‘PMପଦ ପାଇଁ ଲାଳାୟିତ ନୁହେଁ କଂଗ୍ରେସ, ଏକାଠି ନହେଲେ ବିଜେପି ହାରିବନି’, କହିଲେ ଖଡ଼ଗେ

ବେଙ୍ଗଲୁରୁ ବିରୋଧୀ ବୈଠକରେ ସବୁ ବିରୋଧୀଙ୍କୁ ଏକାଠି ହେବାକୁ ମଲ୍ଲିକାର୍ଜୁନଙ୍କ ଆହ୍ୱାନ ।

CONGRESS Politics, INDIA

ବଦଳିବ କି ବିରୋଧୀ ମେଣ୍ଟର ନାଁ। ଆଗରୁ ଥିଲା ୟୁପିଏ। ଏବେ ହୋଇପାରେ INDIA ବା ଇଣ୍ଡିଆ । INDIA ର ପୁରା ନାଁ ହେଲା ଇଣ୍ଡିଆନ ନ୍ୟାସନାଲ ଡେଭଲମେଣ୍ଟାଲ୍ ଇନକ୍ଲୁସିଭ ଆଲାଏନସ । ୨୬ଟି ବିରୋଧୀ ଦଳ ଏକାଠି ହୋଇ କରିଥିବା ମେଣ୍ଟର ନୂଆ ନାଁ ହେଲା ଇଣ୍ଡିଆ । ଏହାର ଅର୍ଥ ୨୪ରେ ଦେଖିବାକୁ ମିଳିବ NDA ବନାମ INDIA । ନୀତିଶ କୁମାର ଏହାର ଆବାହକ ହେବେ ବୋଲି ଜଣାପଡ଼ିଛି । ସୋନିଆ ଗାନ୍ଧି ହୋଇପାରନ୍ତି ଅଧ୍ୟକ୍ଷା । ଏ ସଂପର୍କରେ ଆରଜେଡିର ଟ୍ୱିଟର ହ୍ୟାଣ୍ଡଲରେ ସୂଚନା ଦିଆଯାଇଥିଲେ ହେଁ ପରେ ତାକୁ ଡିଲିଟ୍ କରାଯାଇଛି।

୨୦୨୪ ପାଇଁ ଏକଜୁଟ ହେବାକୁ ସବୁ ବିରୋଧୀ ଦଳକୁ ଆହ୍ୱାନ ଦେଇଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ। ସେ କହିଛନ୍ତି, ଆମେ ସମସ୍ତେ ଏକାଠି ନ ହେଲେ ବିଜେପିକୁ ହରାଇ ହେବ ନାହିଁ । ଏକଥା ସତ ଯେ, ରାଜ୍ୟସ୍ତରରେ ଆମ ଆମ ଭିତରେ ମତଭେଦ ଅଛି। କିନ୍ତୁ ସେସବୁ ଆଦର୍ଶଗତ ମତଭେଦ ନୁହେଁ । ସେହି ମତଭେଦ ଏତେ ଅଧିକ ନୁହେଁ ଯେ, ସାଧାରଣ ଲୋକଙ୍କ ପାଇଁ, ଗରିବ, ଯୁବପିଢ଼ି, ମଧ୍ୟବିତ୍ତଙ୍କ ହିତ ପାଇଁ ଆମେ ତାକୁ ଦୂର କରିପାରିବା ନାହିଁ ।

