• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହୋହାଲ୍ଲା, ନାରାବାଜି, ସ୍ଲୋଗାନ । ଚାଷୀ ସମସ୍ୟାକୁ ନେଇ ହୁଲସ୍ତୁଲ ବିଧାନସଭା ପ୍ରଶ୍ନକାଳ । ବିଜେପି, କଂଗ୍ରେସ ଓ ବିଜେଡି ସଦସ୍ୟଙ୍କ ପାଟିତୁଣ୍ଡରେ କମ୍ପିଲା ଗୃହ । ବାଚସ୍ପତି ଚେୟାରରେ ବସୁ ବସୁ ହଟ୍ଟଗୋଳ ଆରମ୍ଭ କରି ଦେଇଥିଲେ ୩ ଦଳର ସଦସ୍ୟ । ଫଳରେ ଗୃହକୁ ମୁଳତବୀ ରଖିଥିଲେ ବାଚସ୍ପତି । ଶାସକ ଦଳ ସଦସ୍ୟ ଗାନ୍ଧି ମୂର୍ତ୍ତି ନିକଟରେ ଧାରଣା ଦେଇଥିବା ବେଳେ ବିଧାନସଭା ପରିସରରେ ପୋଷ୍ଟର ଓ ବ୍ୟାନର ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲା ବିଜେପି ।

ଦିନ ସାଢେ ୧୧ଟା ଯାଏଁ ଦୁଇ ଦଳ ମଧ୍ୟରେ ଚାଲିଥିଲା ଏଭଳି ପ୍ରତିଯୋଗିତା । ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ପୁଣି ଦେଖିବାକୁ ମିଳିଥିଲା ସମାନ ସିନ୍ । ଫଳରେ ଗୃହ ଚାଲିପାରିନଥିଲା । ଏହାପରେ ରାଜଭବନ ଅଭିମୂଖେ ଶୋଭାଯାତ୍ରାରେ ବାହାରିଥିଲେ ବିଜେଡି ସଦସ୍ୟ । ଚାଷୀଙ୍କ ପ୍ରତି କେନ୍ଦ୍ର ସରକାର ଅବହେଳା କରିଥିବା ଦର୍ଶାଇ ରାସ୍ତାରେ ଗର୍ଜିଥିଲେ । ରାଜ୍ୟପାଳଙ୍କୁ ଭେଟି ଦଳ ପକ୍ଷରୁ ଦାବିପତ୍ର ବି ଦେଇଥିଲେ ।

ଠିକ୍ ଏଇ ସମୟରେ ବିଜେପି ସଦସ୍ୟମାନେ ବି ଆରମ୍ଭ କରିଥିଲେ ପଦଯାତ୍ରା । ଲୋୟର ପିଏମ୍‌ଜି ସତ୍ୟାଗ୍ରହସ୍ଥଳକୁ ଚାଲିଚାଲି ଯାଇଥିଲେ ଦଳୀୟ ବିଧାୟକ । ସେଠାରେ ଧାରଣା ଦେବା ସହ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ଏମ୍ଏସ୍‌ପି, ଫସଲ ବୀମା ଯୋଜନାରେ କେନ୍ଦ୍ର ବୀମା ଟଙ୍କା ହଡ଼ପ, ସାର ଅଭାବ, ଉଷୁନା ଚାଉଳରେ ଏଫ୍‌ସିଆଇର ପାତରଅନ୍ତର ନୀତି ନେଇ ବିଜେଡି କେନ୍ଦ୍ରକୁ ଟାର୍ଗେଟ କରିଥିବା ବେଳେ ମଣ୍ଡି ଅବ୍ୟବସ୍ଥା, ଇନ୍‌ପୁଟ୍ ସବସିଡି ପ୍ରଦାନରେ ବିଲମ୍ବ ଓ ଫସଲ ବୀମା କାର୍ଯ୍ୟକାରୀରେ ସରକାରଙ୍କ ବିଫଳତା ଓ ଚାଷୀଙ୍କୁ ଶହେ ଟଙ୍କା ବୋନସ୍ ନମିଳିବା ନେଇ ରାଜ୍ୟ ସରକାରଙ୍କ ଉପରେ ପ୍ରତି ଆକ୍ରମଣ କରିଥିଲା ବିଜେପି ।

କଂଗ୍ରେସ ମଧ୍ୟ ମଉକା ଛାଡି ନଥିଲା । ଚାଷୀ ପ୍ରସଙ୍ଗରେ ଉଭୟ କେନ୍ଦ୍ର-ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲା ।

ବହୁ ଚର୍ଚ୍ଚିଚ ଅର୍ଚ୍ଚନା ନାଗ ଘଟଣାକୁ ନେଇ ଗତକାଲି ଗୃହ କମ୍ପିଥିବା ବେଳେ ଆଜି ଦେଖିବାକୁ ମିଳିଥିଲା ଚାଷୀ ଝଡ଼ । ତେବେ ଅର୍ଚ୍ଚନା ପ୍ରସଙ୍ଗକୁ ଡାଇଭର୍ଟ ପାଇଁ ବିଜେଡି ଚାଷୀ ପ୍ରସଙ୍ଗ ଉଠାଇଥିବା ଅଭିଯୋଗ କରିଛନ୍ତି ବିଜେପି ଓ କଂଗ୍ରେସ ।

ବିଧାନସଭାରେ ଦେଖିବାକୁ ମିଳିଛି ପଦ୍ମପୁର ଉପନିର୍ବାଚନର ପ୍ରଭାବ । ଚାଷୀଙ୍କୁ ଆଳ କରି ସବୁ ଦଳ ରାଜନୈତିକ ଫାଇଦା ମାରିବା ଚକ୍କରରେ ଅଛନ୍ତି । ତେବେ ଚାବି ପଦ୍ମପୁର ଭୋଟରଙ୍କ ହାତରେ । ସେମାନଙ୍କ ମତ କାହା ସପକ୍ଷରେ ଯାଉଛି ତାହା ଫଳାଫଳ ହିଁ କହିବ ।