/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707660802.jpg)
Politics Over Old Age Pension
ଥିଲା ୫୦୦, ହେଲା ହଜାରେ। ଦୀର୍ଘଦିନର ଦାବି ପରେ ମଧୁବାବୁ ପେନସନ୍ ସ୍କିମରେ ସର୍ବନିମ୍ନ ଭତ୍ତା ରାଶିକୁ ହଜାରେ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ହେଲେ ବର୍ତ୍ତମାନର ବଜାର ଦରକୁ ଦେଖି ସରକାରଙ୍କ ନିଷ୍ପତ୍ତିରେ ବିଲକୁଲ ଖୁସି ନାହାନ୍ତି ହିତାଧିକାରୀ। ସେପଟେ ଅଧିକାଂଶ ରାଜ୍ୟରେ ବିଭିନ୍ନ ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ୩ ହଜାର ଟଙ୍କା ଯାଏଁ ଭତ୍ତା ମିଳୁଥିବା ବେଳେ ଭୋଟ୍ ପୂର୍ବରୁ ସରକାରଙ୍କ ଇଏ ଲଲିପପ୍ ବୋଲି କହି ବର୍ଷିଛନ୍ତି ବିରୋଧୀ।
‘୫ ଶହ ଟଙ୍କା କୁଳୋଉ ନ ଥିଲା, ହଜାରରେ ବି କିଛି ହେବନି’। ମଧୁବାବୁ ପେନସନ୍ ସ୍କିମରେ କାଲି ରାଜ୍ୟ ସରକାର ଭତ୍ତା ବୃଦ୍ଧି ବିଷୟ ଘୋଷଣା କରିବା ପରେ ଏମିତି କିଛି କହିଛନ୍ତି ବାଲେଶ୍ୱର ୧୨ ନମ୍ବର ୱାର୍ଡର ହିତାଧିକାରୀ କାର୍ତ୍ତିକ ରଣା। କେବଳ କାର୍ତ୍ତିକ ନୁହନ୍ତି ଏଇ ୱାର୍ଡର ବି. ଅନ୍ନପୂର୍ଣ୍ଣା ଓ ମମତା ତାଲଡିଙ୍କର ବି ସମାନ କଥା କହିଛନ୍ତି। ବଜାର ଦର ଯାହା ହେଲାଣି, ସେଥିରେ ହଜାରେ ଟଙ୍କାରେ କ’ଣ ହେବ ବୋଲି ପ୍ରଶ୍ନ କରିଛନ୍ତି।
ମାତ୍ର ଦିଇଟା ମାସ ପରେ ଭୋଟ୍। ଆଉ ଏତିକି ବେଳେ ମଧୁବାବୁ ପେନସନ୍ ସ୍କିମର ସହାୟତା ରାଶିରେ ୫ ଶହ ଟଙ୍କା ବୃଦ୍ଧି କରିଛନ୍ତି ସରକାର। ସରକାରଙ୍କ ଘୋଷଣା ପରେ ଏବେ ଆମ ରାଜ୍ୟରେ ସର୍ବାଧିକ ପେନସନ୍ ରାଶି ୧୪ ଶହ ଟଙ୍କାକୁ ବଢ଼ିଛି। ହେଲେ ଅସଲରେ ସରକାରଙ୍କ ଏ ପେନସନ୍ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଯେ କେତେ କମ୍ ଗତବର୍ଷ ଅଗଷ୍ଟ ୧୦ ତାରିଖରେ ରାଜ୍ୟସଭାରେ ଉପସ୍ଥାପିତ ତଥ୍ୟ ତା’ର ଖୁଲାସା କରୁଛି। ଏବେ ଦେଶର ୯ଟି ରାଜ୍ୟରେ ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ୨ ହଜାର କିମ୍ବା ତାଠୁ ଅଧିକ ପେନ୍ସନ୍ ମିଳୁଛି। ସବୁଠୁ ବଡ଼ କଥା ହେଉଛି ପେନସନ୍ ସ୍କିମରେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ସମାନ ଅନୁଦାନ ଦେଉଥିଲା ବେଳେ ରାଜ୍ୟଗୁଡ଼ିକ ନିଜସ୍ୱ ଅନୁଦାନ ମିଶାଇ ଅଧିକ ଭତ୍ତା ଦେଉଛନ୍ତି । ଏମିତିକି ଆମ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ସହ ହରିୟାଣାରେ ହିତାଧିକାରୀ ୩ ହଜାର ଟଙ୍କା ପାଉଥିବା ବେଳେ ପୁଡୁଚେରୀରେ ପେନସନ୍ ରାଶି ୩ ହଜାର ୫ ଶହ ଟଙ୍କା ରହିଛି। ଏଭଳି ସ୍ଥିତିରେ ଭୋଟ୍ ବେଳେ ରାଜ୍ୟ ସରକାରଙ୍କ ଏ ପେନସନ୍ ବୃଦ୍ଧିକୁ ଲଲିପପ୍ ବୋଲି କହିବା ସହ ସରକାରକୁ ଆସିଲେ ଭତ୍ତା ଟଙ୍କାକୁ ୩ ହଜାର କରିବ ବୋଲି ପ୍ରତିଶ୍ରୁତି ଦେଇଛି ବିଜେପି। କଂଗ୍ରେସ ବି ଭୋଟ୍ ଥୋପ କହି ସରକାରଙ୍କୁ ସମାଲୋଚନା କରିଛି।
ରାଜ୍ୟରେ ଏବେ ୩୬ ଲକ୍ଷ ୭୫ ହଜାର ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ହେଲେ ପେନସନ୍ ରାଶି ବୃଦ୍ଧି ସତ୍ତ୍ୱେ ହିତାଧିକାରୀଙ୍କ ଅସନ୍ତୋଷ ଭୋଟ୍ ପୂର୍ବରୁ ସରକାରଙ୍କ ଏ ଉଦ୍ୟମକୁ ପାଣିଚିଆ କରି ଦେଇଥିବା ଚର୍ଚ୍ଚା ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)