Odisha Politics: ଓଡ଼ିଶା ରାଜନୀତିରେ ବ୍ୟକ୍ତଗତ ସଚିବ ଓ ଏହାର ରାଜନୈତିକ ପ୍ରଭାବ 

୧୯୯୦ରୁ ୧୯୯୫ ଯାଏଁ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ଥିଲେ ୧୯୬୩ ବ୍ୟାଚ୍ ଆଇଏଏସ୍ ଅଫିସର ପ୍ୟାରୀମୋହନ ମହାପାତ୍ର । ଆଉ ଏହା ପରଠାରୁ ୧୯୯୭ରେ ବିଜୁ ଜନତା ଦଳ (ବିଜେଡି)ର ଗଠନରୁ ଆରମ୍ଭ କରି ୨୦୧୨ ପର୍ଯ୍ୟନ୍ତ ଓଡିଶା ରାଜନୀତିରେ ସେ ଥିଲେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ । ସେ ଦଳର ପରାମର୍ଶଦାତା ଥିଲେ ମଧ୍ୟ ବିଜେଡି ସରକାରରେ ଦ୍ୱିତୀୟ କ୍ଷମତାକେନ୍ଦ୍ର ଭାବରେ ବିବେଚନା କରାଯାଉଥିଲା । 

ରାଜନୀତିରେ PSଙ୍କ ପ୍ରବେଶ

ଗତ ସରକାରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ କେନ୍ଦ୍ରକରି ଯେଉଁସବୁ ଘଟଣାମାନ ଘଟିଲା ଏବଂ ଏକ ରାଜନୈତିକ ଆଲୋଡନ ପରେ ସରକାର ବଦଳିଲା, ଏବେ ସେହି ପଦବୀଟି ଉପରେ ରାଜନୀତିର ଦୃଷ୍ଟି କେନ୍ଦ୍ରୀଭୂତ ହୋଇଛି। ଯାହାଦ୍ୱାରା ଓଡିଶାରେ ପ୍ରଥମକରି ବିଜେପି ସରକାର ଗଠନ ହେବାର ସାତମାସ ନପୁରୁଣୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବଙ୍କ ବଦଳି ଚର୍ଚ୍ଚା ସାମ୍ନାକୁ ଆସିଛି ।

ଅଧିକ ପଢ଼ନ୍ତୁ : କଟକ ବିଜେଡିକୁ ଡେଇଁଲା ଅନ୍ତଃକନ୍ଦଳ ! ଦଳରେ କିଏ ରାବଣ ଓ କଂସ, ବଢ଼ିଲା ଚର୍ଚ୍ଚା

ସେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କାର୍ଯ୍ୟକାଳରେ ଦିଲ୍ଲୀପ ମହାନ୍ତି ହୁଅନ୍ତୁ ଅବା ବିଜୁ ପଟ୍ଟନାୟକଙ୍କ ସମୟରେ ଗୌର ମୋହନ ଷଡଙ୍ଗୀ, ବିଭିନ୍ନ ସରକାରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିଜ ନିଜ ଦାୟିତ୍ୱ ତୁଲାଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକାଳରେ ପ୍ରଶାସନିକ ଅଧିକାରୀ ବିଶେଷ କରି ବ୍ୟକ୍ତିଗତ ସଚିବଙ୍କୁ ଯେଉଁଭଳି ‘ସର୍ବେସର୍ବା’ ଭାବରେ ବିବେଚନା କରିବା ଦେଖାଗଲା, ଏହାକୁ ନେଇ ରାଜନୀତିରେ ଆଲୋଡନ ହେଲା ଏବଂ ଏହି ପଦବୀ ରାଜନୈତିକ  ଦୃଷ୍ଟିକୁ କେନ୍ଦ୍ରୀଭୂତ କଲା l 

୧୯୯୦ ସାଧାରଣ ନିର୍ବାଚନରେ ପିଏସ୍: 

୧୯୮୫ରୁ ୧୯୯୩ ଯାଏଁ ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଥିଲେ ଗୌର ମୋହନ ଷଡଙ୍ଗୀ । ୧୯୯୦ ସାଧାରଣ ନିର୍ବାଚନ ପରିଚାଳନା କ୍ଷେତ୍ରରେ ତାଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଶ୍ରୀ ଷଡଙ୍ଗୀଙ୍କ ଅବଦାନ ଫଳରେ ନିର୍ବାଚନରେ ଜନତା ଦଳ ବିପୁଳ ଭୋଟରେ (୫୩.୭%) ବିଜୟଲାଭ କରିଥିଲା । ଦଳ ୧୪୭ଟି ବିଧାନସଭା ଆସନ ମଧ୍ୟରୁ ୧୨୩ଟି ଆସନ ଦଖଲ କଲା ଏବଂ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୮୭ ବର୍ଷ ବୟସରେ ଗତ ୨୨ ଜୁଲାଇ ୨୦୨୨ରେ ଶ୍ରୀ ଷଡଙ୍ଗୀଙ୍କ ପରଲୋକ ଘଟିଥିଲା । 

