• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଉଭୟ ରାଜ୍ୟ ପଟେ ରହିବାକୁ ଲୋକଙ୍କ ଇଚ୍ଛା

  • ସୀମାନ୍ତ ଗାଁ ତାଡିବାଲ୍‌ସା ଲୋକେ କହିଲେ‘ ଓଡିଶାରେ ଭୋଟ୍ ଦେବୁନି’

ସୀମା ବିବାଦକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଟଣାଓଟରା ଭିତରେ କୋଟିଆରେ ଉଷ୍ଣ ହେଉଛି ରାଜନୈତିକ ପାଣିପାଗ । ଆସନ୍ତା ୧୮ ତାରିଖରେ କୋଟିଆରେ ନିର୍ବାନ ହେବ । ଏଥର ସବୁ ପାର୍ଟି ସର୍ବଦଳୀୟ ପ୍ରାର୍ଥୀ ଦେଇ ଇଲେକ୍ସନ୍ ନୁହେଁ ସିଲେକ୍ସନ୍‌ର ଉଦ୍ୟମ କରିଥିଲେ ବି ତାହା ସଫଳ ହୋଇପାରିନି । ତେଣୁ ଯେ ଝା ସପକ୍ଷରେ ପ୍ରଚାର ଲଢ଼େଇକୁ ଜୋରଦାର୍ କରିଛନ୍ତି ପ୍ରାର୍ଥୀ ।

ସେପଟେ ସୀମାନ୍ତ ଗାଁ ତାଡ଼ିବାଲ୍‌ସା ଲୋକେ ଆନ୍ଧ୍ରକୁ ସମର୍ଥନ କରି ଓଡ଼ିଶାର ପଞ୍ଚାୟତ ଭୋଟ୍ ନଦେବାକୁ ଘୋଷଣା କରିଛନ୍ତି । ଏହାରି ଭିତରେ ଓଟିଭି ନ୍ୟୁଜ୍ ଟିମ୍ ଫଗୁଣସିନେରୀ-ଫାଟୁସିନେରୀ ଦେଇ ଆନ୍ଧ୍ରସୀମା ପର୍ଯ୍ୟନ୍ତ ଗଲା ବେଳକୁ ଯେଉଁ ଗାଁ ଲୋକଙ୍କୁ ଭେଟିଥିଲେ, ସେମାନଙ୍କ ଠାରୁ ଶୁଣିବାକୁ ମିଳିଥିଲା ଯେ, ‘ଆମେ ବିବାଦୀୟ ଅଞ୍ଚଳରେ ହିଁ ରହିବୁ, ଅର୍ଥାତ୍ ନା ଓଡ଼ିଶାର ହେବୁ ନା ଆନ୍ଧ୍ରର’।

ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ଭିତରେ କୋଟିଆରେ ସରଗରମ ନିର୍ବାଚନୀ ପାଣିପାଗ । କୋଟିଆ କନ୍ଧ ସାହି ହେଉ କି ବଜାର ଘାଟ, ସବୁଠି କାନ୍ଥବାଡ଼ରେ ପ୍ରାର୍ଥୀଙ୍କ ପୋଷ୍ଟର । ଗତବର୍ଷ ଫେବୃଆରୀରେ ଆନ୍ଧ୍ର, କୋଟିଆ ପଞ୍ଚାୟତକୁ ତିନି ଭାଗରେ ବିଭକ୍ତ କରି ପଞ୍ଚାୟତ ନିର୍ବାଚନ କରାଇଥିଲା । ଏଥର ତେଣୁ ଆନ୍ଧ୍ରକୁ ଚେକ୍ ଦେବାକୁ ସବୁ ଦଳ ଅଣ୍ଟା ଭିଡ଼ିଥିଲେ ।

ଏଥର କୋଟିଆ ପଞ୍ଚାୟତ ଆସୁଥିବା ପଟାଙ୍ଗୀ ଜୋନ୍ ୧ ଜିଲ୍ଲା ପରିଷଦ ଆସନରେ ଦୁଇ ମହିଳା ପ୍ରାର୍ଥୀ ରହିଛନ୍ତି । ଜଣେ ସର୍ବଦଳୀୟ ପ୍ରାର୍ଥୀ ମମତା ଜାନି, ତାଙ୍କ ବିପକ୍ଷରେ ନିଜକୁ ସର୍ବସାଧାରଣ ପ୍ରାର୍ଥୀ ଦାବି କରୁଥିବା ଟିକାଇ ଗେମେଲ୍ । ମମତାଙ୍କ ପୋଷ୍ଟରରେ ସବୁ ଦଳର ନେତାଙ୍କ ଫଟୋ ତ, ଟିକାଇ ନିଜକୁ ପୂର୍ବତନ ବିଧାୟିକା ଚନ୍ଦ୍ରମା ସାନ୍ତାଙ୍କ ନାତିବୋହୂର କାର୍ଡ ଖେଳି ସମର୍ଥନ ସାଉଁଟୁଛନ୍ତି ।

