଲେ । ପରେ ନୀତିନ ଗଡ଼କରୀ, ଜେଡିୟୁ ମୁଖ୍ୟ ନୀତିଶ କୁମାର, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଓ ଶିବସେନା ମୁଖ୍ୟ ଏକନାଥ ସିନ୍ଦେ ଓ ଅନ୍ୟ ସହଯୋଗୀ ଦଳର ମୁଖିଆମାନେ ଏ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ ।

ଏହି ଅବସରରେ ମୋଦି କହିଥିଲେ, ଯେ ସରକାର ଚଳାଇବାକୁ ବହୁମତ ଆବଶ୍ୟକ । କିନ୍ତୁ ଦେଶ ଚଳାଇବାକୁ ସର୍ବମତର ବହୁତ ଆବଶ୍ୟକତା ରହିଛି । ଏନଡିଏକୁ ପାଖାପାଖି ୩ ଦଶନ୍ଧି ପୂରଣ ହୋଇଥିବା ବେଳେ ଦେଶର ଏହା ସବୁଠୁ ସଫଳ ମେଣ୍ଟ ବୋଲି କହିଥିଲେ । ତାସହ ଏନଡିଏକୁ ନୂଆ ଭାରତ, ବିକଶିତ ଭାରତ ଓ ଆକାଂକ୍ଷୀ ଭାରତ ବୋଲି ଅଭିହିତ କରିଥିଲେ ପ୍ରଧାନମନ୍ତ୍ରୀ ।

ଅନ୍ୟପଟେ ବିରୋଧୀଙ୍କୁ ପଛୁଆ ଚିନ୍ତାଧାରା ଓ ଆଧୁନିକତାର ବିରୋଧୀ ବୋଲି କହି ଆଧାର, ଡିଜିଟାଲ୍ ପେମେଣ୍ଟ, ଇଭିଏମକୁ ଯେଉଁ ବିରୋଧାଭାସ ହେଉଥିଲା, ସେ କଥାକୁ ମନେ ପକାଇ ଦେଇଥିଲେ । ଆଜି ଏନଡିଏର ସଂସଦୀୟ ଦଳ ବୈଠକକୁ ଆସିବା ପରେ ପ୍ରଥମେ ସମ୍ବିଧାନ ପୁସ୍ତିକାକୁ ମୁଣ୍ଡରେ ମାରି ଆସନ ଗ୍ରହଣ କରିଥିଲେ ମୋଦି ।

ବୈଠକ ପରେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟିଥିଲେ । ପରେ ଦଳର ଅନ୍ୟତମ ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀ ଓ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ।

  • Reported by:
  • SIBANANDA ROUT

OTV is now on Whatsapp

Join and get latest news update delivered to you via whatsapp

Join Now