ବିଜୁ ସରକାରରେ ପ୍ୟାରୀ: 

୧୯୯୦ରୁ ୧୯୯୫ ଯାଏଁ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ଥିଲେ ୧୯୬୩ ବ୍ୟାଚ୍ ଆଇଏଏସ୍ ଅଫିସର ପ୍ୟାରୀମୋହନ ମହାପାତ୍ର । ଆଉ ଏହା ପରଠାରୁ ୧୯୯୭ରେ ବିଜୁ ଜନତା ଦଳ (ବିଜେଡି)ର ଗଠନରୁ ଆରମ୍ଭ କରି ୨୦୧୨ ପର୍ଯ୍ୟନ୍ତ ଓଡିଶା ରାଜନୀତିରେ ସେ ଥିଲେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ । ସେ ଦଳର ପରାମର୍ଶଦାତା ଥିଲେ ମଧ୍ୟ ବିଜେଡି ସରକାରରେ ଦ୍ୱିତୀୟ କ୍ଷମତାକେନ୍ଦ୍ର ଭାବରେ ବିବେଚନା କରାଯାଉଥିଲା ।

ନବୀନଙ୍କ ପ୍ରଥମ ସରକାରରେ “ବେନୁବାବୁ”: 

ତେବେ ୨୦୦୦ ମସିହାରେ ନବୀନ ପଟ୍ଟନାୟକ ଯେତେବେଳେ ପ୍ରଥମ କରି ମୁଖ୍ୟମନ୍ତ୍ରୀ ହୋଇଥିଲେ ସେହି ସମୟରେ ତାଙ୍କର ବ୍ୟକ୍ତିଗତ ସଚିବ ଥିଲେ ବେଣୁଧର ମିଶ୍ର ଏବଂ ପ୍ରମୁଖ ସଚିବ ଥିଲେ ସନ୍ତୋଷ ଶତପଥୀ । ପାୱାର କରିଡରରେ ଶ୍ରୀ ମିଶ୍ର “ବେନୁବାବୁ” ଭାବେ ବେଶ୍ ପରିଚିତ ଥିଲେ ଯିଏ କି ବିଜେଡି ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ମୁଖ୍ୟ ଲିଙ୍କର ଦାୟିତ୍ୱ ତୁଲାଉଥିଲେ । ଅବସରପ୍ରାପ୍ତ ଆଇଏଏସ୍ ଅଫିସର ପ୍ୟାରୀ ମହାପାତ୍ର ଉଭୟ ରାଜନୈତିକ ଏବଂ ପ୍ରଶାସନିକ ପ୍ରସଙ୍ଗରେ ସବୁ ବୁଝୁଥିଲେ ମଧ୍ୟ ଏହି ବରିଷ୍ଠ ଅଫିସରଙ୍କ ଯୋଡି ୨୦୦୪ ଯାଏଁ ପାୱାର କରିଡରରେ ଚର୍ଚ୍ଚାରେ ରହିଥିଲା । ଆଉ ଏହା ପରେ ପ୍ରଶାସନିକସ୍ତରରେ ଏକ ବଡ଼ ପରିବର୍ତ୍ତନ ଘଟିଲା l 

ପରବର୍ତ୍ତୀ ସମୟରେ ପ୍ରମୋଦ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଏବଂ ୧୯୭୬ ବ୍ୟାଚ ଆଇଏଏସ୍ ଅଫିସର ବିଜୟ କୁମାର ପଟ୍ଟନାୟକ ପ୍ରମୁଖ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କଲେ । ୨୦୦୪ରୁ ୨୦୧୦, ଦୀର୍ଘ ୬ ବର୍ଷ ଧରି ସେ ଶ୍ରୀ ପଟ୍ଟନାୟକ ଏହି ପଦବୀରେ ରହିଥିଲେ । 

 ପ୍ରତ୍ୟକ୍ଷ ରାଜନୀତିରେ ପ୍ରମୁଖ ସଚିବ: 

ଏକଦା ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ଦାୟିତ୍ୱ ନିର୍ବାହ କରିଥିବା ପ୍ୟାରୀମୋହନ ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରିନ୍ସପାଲ ସେକ୍ରେଟାରୀ ଥିବା ବିଜୟ କୁମାର ପଟ୍ଟନାୟକ ପରବର୍ତ୍ତୀ ସମୟରେ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇଲେ । ତେବେ ମଇ ୨୦୧୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜସ୍ୱ ଜିଲ୍ଲା ଗଞ୍ଜାମ ଜିଲ୍ଲାପାଳ ଥିବା ୨୦୦୦ ବ୍ୟାଚ୍ ଆଇଏଏସ୍ ଅଫିସର ଭି.କେ. ପାଣ୍ଡିଆନ ତାଙ୍କ ବ୍ୟକ୍ତିଗତ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । 

