• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଭାରତ ଗସ୍ତରେ ଆସିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା । ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ମୋଦି ଓ କିଶିଦାଙ୍କ ମଧ୍ୟରେ ହୋଇଛି ଆଲୋଚନା । ପ୍ରତିରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଓ ଜାପାନ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ମୋଦି-କିଶିଦା ଆଲୋଚନାରେ ଚୀନ୍ କାର୍ଯ୍ୟକଳାପ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିବା କୁହାଯାଉଛି ।

ଜାପାନ G-7ର ଅଧ୍ୟକ୍ଷତା କରୁଥିବାବେଳେ G-20ର ଅଧ୍ୟକ୍ଷତା କରୁଛି ଭାରତ । ତେଣୁ ଉଭୟ ଦେଶ ମିଶି ଅନ୍ତର୍ଜାତୀୟ ସମୁଦାୟର ବିକାଶ ଲାଗି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହାପରେ ଉଭୟେ ବୁଦ୍ଧ ଜୟନ୍ତୀ ପାର୍କ ଅଂଚଳ ବୁଲି ଦେଖିଥିଲେ । ଏହି ସମୟରେ ମୋଦି ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଗୁପଚୁପ୍ ଖୁଆଇଥିଲେ । ଭାରତର ଏହି ସ୍ୱାଦିଷ୍ଠ ଓ ପରିଚିତ ସ୍ୱାଦକୁ ଚାଖିବାକୁ କହିଥିଲେ ମୋଦି ।

ଜାପାନ ପ୍ରଧାନମନ୍ତ୍ରୀ ଗୋଟିଏ ଗୁପଚୁପ୍ ଖାଇବା ପରେ ଆଉ ଗୋଟେ ମାଗିକି ବି ଚାଖିଥିଲେ । ଏହି ଚଟପଟା ସ୍ୱାଦ ତାଙ୍କୁ ବେଶ୍ ପ୍ରଭାବିତ କରିଥିଲା । ଏହାପରେ ଉଭୟ ନେତା ଚା’ ପିଇବା ସହ ପାର୍କକୁ ବୁଲି ଦେଖିଥିଲେ । ଏହାର ଏକ ଭିଡିଓ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । କ୍ୟାପସନରେ ବନ୍ଧୁଙ୍କ ସହ ପାର୍କ ବୁଲିଥିବା ଲେଖିଛନ୍ତି ମୋଦି ।

ଭିଡିଓଟି ୨ମିନିଟ୍‌ ୫୯ ସେକେଣ୍ଡର ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ବୁଦ୍ଧ ଜୟନ୍ତୀ ପାର୍କରେ ବୁଲୁଥିବା ଦେଖିବାକୁ ମିଳିଛନ୍ତି । ଖାଲି ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ବୁଦ୍ଧ ଜୟନ୍ତୀ ପାର୍କରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ସହ କିଛି ଆଲୋଚନା ମଧ୍ୟ କରୁଛନ୍ତି । ପରେ ପରେ ଗୁପ୍‌ଚୁପ୍‌ ଖାଇବା ସହ ଚା’ ପିଉଛନ୍ତି ଦୁଇ ପ୍ରଧାନମନ୍ତ୍ରୀ ।