• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପଦ୍ମପୁର ଉପନିର୍ବାଚନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଚାଷୀ । କାରଣ ଏଠିକାର ଅଧିକାଂଶ ଭୋଟର ହେଉଛନ୍ତି ଚାଷୀ । ସେମାନଙ୍କୁ ମନାଇ ଭୋଟ ହାସଲ ଲାଗି ପ୍ରୟାସ କରୁଛନ୍ତି ରାଜନୈତିକ ଦଳ । ମାତ୍ର ଚାଷୀ ବି ମୌକା ହାତଛଡା କରିବାକୁ ଚାହୁଁ ନାହାନ୍ତି । ରାଜ୍ୟ ସରକାର ଇନପୁଟ୍ ସବ୍‌ସିଡି ଓ କେନ୍ଦ୍ର ମରୁଡି ସହାୟତା ଏବଂ ବୀମା ରାଶି ପ୍ରଦାନ ନେଇ ଘୋଷଣା କଲା ପରେ ବି ଭାଙ୍ଗିନି ଚାଷୀଙ୍କ ଧାରଣା । ଏସବୁ ଭିତରେ ଚାଷୀଙ୍କ ଭୋଟ କାହାକୁ ଯାଉଛି ? ନାମାଙ୍କନ ଯାଞ୍ଚ ପରେ ମୈଦାନରେ ଥିବା ୧୧ ପ୍ରାର୍ଥୀଙ୍କ ମଧ୍ୟରୁ ଚାଷୀ କାହା କଥାରେ ବିଶ୍ୱାସ କରୁଛନ୍ତି, ଏବେ ତା ଉପରେ ନଜର ।

ଅଧିକ ପଢ଼ନ୍ତୁ: ପଦ୍ମପୁର ଭୋଟ୍ ପୂର୍ବରୁ ତେଜିଲା ଫାର୍ମର ପଲିଟିକ୍ସ ! ରାଜ୍ୟ ସରକାରଙ୍କ ଇନ୍‌ପୁଟ୍‌ ସବସିଡି ନେଇ ଦ୍ୱନ୍ଦ୍ୱ

ପଦ୍ମପୁର ଉପନିର୍ବାଚନ ଭୋଟ୍ ପୂର୍ବରୁ ଚାଷୀ ଓ ରାଜନୈତିକ ଦଳଙ୍କ ଛକାପଞ୍ଝା । ଗୋଟିଏ ପରେ ଚାଷୀ କାର୍ଡ ଖେଳି ଭୋଟ ହାତେଇବାକୁ ଦଳଙ୍କ କସରତ ।  ଅନ୍ୟପଟେ ଉପନିର୍ବାଚନ ବାଜିରେ ନିଜ ଦାବି ପୂରଣ ଲାଗି ତତ୍ପର ଚାଷୀ । ତେଣୁ ପଦ୍ମପୁରର ବିଜୟର ଚାବି ଚାଷୀଙ୍କ ହାତରେ ବୋଲି କୁହାଯାଉଛି । କାରଣ ଏଠିକାର ପ୍ରାୟ ୯୦ ପ୍ରତିଶତ ଭୋଟର ହେଉଛନ୍ତି ଚାଷୀ । ତେଣୁ ସେମାନଙ୍କୁ ମନାଇବା ଲାଗି ସବୁଦଳ ଜୋରସୋରରେ ଉଦ୍ୟମ କରିଛନ୍ତି ।

ମାତ୍ର ଜିଦ୍‌ରେ ଅଟଳ ଚାଷୀ । ନିର୍ବାଚନୀ ପ୍ରଚାରରେ କମ୍ପୁଛି ପଦ୍ମପୁରର ଗଳିକନ୍ଦି । ଏପଟେ ପ୍ରଚାରକୁ ତାଳ ଦେଇ ଚାଲିଛି ଚାଷୀଙ୍କ ଆନ୍ଦୋଳନ । କେନ୍ଦ୍ରର ବୀମା ରାଶି ପ୍ରତିଶ୍ରୁତି ଏବଂ ରାଜ୍ୟ ସରକାରଙ୍କ ଇନ୍‌ପୁଟ ସବସିଡି ଘୋଷଣା ସତ୍ତ୍ୱେ ବି ଆକାଉଣ୍ଟକୁ ଟଙ୍କା ନଆସିବା ଯାଏ ଉଠିବିନେ ବୋଲି କହିଛନ୍ତି ଚାଷୀନେତା ।

ଏପଟେ ଚାଷୀ ଆନ୍ଦୋଳନରୁ ଫାଇଦା ନେବା ଲାଗି ରାଜନୈତିକ ଦଳଙ୍କ ମଧ୍ୟରେ ପ୍ରତିଯୋଗିତା । ବୀମା ରାଶି ବିଳମ୍ବ ପ୍ରସଙ୍ଗରେ ଚାଷୀଙ୍କୁ ସମର୍ଥନ କରି ନାମାଙ୍କନପତ୍ର ଦାଖଲ କରିନଥିଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ । ଅନ୍ୟପଟେ ଗତକାଲି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଚାଷୀଙ୍କ ଆନ୍ଦୋଳନକୁ ଯାଇ ତଳେ ପଡି ମୁଣ୍ଡିଆ ମାରିବା ସହ ଆନ୍ଦୋଳନରୁ ଓହରି ଯିବାକୁ ଅନୁରୋଧ କରିଥିଲେ ।

ପୂର୍ବରୁ ବୀମା ରାଶି ପ୍ରଦାନ ନେଇ କେନ୍ଦ୍ର ସରକାରଙ୍କ ଘୋଷଣାକୁ ଘଣ୍ଟାଏ ନପୁରୁଣୁ ଇନପୁଟ୍ ସବସିଡି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ସେହିପରି ଚାଷୀ ପ୍ରସଙ୍ଗକୁ ନେଇ ବିଜେପି ମଧ୍ୟ ଆଜିଠୁ ରାଜଧାନୀରେ ଅନିର୍ଦ୍ଦିଷ୍ଟ କାଳୀନ ସତ୍ୟାଗ୍ରହ ଆରମ୍ଭ କରିଛି । ଆଉ ବିଜେଡି-ବିଜେପି ଲଢେଇ ଭିତରେ କଂଗ୍ରେସ ଫାଇଦା ନେବାକୁ ପ୍ରୟାସ କରୁଛି । ଚାଷୀଙ୍କ ସମସ୍ୟାକୁ ନେଇ ରାଜନୈତିକ ଦଳଙ୍କ ମଧ୍ୟରେ ଛକାପଞ୍ଝା ଭିତରେ ଏମାନଙ୍କ ଭୋଟ କାହାକୁ ଯାଉଛି ତାହା ଦେଖିବାର କଥା।