• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବିବାଦୀୟ କୋଟିଆରେ ସୁରୁଖୁରୁରେ କେମିତି ହେବ ପଂଚାୟତ ନିର୍ବାଚନ? ଜିଲ୍ଲା ପ୍ରଶାସନଠୁ ଆରମ୍ଭ କରି ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଘାରିଛି ଏହି ଚିନ୍ତା । କାରଣ ଅତୀତରେ ଆନ୍ଧ୍ର ଏଠାରେ ବାରମ୍ବାର ଅନୁପ୍ରବେଶ କରିବା ସହ ଗତବର୍ଷ ୩ଟି ଗାଁରେ ନିର୍ବାଚନ ମଧ୍ୟ କରାଇଥିଲା । ଏବେ ସେ ସବୁ ସ୍ଥାନରେ ପୁଣି ନିର୍ବାଚନ କରି ଆନ୍ଧ୍ରକୁ ମୁହଁତୋଡ଼ ଜବାବ ଦେବା ଲାଗି ଓଡ଼ିଶାକୁ ସୁଯୋଗ ମିଳିଛି । ତେଣୁ ପୁରା ଦମ୍‌ରେ ସେଠାରେ ନିର୍ବାଚନୀ ପ୍ରସ୍ତୁତି ଚାଲିଛି । ଆଶାୟୀମାନେ ପ୍ରାର୍ଥିପତ୍ର ଦାଖଲ କରୁଥିବା ବେଳେ ଆନ୍ଧ୍ରକୁ ଚେକ୍ ଦେବା ଲାଗି ସହମିତି ଭିତ୍ତିରେ ଟାଣୁଆ ପ୍ରାର୍ଥୀ ଦେବାକୁ ସର୍ବଦଳୀୟ ବୈଠକରେ ସହମତି ହୋଇଥିବା ଖବର ଆସିଛି ।

ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଥିବା ବିବାଦୀୟ କୋଟିଆ ପଂଚାୟତରେ ନିର୍ବାଚନ ଲାଗି ପ୍ରସ୍ତୁତି ଜୋରଦାର ହୋଇଛି । ଭୋଟରଙ୍କ ମଧ୍ୟରେ ବି ଉତ୍ସାହ କିଛି କମ୍ ନୁହେଁ । ଏଠାରେ ଫେବ୍ରୁଆରୀ ୧୮ରେ ଭୋଟ୍ ପଡ଼ିବ । ଆଉ ତା ପୂର୍ବରୁ କୋଟିଆ ପଂଚାୟତ କାର୍ଯ୍ୟାଳୟରେ ଚାଲିଛି ନାମାଙ୍କନପତ୍ର ଦାଖଲ । ଓ୍ୱାର୍ଡ ମେମ୍ବର ଓ ସରପଂଚ ପଦବୀ ଲାଗି ଆଶାୟୀମାନେ ପ୍ରାର୍ଥିପତ୍ର ଭରିଛନ୍ତି । ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଥିବାବେଳେ ଶେଷ ଖବର ଯାଏଁ ଓ୍ୱାର୍ଡ ମେମ୍ବର ଲାଗି ୫ଜଣ, ସମିତି ସଭ୍ୟ ଲାଗି ଜଣେ ଓ ସରପଂଚ ପଦବୀ ଲାଗି ମୋଟ୍ ୭ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । କୋଟିଆ ପଂଚାୟତରେ ୨୮ଟି ରାଜସ୍ୱ ଓ ୧୨ଟି ପଡ଼ା ଗାଁ ରହିଛି । ମୋଟ୍ ୧୩ଟି ଓ୍ୱାର୍ଡରେ ଭୋଟର ସଂଖ୍ୟା ୫ ହଜାରରୁ ଅଧିକ ପ୍ରାର୍ଥୀ ରହିଛନ୍ତି ।