ଖାଲି ସେତିକି ନୁହେଁ, ସେ କହିଛନ୍ତି ଆମେ ୨୬ଟି ଦଳ ଅଛୁ। ୧୧ଟି ରାଜ୍ୟରେ ଆମର ଶାସନ ଅଛି। ବିଜେପି ଏକାକୀ ୩୦୦ରୁ ଅଧିକ ସିଟ୍ ପାଇନାହିଁ । ଅନେକ ଦଳର ସହାୟତାରେ ବିଜେପି କ୍ଷମତାକୁ ଆସିଥିଲା ଏବଂ ପରେ ସେମାନଙ୍କୁ ଫୋପାଡ଼ି ଦେଇଥିଲା। ଏବେ ନିର୍ବାଚନ ସମୟ ଆସିବା ପରେ ପୁଣି ସେମାନଙ୍କୁ କୋଳେଇ ନେଉଛି। ଇଡି, ସିବିଆଇ, ଆୟକର ପରି ବିଭାଗକୁ କେବଳ ବିରୋଧୀଙ୍କ କ୍ଷେତ୍ରରେ ପ୍ରୟୋଗ କରି ସେମାନଙ୍କୁ ହଇରାଣ କରାଯାଉଛି। ମିଛ ମାମଲାରେ ନେତାଙ୍କୁ ଫସାଯାଉଛି, ଯାହା ଦ୍ୱାରା କି ସେମାନେ ଆଇନ ଜାଲରେ ଛନ୍ଦି ହେବେ । ଏପରିକି ଆମର ସାଂସଦଙ୍କୁ ସସପେଣ୍ଡ କରିବାକୁ ସାମ୍ବିଧାନିକ ପଦପଦବୀର ଦୂରୁପଯୋଗ କରାଯାଉଛି । ଆମର ବିଧାୟକ, ସାଂସଦଙ୍କୁ ଧମକାଇ,ଲାଞ୍ଚ ଦେଇ ସରକାରକୁ ଭାଙ୍ଗୁଛି ବିଜେପି ।

ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଆହୁରି କହିଛନ୍ତି, କ୍ଷମତା ପାଇଁ କିମ୍ବା ପ୍ରଧାନମନ୍ତ୍ରୀ ପଦ ପାଇଁ ଲାଲାୟିତ ନୁହେଁ କଂଗ୍ରେସ । କେବଳ ସମ୍ବିଧାନର ସୁରକ୍ଷା, ଗଣତନ୍ତ୍ର, ସାମାଜିକ ନ୍ୟାୟ ପାଇଁ ଆମର ଏହି ଲଢ଼େଇ ବୋଲି କହିଛନ୍ତି ମଲ୍ଲିକାର୍ଜୁନ । ବେଙ୍ଗଲୁରୁ ବୈଠକର ଦ୍ୱିତୀୟ ଦିନରେ ଏଭଳି କହିଛନ୍ତି ଖଡ଼ଗେ । ଏହି ବୈଠକରେ ଯୋଗ ଦେଇଛନ୍ତି ୨୬ଟି ଦଳ। କଂଗ୍ରେସରୁ ସୋନିଆ, ରାହୁଲ ଗାନ୍ଧି ଓ ମଲ୍ଲିକାର୍ଜୁନ ଖଡ଼ଗେ ଯୋଗ ଦେଇଛନ୍ତି। ଏଥିସହ ସାମିଲ ହୋଇଛନ୍ତି ମମତା ବାନାର୍ଜୀ, ଅଖିଳେଶ ଯାଦବ, ନୀତୀଶ କୁମାର, ଲାଲୁ, ତେଜସ୍ୱୀ, ଫାରୁକ୍, ମେହବୁବା ଓ ଷ୍ଟାଲିନଙ୍କ ଭଳି ଅନେକ ହେଭିୱେଟ୍ ।

ତାଛଡ଼ା ଜେଏମ୍ଏମ୍, ବାମପନ୍ଥୀ, ଶିବସେନାର ଉଦ୍ଧବ ଗୋଷ୍ଠୀ ଓ ଏନ୍ସିପିର ଶରଦ-ସୁପ୍ରିୟା ଗୋଷ୍ଠୀ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମେତ ପ୍ରାୟ ୨୬ଟି ଦଳ ଏହି ମେଳିରେ ଯୋଗ ଦେଇଛନ୍ତି ।