• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିରୋଧୀ ନେତାଙ୍କ ଗାଡ଼ି ଟ୍ରାକିଂ କରି ଜାସୁସି କରୁଛି କି ବରଗଡ଼ ପୋଲିସ ? ପଦ୍ମପୁର ଉପନିର୍ବାଚନ ବେଳେ ବିରୋଧୀଙ୍କ ଗତିବିଧି ଜାଣିବାକୁ ସରକାରୀ ଦଳ ପାଇଁ ସଂଗ୍ରହ ହେଉଛି କି ତଥ୍ୟ ? ପଦ୍ମପୁର ଉପନିର୍ବାଚନ ପାଇଁ ସବୁ ଦଳର ଜୋରଦାର ପ୍ରଚାର ଚାଲିଥିବା ବେଳେ ବରଗଡ଼ ପୋଲିସର ଗାଡି ଯାଞ୍ଚକୁ ନେଇ ଦେଖାଦେଇଛି ନୂଆ ବିବାଦ ।

କିଛି ଦିନ ହେଲା ପୋଲିସ ପଦ୍ମପୁର ସହରର ବିଭିନ୍ନ ସ୍ଥାନରେ ଯାନବାହନ ଅଟକାଇ ତନଖି କରୁଛି । ତେବେ ଯାଞ୍ଚ ଆଳରେ ପୋଲିସ, ବିରୋଧୀ ନେତାଙ୍କ ଯାଆସ ଉପରେ ନଜର ରଖୁଥିବା ଅଭିଯୋଗ କରିଛି ବିଜେପି । ଯାଞ୍ଚ ବେଳେ ପୋଲିସ ଗାଡ଼ିର ନମ୍ବର, କଲର, ମଡେଲ, ସମୟ, କେଉଁଠିକୁ ଯାଉଛି ଏବଂ ଯିବାର ଉଦ୍ଦେଶ୍ୟ ସଂପର୍କରେ ତଥ୍ୟ ରଖୁଥିବାରୁ ଦଳ ଆପତ୍ତି ଉଠାଇଛି । ଡ୍ରାଇଭରଙ୍କ ନାଁ ଓ ମୋବାଇଲ ନମ୍ବର ବି ନେଉଥିବାରୁ ପୋଲିସର ଉଦ୍ଦେଶ୍ୟକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବିଜେପି ଓ କଂଗ୍ରେସ । ବିରୋଧୀ ଦଳ ନେତାଙ୍କ ଗତିବିଧି ଉପରେ ନଜର ରଖିବାକୁ ପୋଲିସ ଏଭଳି ଫନ୍ଦି କରିଥିବା ଉଭୟ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ ଗାଡ଼ି ଡିଟେଲ୍ସ ସଂଗ୍ରହ କରାଯିବା ପଛରେ କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ ବୋଲି ସଫେଇ ଦେଇଛନ୍ତି ବରଗଡ଼ ଏସପି ।

ବିରୋଧୀ ଦଳ ନେତାଙ୍କ ଗାଡି ଯାଞ୍ଚକୁ ଦୃଢ଼ ବିରୋଧ କରି ବିଜେପି ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଭେଟି ଫେରାଦ ହୋଇଛି । କଂଗ୍ରେସ ବି ପୋଲିସର ଭୂମିକାକୁ ନିନ୍ଦା କରିବା ସହ ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି କହିଛି । ତେବେ ବିରୋଧୀ ଆଣିଥିବା ଅଭିଯୋଗର ଜବାବ ରଖିଛି ବିଜେଡି ।

ନିର୍ବାଚନ ସମୟରେ ପୋଲିସ ରାସ୍ତାରେ ଯାନ ବାହାନ ଚେକିଂ କରିବା ସ୍ୱାଭାବିକ ପ୍ରକ୍ରିୟା । ତେବେ ବିରୋଧୀ ଦଳ ନେତାଙ୍କ ଗାଡି ସଂପର୍କରେ କାହିଁକି ଏତେ ସବିଶେଷ ତଥ୍ୟ ରଖୁଛି, ତାକୁ ନେଇ ସନ୍ଦେହ ଘନିଭୂତ ହେଉଛି ।