• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମହିଳା ଖାସ୍ କରି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ମନ ଜିଣିବାକୁ ରାଜ୍ୟ ସରକାର ଆଣିଥିଲେ ମିଶନ ଶକ୍ତି ସ୍କୁଟର ଯୋଜନା । ହେଲେ ଏହାର ଲାଭ କିନ୍ତୁ ସେମାନେ ପାଇପାରୁ ନାହାନ୍ତି । ସ୍କୁଟର କିଣିବା ପାଇଁ ଲୋନ୍ କରିବାକୁ ଆବେଦନ କଲାବେଳେ, ମୁଣ୍ଡ ଉପରେ ଲଦି ହୋଇ ରହିଥିବା ପୁରୁଣା ଋଣ କଥା କହି ବ୍ୟାଙ୍କ ସେମାନଙ୍କୁ ଫେରାଇ ଦେଉଛି । ଫଳରେ ଭୋଟ୍ ପୂର୍ବରୁ ସରକାର ଆଣିଥିବା ଏ ଯୋଜନା ଏକ ପ୍ରକାର ଫସର ଫାଟିବାରେ ଲାଗିଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ୍ ।

ଫେଲ୍ ମାରୁଛି କି ସରକାରଙ୍କ ମିଶନ ଶକ୍ତି ସ୍କୁଟର ଯୋଜନା ? SHG ହିତାଧିକାରୀଙ୍କୁ ବିନା ସୁଧ ଋଣରେ ସ୍କୁଟର ଦେବାକୁ ହୋଇଥିଲା ସ୍କିମ୍ । ହେଲେ ବାଧକ ସାଜୁଛି ପୂର୍ବରୁ କରିଥିବା ଋଣ । ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ଆଣିଛନ୍ତି ମିଶନ ଶକ୍ତି ସ୍କୁଟର ଯୋଜନା । ସ୍ୱୟଂ ସହାୟକ ଗୋଷ୍ଠୀ, ମହାସଂଘ, କାର୍ଯ୍ୟରତ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଏବଂ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟମାନଙ୍କ ଯାତାୟତ ସୁଗମ କରିବା ପାଇଁ ଏହି ସ୍କିମ୍ ଆଣିଛି ମିଶନ ଶକ୍ତି ବିଭାଗ । ଯେଉଁଥିରେ ବିନା ସୁଧରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇ ସ୍କୁଟର କିଣି ପାରିବେ।

ଏହି ସ୍କିମ୍ ଲାଗୁ କରିବା ପାଇଁ ଆଗାମୀ ୫ ବର୍ଷରେ ୫୨୮ କୋଟି ୫୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ସ୍କିମ୍ ଘୋଷଣା ପରେ ଅନେକ SHG ସ୍କୁଟର ପାଇଁ ଆବେଦନ କଲେ । ହେଲେ କିଛି କିଛି ସଦସ୍ୟାଙ୍କୁ ସ୍କୁଟର ମିଳିଥିବା ବେଳେ ଅନେକ ନିରାଶ ହୋଇଛନ୍ତି । ଏଥିରେ ବାଧକ ସାଜିଛି ପୂର୍ବରୁ କରିଥିବା ଋଣ । ଅନେକ ଗ୍ରୁପ୍ ବ୍ୟବସାୟ କରିବା ପାଇଁ ଋଣ ନେଇ ସୁଝି ନଥିବାରୁ, ସ୍କୁଟି ପାଇଁ ପୁଣି ଋଣ ଦେବାକୁ ରାଜି ହେଉନାହାନ୍ତି ବ୍ୟାଙ୍କ । ଏଭଳି ଅବ୍ୟବସ୍ଥାକୁ ନେଇ ତେଜିଛି ରାଜନୀତି । ବିରୋଧୀ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି, କେବଳ ମହିଳା ଭୋଟ୍ ନେବା ପାଇଁ ଏହି ସ୍କିମ୍ ଅଣାଯାଇଥିଲା ।

ମିଶନ ଶକ୍ତି ସ୍କୁଟର ଯୋଜନାରେ ବାଲେଶ୍ୱର ବାରବାଟୀ ଅଂଚଳର ସାଇକୃପା SHG ଆବେଦନ କରିଥିଲେ । ହେଲେ ପୁରୁଣା ଋଣ ସୁଝି ନଥିବାରୁ ସ୍କୁଟର ପାଇଁ ଲୋନ୍ ମିଳୁନି । ଅନ୍ୟପଟେ ଗଂଜାମ କବିସୂର୍ଯ୍ୟନଗର ବ୍ଲକ୍ ଆମ୍ବପୁଆ ପଂଚାୟତର ଅନେକ SHG ମଧ୍ୟ ସ୍କୁଟର ପାଇବା ପାଇଁ ଆବେଦନ କରିଥିଲେ । ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ୨୫ ହଜାର ମାର୍ଜିନ ମନି ଦେବାକୁ କହୁଥିବାରୁ ମହିଳାମାନେ ସ୍କୁଟର ପାଇବାରୁ ବଚିଂତ ହୋଇଥିବା ଅଭିଯୋଗ ହୋଇଛି । ସେପଟେ ଏସ୍ଏଚ୍‌ଜି ସଦସ୍ୟାଙ୍କୁ ସ୍କୁଟି ଋଣ ଦେବାରେ ପାତରଅନ୍ତର କରାଯାଉଥିବା ବି କିଛି କିଛି ସ୍ଥାନରୁ ଅଭିଯୋଗ ଆସିଛି ।

ଗୋଟିଏ ପଟେ SHG ସଦସ୍ୟାଙ୍କୁ ବ୍ୟବସାୟ ଦେଇ ଖୁସ୍ ରଖିବାକୁ ଉଦ୍ୟମ କରୁଛି ବିଜେଡି । ହେଲେ ସ୍କୁଟର ଯୋଜନାରେ ଥିବା ଋଣ ସମସ୍ୟା କେବେ ସମାଧାନ କରାଯାଉଛି ତା’ ଉପରେ ନଜର ।

  • Reported by:
  • RASHMIRANJAN DAS , HARIHARA CHAND , Pitabasa Das , Surya Narayan Panda