ଗତବର୍ଷର ୨୦୨୧ ଫେବ୍ରୁଆରୀ ୧୩ ତାରିଖରେ କୋଟିଆ ପଂଚାୟତର ୩ଟି ଗାଁ ଫଗୁଣସିନାରୀ, ଫୋଟୁସିନାରୀ ଓ ନେରେଡିବାଲ୍ସାରେ ନିର୍ବାଚନ କରାଇଥିଲା ଆନ୍ଧ୍ର ପ୍ରଶାସନ । ସେହିଭଳି ଏପ୍ରିଲ୍ ୮ରେ ଜିଲ୍ଲା ପରିଷଦ ନିର୍ବାଚନ ହୋଇଥିଲା । ତେବେ ସେସବୁ ଗାଁ କୋଟିଆ ପଂଚାୟତ ଅଧୀନରେ ଥିବାରୁ ଓଡ଼ିଶା ପକ୍ଷରୁ ସେଠାରେ ନିର୍ବାଚନ କରାଯାଉଛି । ରାଜ୍ୟ ନିର୍ବାଚନ ଆୟୋଗ ମଧ୍ୟ କୋଟିଆରେ ଭୋଟ୍ ଲାଗି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ପର୍ଯ୍ୟାପ୍ତ ପୋଲିସ୍ ବ୍ୟବସ୍ଥା ସହ ସେଠାରେ ଭୋଟ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ଅବଦଲ୍ ଅଖ୍ତର୍‌ କହିଛନ୍ତି । ସେପଟେ ପୂର୍ବରୁ ଆନ୍ଧ୍ର ପକ୍ଷରୁ ଏଠାରେ ଜନ ପ୍ରତିନିଧି ବଛା ସରିଛି ଏବଂ ଏଥର ଅଧିକ ଆଶାୟୀ ପ୍ରାର୍ଥୀ ଥିବାରୁ ଏହାପଛରେ ଆନ୍ଧ୍ର ଷଡ଼ଯନ୍ତ୍ରର ବାସ୍ନା ବାରୁଛନ୍ତି ବୃଦ୍ଧିଜୀବୀ ।

ଆନ୍ଧ୍ର ଦ୍ୱାରା ନିର୍ବାଚନ ହେଉ କି ଅନୁପ୍ରବେଶ, କୋଟିଆ ପାଇଁ ଏକ ସ୍ୱରରେ ଲଢ଼ିଥିଲେ ବିଜେଡି, ବିଜେପି ଓ କଂଗ୍ରେସ୍ । ତେଣୁ ଚଳିତ ନିର୍ବାଚନରେ କୋଟିଆରେ ସହମତି ଭିତ୍ତିରେ ପ୍ରାର୍ଥୀ ଦେବାକୁ ତିନି ଦଳ ବିଚାର କରୁଛନ୍ତି । ଆନ୍ଧ୍ରକୁ ଚେକ୍ ଦେବାକୁ ଏଭଳି ପ୍ରସ୍ତାବ ଦେଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ଏନେଇ କଥାବାର୍ତ୍ତା ଚାଲିଛି ବୋଲି ବିଜେପି ନେତା ଈଶ୍ୱର ପାଣିଗ୍ରାହୀ କହିଥିବା ବେଳେ ବିଜେଡି କହିଛି ଯେ ଏ ସଂପର୍କରେ ଦଳର ସଭାପତିଙ୍କୁ ଅବଗତ କରାଯାଇଛି ।

ତେବେ ଆଶାୟୀ ପ୍ରାର୍ଥୀମାନେ ଏଭଳି ପ୍ରସ୍ତାବ ସହ ଏକମତ ନୁହନ୍ତି । ସେପଟେ ଆନ୍ଧ୍ର ପକ୍ଷରୁ ବିଭିନ୍ନ ସମୟରେ ଏଠାରେ ଦାଦାଗିରି ଦେଖିବାକୁ ମିଳିଥିବାରୁ କୋଟିଆରେ କିପରି ଶାନ୍ତିଶୃଙ୍ଖଳାରେ ନିର୍ବାଚନ ହେବ ତା ଉପରେ ନଜର ରହିଛି।