ପାୱାର କରିଡରରେ ପାଣ୍ଡିଆନଙ୍କ ଏଣ୍ଟ୍ରି:

୨୦୦୦ରୁ ଲଗାତାର ଭାବେ ବିଜେଡି କ୍ଷମତାରେ ରହି ଆସିବା ପଛରେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଶ୍ରୀ ମହାପାତ୍ରଙ୍କ ବିଶେଷ ଅବଦାନ ଥିଲା ଯାହା ଜୁନ ୨୦୧୨ ଏକ ଘଟଣା କ୍ରମରେ ଦଳରୁ  ସମ୍ପର୍କ ଚ୍ଛିନ୍ନ ହେଲା । ଯାହାଫଳରେ ୨୦୧୪ ନିର୍ବାଚନ ଜିତିବା ନବୀନଙ୍କ ପାଇଁ ଥିଲା ବଡ ଆହ୍ୱାନ । କରଣ ବିଜେଡି ଗଠନ ହେବା ପରଠାରୁ ଦଳ ତିନି ତିନିଟି ନିର୍ବାଚନ ଜିତିବାରେ ଶ୍ରୀ ମହାପାତ୍ରଙ୍କ ସବୁଠାରୁ ବଡ଼ ଭୂମିକା ରହିଥିଲା l ତାଙ୍କୁ ରାଜନୀତିର ଚାଣକ୍ୟ ଭାବରେ ଅଭିହିତ କରାଯାଉଥିଲା l ଦଳର ଏଭଳି ସମୟରେ 'ସଙ୍କଟମୋଚକ' ଭାବେ କାର୍ଯ୍ୟ କଲେ  ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଦାୟିତ୍ୱରେ ରହି କେବଳ କ୍ରାଇସିସ୍ ମ୍ୟାନେଜ କରିବା ନୁହେଁ, ଦଳକୁ ଅଧିକ ଶକ୍ତିଶାଳୀ, ସଙ୍ଗଠନ ମଜବୁତ ଏବଂ ନବୀନଙ୍କୁ ଅଧିକ ଲୋକପ୍ରିୟ କ୍ଷେତ୍ରରେ ତାଙ୍କର ରଣକୌଶଳ ଚର୍ଚ୍ଚାକୁ ଆସିଲା । 

ବ୍ୟକ୍ତିଗତ ସଚିବଙ୍କୁ ନେଇ ରାଜନୈତିକ ଝଡ଼: 

ଓଡ଼ିଶା ରାଜନୀତିରେ ଅଫିସରଙ୍କ ସମ୍ପୃକ୍ତିକୁ ନେଇ ଅତୀତରେ ଯେତେ ସବୁ ଚର୍ଚ୍ଚା ଆଲୋଚନା ଓ ଆଲୋଡନ ହୋଇଛି ସେ ସବୁର ରେକର୍ଡ ଭାଙ୍ଗିଲା ୨୦୧୯ରୁ ୨୦୨୪ ମଧ୍ୟରେ ଦେଖାଦେଇଥିଵା ଘଟଣା! ବ୍ୟକ୍ତିଗତ ସଚିବଙ୍କୁ ଅପାର କ୍ଷମତା ଦେବା, '୫ଟି' ମୋ ସରକାର ନାମରେ ଏକ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇ ସମସ୍ତ ବିଭାଗକୁ ତା ସହିତ ଯୋଡିବା ଏବଂ ବ୍ୟକ୍ତିଗତ ସଚିବଙ୍କୁ ଏହାର ସଚିବ କରିବା, ସବୁ ବିଭାଗ ବ୍ୟବସ୍ଥା ତାଙ୍କ ପାଖରେ ଉତ୍ତରଦାୟୀ ରହିବା, ରାଜ୍ୟସାରା ଉଡାଣଗସ୍ତ କରି କାର୍ଯ୍ୟକ୍ରମ କରିବା ଏବଂ ଏକାକୀ ସଭାମଞ୍ଚ ସମ୍ବୋଧନ କରିବା, ତାଙ୍କ ସଭା ପାଇଁ ଦଳର ବିଧାୟକ ମନ୍ତ୍ରୀ ଆଦି ମଞ୍ଚ ପ୍ରସ୍ତୁତ କରିବା ଏ ସବୁ ଘଟଣା ରାଜ୍ୟ ରାଜନୀତିରେ ଏକ ଝଡ଼ ସୃଷ୍ଟି କଲା l

