• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସମ୍ଭାବ୍ୟ ବାତ୍ୟା, ବନ୍ୟା ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ପିଇବା ପାଣି, ଔଷଧ ମହଜୁଦ ରଖିବା, ଦୁର୍ବଳ ବନ୍ଧ ମରାମତି ପାଇଁ କଡ଼ା ନିର୍ଦ୍ଦେଶ । ଜୁନ୍‌ରେ ନିଅଣ୍ଟିଆ ବର୍ଷା ହେଲେ ବିଭାଗ ପ୍ରସ୍ତୁତ ରହିଛି, ସ୍ଥିତି ଦେଖି ପଦକ୍ଷେପ ନିଆଯିବ କହିଲେ ମନ୍ତ୍ରୀ । ଜଳବାୟୁ ପରିବର୍ତ୍ତନ ନେଇ ବିଭାଗ ତଦାରଖ କରିବ । ବୈଜ୍ଞାନିକ ଓ ବିଶେଷଜ୍ଞଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ମଧ୍ୟ କହିଛନ୍ତି । ବିପର୍ଯ୍ୟୟ ପରିଚାଳନା ନେଇ ରାଜ୍ୟସ୍ତରୀୟ ବୈଠକ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ଏହି ବୈଠକ । 

ଅନ୍ୟପଟେ ସମସ୍ତ ପ୍ରଶାସନିକ କଳ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଆଗୁଆ ବିପର୍ଯ୍ୟୟ ସୂଚନା ବ୍ୟବସ୍ଥା, ଉଦ୍ଧାର ଓ ରିଲିଫ କାର୍ଯ୍ୟ, ପାନୀୟ ଜଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ଓ ପ୍ରାଣୀସେବା ବ୍ୟବସ୍ଥା ଆଦି ସମସ୍ତ ବ୍ୟବସ୍ଥା ଗୁଡିକୁ ପ୍ରସ୍ତୁତ କରି ରଖିବା ଜରୁରୀ ।

ଏହାସହିତ ସମସ୍ତ ଓଡ୍ରାଫ ଓ ଅଗ୍ନିସେବା ବାହିନୀ ପ୍ରସ୍ତୁତ ହୋଇ ରହିବା ଜରୁରୀ ବୋଲି ସେ କହିଛନ୍ତି । ଦୁର୍ଗମ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟପଦାର୍ଥକୁ ମହଜୁଦ ରଖିବା, ଜିଲ୍ଲାସ୍ତରୀୟ ଜରୁରୀକାଳୀନ କେନ୍ଦ୍ରଗୁଡିକୁ ୨୪ ଘଣ୍ଟିଆ କାର୍ଯ୍ୟକାରୀ କରିବା, ପଶୁ ଖାଦ୍ୟ ମହଜୁଦ ରଖିବା ଓ ବିପର୍ଯ୍ୟୟ ସମୟରେ ପ୍ରାଣୀସେବା କ୍ୟାମ୍ପ ଖୋଲିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ମହିଳା, ଶାରୀରିକ ଓ ମାନସିକ ଭିନ୍ନକ୍ଷମ ବ୍ୟକ୍ତି, ଶିଶୁ, ବିଧବା ଓ ବୟସ୍କ ଲୋକମାନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ମଧ୍ୟ ବୈଠକରେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ତେବେ ଏହି ସମୟରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ରାଜ୍ୟରେ ୮୭୯ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ଥିବାବେଳେ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅର୍ଥ ବିନିଯୋଗ କରାଯାଇ ଆହୁରି ୫୫ଟି ଆଶ୍ରୟସ୍ଥଳ ର୍ନିମାଣ କରାଯାଉଛି । ବିଶେଷ କରି ଉପକୂଳ ଅଞ୍ଚଳରେ ବିପର୍ଯ୍ୟୟ ପ୍ରତିରୋଧି ଗୃହ ର୍ନିମାଣ କରାଯାଉଛି ବୋଲି ସେ କହିଥିଲେ ।