Advertisment

ଥମୁନି NAC ଦାବି ନିଆଁ... ପ୍ରତିଶ୍ରୁତି ଦେଇ ଭଣ୍ଡେଇ ଦେଲେ ସରକାର !

ଆଗକୁ ବଙ୍ଗୋମୁଣ୍ଡା-ସୁବଳୟା ଓ ବାମରାରେ ବି ହେବ ଆନ୍ଦୋଳନ । ଆଳି ଓ ଖଇରାରେ ବି ତେଜିଲାଣି ଅସନ୍ତୋଷ ।

author-image
Satyendu Shekher Mishra
undefined

NAC Issue

ଗର୍ଜୁଛନ୍ତି ଜନତା... କୁହୁଳୁଛି ଜନ ଅସନ୍ତୋଷ...। ବନ୍ଦ-ଘେରାଉ ସହ ଭୋଟ୍ ବର୍ଜନ ଓ ଆଇନ ଅମାନ୍ୟର ଧମକ...। ଆଉ ତା ସହ କୁଶପୁତ୍ତଳିକା ଦାହ । ରାଜ୍ୟ ସରକାରଙ୍କ ୩୫ ନୂଆ NAC ଘୋଷଣା ପରେ, ଯେଉଁଭଳି ଭାବେ ଅନ୍ୟ ଆଶାୟୀ NACରେ ବିରୋଧର ସ୍ୱର ତେଜୁଛି, ପ୍ରଶ୍ନ ଉଠୁଛି-ଶାସକ ଦଳ ପାଇଁ ବୁମେରାଂ ହେବନି ତ 'NAC' ନିର୍ବାଚନୀ ଥୋପ ?

Advertisment

ଆଚରଣ ବିଧି ଲାଗୁ ପୂର୍ବରୁ ତରବରିଆ ଭାବେ ଘୋଷଣା କରିନାହାନ୍ତି ତ ସରକାର ? ଯୋଗ୍ୟତା ଓ ଆବଶ୍ୟକତା ଭିତ୍ତିରେ ଘୋଷଣା ହୋଇଛି, ନା ଖାଲି ଭୋଟ୍ ପାଇଁ ? ପାତରଅନ୍ତର ଅଭିଯୋଗରେ କୁହୁଳୁଥିବା ଅସନ୍ତୋଷକୁ କିପରି ପ୍ରଶମିତ କରିବେ ସରକାର ? ବୌଦ୍ଧ ଜିଲ୍ଲା ମନମୁଣ୍ଡାରେ ଚକ ଅଖ ବନ୍ଦ, ଦୋକାନ ବଜାର ସଟର୍ ଡାଉନ୍। ବାରମ୍ବାର ଦାବି ଏବଂ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ସତ୍ତ୍ୱେ, ମନମୁଣ୍ଡା ଏନଏସି ତାଲିକାରୁ ବାଦ୍ ପଡ଼ିଥିବାରୁ ମଙ୍ଗଳବାର ବନ୍ଦ ଡାକରା ଦେଇଥିଲା କ୍ରିୟାନୁଷ୍ଠାନ କମିଟି।

ହେଲେ ଗତକାଲି ଅଚାନକ ବୀରମହାରାଜପୁରକୁ NAC ମାନ୍ୟତା ମିଳିବା ପରେ, ମନମୁଣ୍ଡାରେ ଆଜି ସକାଳୁ ୧୨ ଘଣ୍ଟିଆ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଫଳରେ ଦୋକାନ ବଜାର ଓ ବିଭିନ୍ନ ଘରୋଇ ଅନୁଷ୍ଠାନରେ ତାଲା ଝୁଲିଥିବା ବେଳେ, ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ମୋଟର ଅଟକି ରହିଛି ।

Advertisment

ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଓ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟାରେ ବି ତୀବ୍ର ସରକାର ବିରୋଧୀ ଅସନ୍ତୋଷ । NAC ଘୋଷଣା ଦାବିରେ ଏହି ଦୁଇଟି ସ୍ଥାନରେ ଆସନ୍ତାକାଲି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର ଜିଲ୍ଲା ବାମରାରେ ବି ସମାନ ଦାବି ନେଇ, ୨୮ ତାରିଖରେ ୧୨ ଘଣ୍ଟିଆ ବନ୍ଦ ପାଳିବେ ସ୍ଥାନୀୟ ଜନତା ।

ତେଣେ ବାଲେଶ୍ୱର ଜିଲ୍ଲା ଖଇରାରେ ଉଭୟ ବିଜେପି ଓ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି, ରାଜ୍ୟ ସରକାରଙ୍କ ସହ ସ୍ଥାନୀୟ ବିଜେଡି ବିଧାୟକଙ୍କୁ ଟାର୍ଗେଟ୍ କରିଛନ୍ତି। ୩୭ଟି ପଞ୍ଚାୟତ ଥିବା ଖଇରା ବ୍ଲକ୍ NAC ପାଇଁ ଅଧିକ ଯୋଗ୍ୟ ଥିବା ସତ୍ତ୍ୱେ, ବିଧାୟକଙ୍କ ଘର ସିମୁଳିଆ ହୋଇଥିବାରୁ ସେ ସୁପାରିଶ କରି ସିମୁଳିଆକୁ NAC ଘୋଷଣା କରାଇଥିବା ଅଭିଯୋଗ ହୋଇଛି । ତେବେ ଏନେଇ ବିଜେଡି କିମ୍ବା ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ସେପଟେ ବିଜେଡିର ବୈମାତୃକ ମନୋଭାବ ଯୋଗୁଁ ଆଳି ଓ କନିକା NAC ଘୋଷଣା ହୋଇନଥିବା ଅଭିଯୋଗ କରି, ମୁଖ୍ୟମନ୍ତ୍ରୀ ଏବଂ ଶକ୍ତିମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଦେବଙ୍କ କୁଶପୁତ୍ତଳିକା ଜାଳିଛି କଂଗ୍ରେସ।

ଏସବୁ ଭିତରେ ବିଜେପି ଆଣିଛି ଆଉ ଏକ ଗୁରୁତର ଅଭିଯୋଗ। ଜନଶୁଣାଣି ନକରି ଏଭଳି NAC ଘୋଷଣା ଅସାମ୍ବିଧାନିକ, ଅଗଣତାନ୍ତ୍ରିକ ଓ ବେଆଇନ ବୋଲି କହିଛନ୍ତି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ। ଏଭଳି ନିଷ୍ପତ୍ତି ସଂପର୍କରେ, ନିର୍ବାଚନ କମିଶନଙ୍କୁ ଅବଗତ କରିବ ବିଜେପି ଏବଂ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେବ ବୋଲି ସେ କହିଛନ୍ତି।

BJD BJP Congress Odisha Politics
Advertisment
Advertisment