• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପଦ୍ମପୁର ଭୋଟ୍ ପାଇଁ ସବୁ ଦଳର ଫୋକସରେ ଚାଷୀ । ସେମାନଙ୍କ ଭୋଟ୍ ନିର୍ଣ୍ଣାୟକ ହୋଇଥିବାରୁ ଶ୍ରେୟ ନେବାକୁ ବିଜେଡି-ବିଜେପି ମଧ୍ୟରେ ଚାଲିଛି ପ୍ରତିଯୋଗିତା । ତାସହିତ ପରସ୍ପର ବିରୋଧରେ ଦୋଷ ଲଦାଲଦି ବି ସରୁନି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରୁ ଚାଷୀ ବଂଚିତ ହେବା ପ୍ରସଙ୍ଗକୁ ନେଇ ଏବେ ମୁହାଁମୁହିଁ କେନ୍ଦ୍ର-ରାଜ୍ୟ ।

ଗତକାଲି ଫସଲ ବୀମା ଯୋଜନା ନେଇ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟି ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିବା ସହିତ ଓଡ଼ିଶା ସରକାର ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ । ଏହାପରେ ତୋମାର ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି ଚିଠି । ଚାଷୀଙ୍କୁ ଫସଲ ବୀମା ମିଳିବାରେ ବିଳମ୍ବ ପାଇଁ ସେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ବୀମା ଯୋଜନା କାର୍ଯ୍ୟକାରୀ ପାଇଁ ଟେଣ୍ଡର ଜାରି କରିବା, ବୀମା କମ୍ପାନୀଙ୍କୁ କ୍ଲଷ୍ଟର ଅଫ୍ ଡିଷ୍ଟ୍ରି ପ୍ରଦାନ କରିବା, ପ୍ରିମିୟମ୍ ରେଟ୍‌ର ଚୁକ୍ତି କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି ଦର୍ଶାଇଛନ୍ତି ତୋମାର ।

ଏପରିକି ବୀମା ରାଶି ପ୍ରଦାନ ପାଇଁ କେନ୍ଦ୍ର କୃଷି ମନ୍ତ୍ରଣାଳୟର ବୈଷୟିକ ପରାମର୍ଶଦାତା କମିଟି ରାଜ୍ୟ ସରକାରଙ୍କୁ ବାରମ୍ବାର ଅବଗତ କରିଥିଲା । ଏହା ସତ୍ତ୍ୱେ ଚାଷୀଙ୍କୁ ବୀମା ଟଙ୍କା ମିଳିନଥିଲା । ତେବେ ଏନେଇ ଥିବା ବିବାଦର ସମାଧାନ କାରଯାଇଛି, ଆଉ କିଛିର ଖୁବ୍ ଶୀଘ୍ର ସମାଧାନ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି । ସେପଟେ ଚାଷୀଙ୍କ ସମସ୍ୟା ଦୂର ହେଉନଥିବାରୁ ରାଜ୍ୟ ବିଜେପି ଆସନ୍ତାକାଲିଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବିଧାନସଭା ଆଗରେ ସତ୍ୟାଗ୍ରହ କରିବ ବୋଲି ଘୋଷଣା କରିଛି । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀଙ୍କ ଚିଠି ଅର୍ଦ୍ଧସତ୍ୟ ଓ ଭିତ୍ତିହୀନ, ଏହା କେବଳ ଚାଷୀଙ୍କୁ ବିଭ୍ରାନ୍ତ କରିବା ପାଇଁ ବୋଲି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।

ଫସଲ ବୀମା ରାଶି ମିଳିନଥିବାରୁ ଚାଷୀମାନେ ବିଭିନ୍ନ ସମୟରେ ଆନ୍ଦୋଳନ କରିଥିଲେ, ହେଲେ ରାଜନୈତିକ ଦଳମାନେ ଏହାକୁ ସେତେଟା ଗୁରୁତର ସହ ନେଇନଥିଲେ । ତେବେ ପଦ୍ମପୁର ଉପନିର୍ବାଚନ ଘୋଷଣା ପରେ ଆନ୍ଦୋଳନ ଯେତେବେଳେ ବଢ଼ିଲା, ସେତେବେଳ ସମସ୍ତେ ଚେତିଥିଲେ । ତା’ସହିତ ଉଭୟ ବିଜେପି ଓ ବିଜେଡିର ବରିଷ୍ଠ ନେତାମାନେ ଆନ୍ଦୋଳନରତ ଚାଷୀଙ୍କୁ ଭେଟି ଆଲୋଚନା କରିଥିଲେ । ଏହା ପରେ ପଦ୍ମପୁର ଅଚଂଳରେ ଥିବା ଚାଷୀଙ୍କ ସମେତ ଅନ୍ୟସ୍ଥାନର ଚାଷୀଙ୍କୁ ବି ବୀମା ସହାୟତା ମିଳିବା ପ୍ରକ୍ରିୟା ଆରମ୍ଭ ହୋଇଛି ।

କେନ୍ଦ୍ର ସରକାରଙ୍କ ଫସଲ ବୀମା ଯୋଜନା ବନାମ୍ ରାଜ୍ୟ ସରକାରଙ୍କ ଇନ୍‌ପୁଟ ସବ୍‌ସିଡି । ଚାଷୀଙ୍କୁ ଗୋଟିଏ ପଟେ କେନ୍ଦ୍ର ସହାୟତା ଦେଉଛି, ଅନ୍ୟପଟେ ରାଜ୍ୟ ସରକାର ବି ସହାୟତା ଯୋଗାଉଛନ୍ତି । ତେବେ ପଦ୍ମପୁର ଚାଷୀଙ୍କ ଭୋଟ୍ କାହାକୁ ଯାଉଛି ତା ଉପରେ ନଜର ।

(ରିପୋର୍ଟ- ପଦ୍ମପୁରରୁ ସୋମେଶ ମହାନ୍ତି ଏବଂ ଭୁବନେଶ୍ୱରରୁ ଜଗଦୀଶ ଦାସ ଓ ହରିହର ଚାନ୍ଦ)