କିଏ କହିଲା ଦ୍ଵିତୀୟ କ୍ଷମତାକେନ୍ଦ୍ର, ଉତ୍ତରାଧିକାରୀ ଆଉ କିଏ କହିଲା ସୁପରଚିଫମିନିଷ୍ଟର; ବ୍ୟକ୍ତିଗତ ସଚିବଙ୍କୁ କେନ୍ଦ୍ରକରି ବିରୋଧୀଦଳଗୁଡିକ ଟାର୍ଗେଟ ଉପରେ ଟାର୍ଗେଟ କଲେ l ଦଳଭିତରେ ବ୍ୟାପକ ଅସନ୍ତୋଷ ଦେଖାଗଲା l ଆଉ ଶେଷରେ ପ୍ରଶାସନିକ ପଦରୁ ଇସ୍ତଫା ଦେଇ  ପାଣ୍ଡିଆନ ଶାସକ ଦଳ ବିଜେଡିରେ ଯୋଗ ଦେଲେ ଯାହାକୁ ବିରୋଧୀ 'ରାଜନେତିକ ସଫ୍ଟଲାଣ୍ଡିଂ' ବୋଲି କହି ସମାଲୋଚନା କଲେ l ତେବେ ଦଳରେ ଯୋଗ ଦେବା ପରେ ୨୦୨୪ ନିର୍ବାଚନ ପରିଚାଳନା ଦାୟିତ୍ୱ ନେବା, ଦଳୀୟ ଟିକେଟ ବଣ୍ଟନରେ ବ୍ୟାପକ ଅସନ୍ତୋଷ ଓ କନ୍ଦଳ ବ୍ୟାପକ ହେବା ଏବଂ ପରିଶେଷରେ ୨୪ ବର୍ଷର କ୍ଷମାତାସୀନ ଦଳକୁ ପରାଜୟ ସ୍ୱୀକାର କରିବାକୁ ପଡ଼ିଲା l 

ନୂଆ ସରକାରରେ ପୁରୁଣା ଚର୍ଚ୍ଚା !

୨୦୨୪ ନିର୍ବାଚନରେ ପ୍ରଥମ କରି ରାଜ୍ୟ କ୍ଷମତକୁ ଆସିଥିବା ବିଜେପିର ମୋହନ ସରକାରରେ ସାତ ମାସ ନପୂରୁଣୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅରିନ୍ଦମ ଡାକୁଆଙ୍କୁ ପୌର ପ୍ରଶାସକ ଭାବେ ବଦଳି ଏବଂ ତାଙ୍କ ସ୍ଥାନରେ ୨୦୦୬ ବ୍ୟାଚ୍ ଏଜିଏମୟୁଟି କ୍ୟାଡ଼ରର ଆଇଏଏସ୍ ମନୋଜ କୁମାର ସାହୁଙ୍କୁ କେନ୍ଦ୍ରରୁ ଆଣି ନିଯୁକ୍ତି ଦେବା ଘଟଣା ଚର୍ଚ୍ଚାକୁ ଆସିଛି । ଅତୀତରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପ୍ରାୟ ବର୍ଷ ବର୍ଷ ଧରି କାର୍ଯ୍ୟ ତୁଲାଇ ଆସିବାର ବିଶେଷ ନଜିର ରହିଛି l ଯେହେତୁ ବିଦାୟୀ ସରକାରରେ ବ୍ୟକ୍ତିଗତ ସଚିବଙ୍କୁ କେନ୍ଦ୍ର କରି ରାଜନୀତିରେ ଏତେ ସବୁ ଘଟଣା ଘଟିଥିଲା, ବର୍ତ୍ତମାନ ସରକାରରେ ନୂଆବର୍ଷ ଆରମ୍ଭରୁ ସଚିବସ୍ତରରେ ପରିବର୍ତ୍ତନ ଏବଂ ବ୍ୟକ୍ତିଗତ ସଚିବଙ୍କ ଅଚାନକ ବଦଳି ଚର୍ଚ୍ଚା ପରିସରକୁ ଆଣିଛି l ତେବେ ଏହା ପରେ ଆଗକୁ ଆଉ କି ଏକ ବଡ଼ ପରିବର୍ତ୍ତନ ହେଉଛି, ତା’ ଉପରେ ଅଛି ସମସ୍ତଙ୍କ ନଜର।

ଅଧିକ ପଢ଼ନ୍ତୁ : ବିଜେଡିର ପ୍ରାୟୋଜିତ ଥିଲା କି ନବୀନଙ୍କ ବିଲ ବୁଲା ? ଚାଷୀଙ୍କ କାନ୍ଦ ପରେ ହସର ଭାଇରାଲ ଭିଡିଓକୁ ନେଇ ଟ୍ରୋଲ୍...