• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଢ଼ୁଛି ବିଜେଡି ନେତାଙ୍କ ଅଡ଼ୁଆ । ଯୁଆଡ଼େ ଗଲେ ସିଆଡ଼େ ବିରୋଧର ଶିକାର ହେଲେ । ଆଜି ବିଜେଡିର ବରିଷ୍ଠ ନେତା ତଥା ନରସିଂହପୁର ବିଧାୟକ ଦେବୀ ମିଶ୍ରଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇଛି । ଖୋଦ ତାଙ୍କରି ଦଳର କର୍ମୀ ତାଙ୍କୁ ବିରୋଧ କରିଛନ୍ତି । ଦେଖିଲେ ଲାଗୁଥିଲା ଯେମିତି ବିଧାୟକ ସମ୍ପୂର୍ଣ୍ଣ ନିରୁପାୟ । ଲୋକଙ୍କ ଆକ୍ରୋଶର ସିଧାସଳଖ ଶିକାର ହୋଇଛନ୍ତି ବିଧାୟକ ଦେବୀ ପ୍ରସାଦ ମିଶ୍ର ।

ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବିଧାୟକ ଯାଇଥିବା ବେଳେ ନରସିଂହପୁର ବାସେଳିହତାରେ ବିରୋଧୀ ଗୋଷ୍ଠୀଙ୍କ ବିରୋଧର ଶିକାର ହୋଇଥିଲେ । କିଛି ଲୋକ ହଠାତ୍‌ ଦେବୀ ମିଶ୍ରଙ୍କ ଗସ୍ତକୁ ବିରୋଧ କରିବା ସହ ତାଙ୍କୁ କର୍ମୀମାନେ ପାଛୋଟି ଆଣୁଥିବା ବେଳେ ବିରୋଧ ପ୍ରଦର୍ଶନ କରିଥିଲେ । ଏମିତିକି ସେଠାରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଜେଡିର ଅନ୍ୟ ଏକ ଗୋଷ୍ଠୀର କିଛି ଯୁବକ ବିଧାୟକଙ୍କ ଗସ୍ତକୁ ବିରୋଧ କରିଥିଲେ । କେତେକ ଯୁବକ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଯାହାଫଳରେ ଠେଲାପେଲା ହୋଇଥିଲା । ଏହି ସମୟରେ ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ଦେହରେ ଧକ୍କା ବାଜିଥିବା ମଧ୍ୟ ଦେଖାଯାଇଥିଲା ।

ତେବେ ଏହି ବିରୋଧ କେବଳ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ କରାଯାଇଥିବା ଜଣାପଡ଼ିଛି । ସରପଞ୍ଚ, ସମିତିସଭ୍ୟ ପ୍ରାର୍ଥୀ ମନୋନୟନକୁ ନେଇ ଯୁବକମାନେ ବିରୋଧ କରିଛନ୍ତି । ଉନ୍ନୟନ କାର୍ଯ୍ୟର ଉଦଘାଟନୀ ସମାରୋହକୁ ଯିବା ବେଳେ ଏହି ବିରୋଧର ଶିକାର ହୋଇଥିଲେ ଦେବୀ ମିଶ୍ର । ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର ନିଜ ନିର୍ବାଚନ ମଣ୍ଡଳୀକୁ ସମୟ ନଦେଇ ଅଧିକ ସମୟ ଭୁବନେଶ୍ୱରରେ ରହୁଥିବାର ଅଭିଯୋଗ ହୋଇଛି । ଦଳର ବରିଷ୍ଠ କର୍ମୀମାନଙ୍କୁ ସେ ଉପେକ୍ଷା କରୁଥିବାର ମଧ୍ୟ କର୍ମୀମାନେ ଅଭିଯୋଗ କରିଛନ୍ତି । ଏହି ଠେଲାପେଲା ଘଟଣା ପରେ ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ସେ ଦୀର୍ଘ 26 ବର୍ଷ ଧରି ବଡମ୍ୱା-ନରସିଂହପୁରର ପ୍ରତିନିଧିତ୍ୱ କରି ଆସୁଥିଲେ ମଧ୍ୟ ଅଞ୍ଚଳର ଆଶାନୁରୂପ ବିକାଶ ହୋଇପାରିନଥିବାରୁ ଲୋକଙ୍କ ମନରେ କ୍ଷୋଭ ରହିଛି ।