• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ୮ ସରପଞ୍ଚ ପ୍ରାର୍ଥୀ ଦେଲେ ଲିଖୀତ ଓ ମୌଖିକ ପରୀକ୍ଷା

  • ଗାଁ ଲୋକେ ପ୍ରସ୍ତୁତ କରିଥିବା ସ୍ୱତନ୍ତ୍ର ପ୍ରଶ୍ନପତ୍ରର ଉତ୍ତର ରଖିଲେ ପ୍ରାର୍ଥୀ

ପଞ୍ଚାୟତ ନିର୍ବାଚନରେ ନୂଆ ଟ୍ରେଣ୍ଡ୍ । ଲୋକଙ୍କୁ ଖାଲି ପ୍ରତିଶ୍ରୁତି ଦେଲେ ଚଳିବନି, ବରଂ ନିଜ ଇତିହାସ, ଆଗମୀ ଦିନର ଲକ୍ଷ୍ୟ ଏବଂ କାର୍ଯ୍ୟଧାରାର ବିବରଣୀ ବି ଦେବାକୁ ପଡ଼ିବ । ଦୁଇ ଦିନ ତଳେ ସୁନ୍ଦରଗଡ଼ କୁତ୍ରା ବ୍ଲକ ମାଲୁପଡ଼ା ଗାଁ ଲୋକଙ୍କୁ ଏମିତି ଲେଖି ଜଣାଇଛନ୍ତି ୮ ଜଣ ସରପଞ୍ଚ ପ୍ରାର୍ଥୀ ।

ପ୍ରାର୍ଥୀମାନେ ଗାଁ ଲୋକେ ପ୍ରସ୍ତୁତ କରିଥିବା ସ୍ୱତନ୍ତ୍ର ପ୍ରଶ୍ନପତ୍ରର ଲିଖିତ ଓ ମୌଖିକ ଉତ୍ତର ରଖି ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ବେଳେ ଭୋଟ୍ ପୂର୍ବରୁ ଏହି ଉତ୍ତରର ମୂଲ୍ୟାୟନ କରାଯାଇ ସେହି ଅନୁସାରେ ଜନ ପ୍ରତିନିଧି ବଛାଯିବ ବୋଲି କହିଛନ୍ତି ଗାଁ ଲୋକେ । ସେପଟେ ନିର୍ବାଚନ ଆଚରଣ ବିଧି ଲାଗୁ ବେଳେ ଏଭଳି ପରୀକ୍ଷା ଠିକ ନୁହେଁ ଏବଂ ଅଭିଯୋଗ ହେଲେ ତଦନ୍ତ ହେବ ବୋଲି କହିଛନ୍ତି ବ୍ଲକ ନିର୍ବାଚନ ଅଧିକାରୀ ।

ଆପଣ ସରପଞ୍ଚ ହେବାର ଉଦ୍ଦେଶ୍ୟ କଣ? ଯଦି ନିର୍ବାଚିତ ହେବେ, ତେବେ ୫ ବର୍ଷ ପାଇଁ ଆପଣଙ୍କ ଲକ୍ଷ୍ୟ କଣ? ଆପଣଙ୍କ ସ୍ୱପ୍ନର ଗ୍ରାମ ପଞ୍ଚାୟତ କେମିତି ହେବା ଆବଶ୍ୟକ? ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କୁ ଏମିତି ତିର୍ଯ୍ୟକ ଆଉ ସିଧାସଳଖ ପ୍ରଶ୍ନ ମୁହଁରେ ନୁହେଁ, ପରୀକ୍ଷା ଖାତାରେ ପଚାରିଛନ୍ତି ଭୋଟର । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରାର୍ଥୀଙ୍କୁ ଏଭଳି ପ୍ରଶ୍ନ କେଉଁ ବିକଶିତ ଅଞ୍ଚଳ ନୁହେଁ, ବରଂ ପଚାରିଛନ୍ତି ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍ ମାଲୁପଡ଼ା ଗାଁ ଲୋକେ । କୁତ୍ରା ପଞ୍ଚାୟତର ସରପଞ୍ଚ ପଦରେ ଲଢୁଥିବା ସବୁ ପ୍ରାର୍ଥୀଙ୍କୁ ଗୋଟିଏ ସ୍ଥାନରେ ବସାଇ ଏଭଳି ପରୀକ୍ଷା ନେଇଛନ୍ତି ସ୍ଥାନୀୟ ବାସିନ୍ଦା ।

 

କୁତ୍ରା ଭଳି ଉପାନ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ ନିର୍ବାଚନକୁ ଏଭଳି ସଂସ୍କାରମୂଳକ ଚିନ୍ତାଧାରା ଓ ମିଥ୍ୟା ପ୍ରତିଶ୍ରୁତିପୂର୍ଣ୍ଣ ଭୋଟ୍ ରାଜନୀତି ଭିତରେ ଭଲ ଜନ ପ୍ରତିନିଧି ବାଛିବାର ତରିକାକୁ ନେଇ ସବୁଠି ଚର୍ଚ୍ଚା । ଏପରିକି ପରୀକ୍ଷା ଦେଇଥିବା ଅଧିକାଂଶ ସରପଞ୍ଚ ପ୍ରାର୍ଥୀ ବି ଏ ବ୍ୟବସ୍ଥାକୁ ସ୍ୱାଗତ କରିଛନ୍ତି । ସେପଟେ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ଏବେ ନିର୍ବାଚନ ଆଚରଣବିଧି ଲାଗିଥିବାରୁ ଏପରି ପରୀକ୍ଷା ଆୟୋଜନକୁ ଠିକ୍ ନୁହେଁ ବୋଲି କହିଛନ୍ତି ବ୍ଲକ୍ ନିର୍ବାଚନ ଅଧିକାରୀ ରବିନ୍ଦ୍ର ସେଠୀ ।

ସୂଚନା ଅନୁସାରେ ଆସନ୍ତା ଗୁରୁବାର ମାଲୁପଡ଼ା ଗାଁରେ ବସିବାକୁ ଯାଉଛି ଗ୍ରାମସଭା । ଏଇ ସଭାରେ ହିଁ କେଉଁ ପ୍ରାର୍ଥୀ ପାସ୍ ଆଉ କିଏ ଫେଲ୍ ହୋଇଛି, ତାର ଫଳାଫଳ ପ୍ରକାଶ ପାଇବ । ଆଉ ସେହି ଅନୁସାରେ ମାଲୁପଡ଼ ଗାଁ ଲୋକେ ନିଷ୍ପତ୍ତି ନେବେ, କିଏ ହେବେ ସେମାନଙ୍କ ଜନ ପ୍ରତିନିଧି ।