କୋଟିଆ ପଞ୍ଚାୟତ ଲାଗି ଏଥର ୭ ଜଣ ସରପଞ୍ଚ ପ୍ରାର୍ଥୀ ମୈଦାନରେ ଅଛନ୍ତି। ସମସ୍ତଙ୍କ ମୁହଁରେ ଗୋଟିଏ କଥା ଜିତିଲେ, ଏମିତି କାମ କରିବୁ ଯେ ଲୋକେ ଆନ୍ଧ୍ର ଲୋଭରେ ପଡ଼ିବେନି । ତେବେ କୋଟିଆ ଭୋଟର କଣ ଆଶା କରୁଛନ୍ତି? ଯଦିଓ ରାଜ୍ୟ ସରକାର ଏହାରି ଭିତରେ କୋଟିଆରେ ଅନେକ କୋଠାବାଡ଼ି ଭିତ୍ତିଭୂମି ନିର୍ମାଣ କଲେଣି, ହେଲେ ଏଥିରେ ସ୍ଥାନୀୟ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରିଛି ତ?

କୋଟିଆ ସୀମା ବିବାଦ ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ହେଲେ ଲୋକେ କଣ, କେଉଁ ରାଜ୍ୟର ହେବାକୁ ଚାହୁଁଛନ୍ତି, ଆନ୍ଧ୍ର ନା ଓଡ଼ିଶା କାହାପ୍ରତି ସମର୍ଥନ ବେଶି ଅଛି, ସେ ବିଷୟରେ ଜାଣିବା ଲାଗି ଓଟିଭି ନ୍ୟୁଜ୍ ଟିମ୍ ସେଠାରେ ମତାମତ ନେଇଥିଲା ।

କଥା ଖାଲି ଏତିକି ନୁହେଁ, ସୀମାର ଜିରୋ ପଏଣ୍ଟ ନିକଟ ତାଡ଼ିବାଲ୍ସାରେ ତ ଲୋକେ ଏଥର ଓଡ଼ିଶା ପଞ୍ଚାୟତ ନିର୍ବାନରେ ଭୋଟ୍ ନଦେବାକୁ ସ୍ଥିର କରିଥିବା ଆମକୁ ଖୋଲାଖୋଲି କହିଥିଲେ । କାରଣ ତାଙ୍କର ସବୁ ସୁବିଧାସୁଯୋଗ ଓଡ଼ିଶାରୁ ନୁହେଁ, ଆନ୍ଧ୍ରରୁ ମିଳୁଛି ତେଣୁ ସମର୍ଥନ ବି ଆନ୍ଧ୍ର ପ୍ରତି ରହିଛି ବୋଲି ସେମାନେ କହିଛନ୍ତି।

ନେରେଡ଼ିବାଲ୍ସା ରାସ୍ତାରେ ଆନ୍ଧ୍ର-ଓଡ଼ିଶା ଜିରୋ ପଏଣ୍ଟରେ ଆମ ରାଜ୍ୟର ଫଳକ ତଳେ ପଡ଼ିଥିବାର ଦେଖିବାକୁ ମିଳିଥିଲା । ପଞ୍ଚାୟତ ନିର୍ବାନର ସମୟରେ ଓଡିଶା ପୋଲିସ ବଦଳରେ ଚେକ୍‌ପୋଷ୍ଟକୁ ଆନ୍ଧ୍ର ପୋଲିସ ଜଗି ରହିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଆମ ନିଜ ଜାଗାକୁ କବ୍ଜାରେ ରଖିବାକୁ ଉଦ୍ୟମ ଓ ଆନ୍ତରିକତା କିଭଳି ରହିଛି କୋଟିଆରୁ ସ୍ପଷ୍ଟ ଜଣାପଡିଛି।

ରିପୋର୍ଟର- ଭିଡିଓଜର୍ଣ୍ଣାଲିଷ୍ଟ ସୁନୀଲ୍ ପ୍ରଧାନ ଓ ଅବୁଦୁଲ୍ ଅଜିଜ୍‌ଙ୍କ ସହ ଟି. ଗୌରୀଶଙ୍କର, ସୂର୍ଯ୍ୟନାରାୟଣ ପଣ୍ଡା ଓ ରାଧାମାଧବ ମିଶ୍ର