• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ସ୍କାମ୍ । ଓଡ଼ିଶାରେ ଚିଟ୍‌ଫଣ୍ଡ ଦୁର୍ନୀତି । ମହାରାଷ୍ଟ୍ରରେ ପାତ୍ରା ଚଲ୍ ଘୋଟାଲା । ମନ୍ତ୍ରୀ, ସାଂସଦଠୁ ପୂର୍ବତନ ବିଧାୟକ ଓ ସେଲିବ୍ରିଟି ଯାଏଁ, ସମସ୍ତଙ୍କୁ ଘାଣ୍ଟୁଛି ଇଡି । ବହୁଚର୍ଚ୍ଚିତ ପାତ୍ରା ଚଲ୍ ଦୁର୍ନୀତି ଓ ଅର୍ଥ ହେରଫେର ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଅଟକ ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଗୋରେଗାଁର ୪୭ ଏକର ଜମିରେ ୬୭୨ ଅନ୍ତେବାସୀଙ୍କ ପାଇଁ ନିର୍ମିତ ପାତ୍ର ଚଲ୍‌ର ରି-ଡେଭଲପମେଣ୍ଟ ନାଁରେ ୧ ହଜାର ୩୪ କୋଟିର ଘୋଟାଲା ଅଭିଯୋଗରେ, ପୂର୍ବରୁ ସଞ୍ଜୟଙ୍କ ସହଯୋଗୀ ପ୍ରବୀଣ ରାଉତଙ୍କୁ ଗିରଫ କରିବା ସହିତ ପତ୍ନୀ ବର୍ଷା ଓ ତାଙ୍କ ୨ ସହଯୋଗୀଙ୍କ ୧୧ କୋଟିରୁ ଅଧିକ ସଂପତ୍ତି ଆଟାଚ୍ କରିଥିଲା ଇଡି । ସଞ୍ଜୟ ବି ସ୍କାନରକୁ ଆସିବା ପରେ ତାଙ୍କୁ ଦୁଇ ଦୁଇଥର ସମନ୍ ହୋଇଥିଲା ।

ହେଲେ ସଞ୍ଜୟ ଏହାକୁ ଅବମାନନା କରିବାରୁ, ଆଜି ଇଡି ଟିମ୍ ସିଆରପିଏଫ୍‌କୁ ସାଥିରେ ଧରି ସକାଳୁ ସକାଳୁ ତାଙ୍କ ଘରେ ପହଞ୍ଚିଥିଲା । ସେଠାରେ ଚଢ଼ାଉ ହେବା ସହିତ ତାଙ୍କୁ ଜେରା କରିବା ପରେ ଅଟକ ରଖିଛି ଇଡି । ଏହି କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ସଞ୍ଜୟଙ୍କ ବାସଭବନ ଆଗରେ ଶିବସେନା କର୍ମୀ ଏକାଠି ହୋଇ ଇଡି ବିରୋଧରେ ନାରାବାଜି କରିଛନ୍ତି । ତେଣେ ସଞ୍ଜୟ ରାଉତ ଟୁଇଟ୍ କରିଛନ୍ତି ଯେ, ତାଙ୍କ ବିରୋଧରେ ଆସିଥିବା ସବୁ ଅଭିଯୋଗ ମିଛ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ।

ତେଣେ ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ସ୍କାମରେ ବହିଷ୍କୃତ ମନ୍ତ୍ରୀ ତଥା ନିଲମ୍ବିତ ଟିଏମ୍‌ସି ହେଭିୱେଟ୍ ପାର୍ଥ ଚାଟାର୍ଜୀ ଓ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କୁ ଜେରା ଚାଲୁ ରଖିଛି ଇଡି । ଅର୍ପିତାଙ୍କ ଏକାଧିକ ଆପାର୍ଟମେଣ୍ଟରେ ଟଙ୍କା ଓ ସୁନାର ପାହାଡ଼ କିଏ ଠୁଳ କରିଥିଲା ଏବଂ ତାର ଉତ୍ସ କଣ, ଏଥିରେ ଆଉ କିଏ ସଂପୃକ୍ତ ଜାଣିବାକୁ ଇଡି ଚେଷ୍ଟା ଚଳାଇଥିବା ବେଳେ ପାର୍ଥ କହିଛନ୍ତି, ‘ସେସବୁ ମୋର ନୁହେଁ । ମୁଁ ଷଡ଼ଯନ୍ତ୍ରର ଶିକାର ହୋଇଛି ।’

ଏଣେ ଓଡ଼ିଶାରେ ଚିଟ୍‌ଫଣ୍ଡ ମାମଲାରେ ବି ଖୋଳତାଡ଼ ଜାରି ରଖିଛି ଇଡି । ସି-ସୋର୍ ଚିଟ୍‌ଫଣ୍ଡ ମାମଲାରେ ଗତକାଲି ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ୨୫ ଲକ୍ଷ ଟଙ୍କାର ବ୍ୟାଙ୍କ୍ ବାଲାନ୍ସ ଆଟାଚ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହାପୂର୍ବରୁ ଗତ ଜୁନ୍‌ରେ ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଘଣ୍ଟା ଘଣ୍ଟା ଧରି ଜେରା କରିଥିଲା ଇଡି । ତେବେ ଆଜି ପ୍ରଭାତ ବିଶ୍ୱାଳ କହିଛନ୍ତି, ଏହା ଏକ ଜମି କିଣାବିକା ସଂପର୍କିତ ମାମଲା ।

ଇଡି ଏଭଳି ଆକ୍ସନ୍ ମୋଡ୍‌କୁ ଆସିବା ପରେ କେନ୍ଦ୍ର ସରକାରକୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ବିଜେଡି ଏହାକୁ ଆକ୍ରୋଶମୂଳକ ରାଜନୀତି କହୁଥିବା ବେଳେ, କଂଗ୍ରେସ କହିଛି ଦରଦାମ ବୃଦ୍ଧି ଓ ବେକାରୀ ଭଳି ପ୍ରସଙ୍ଗ ଉପରୁ ନଜର ହଟାଇବାକୁ ଇଡି ଓ ସିବିଆଇ ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ବ୍ୟବହାର କରାଯାଉଛି । ଏହି ୨ଟି ସମସ୍ୟାକୁ ନେଇ କଂଗ୍ରେସ ଅଗଷ୍ଟ ୫ରେ ସବୁ ରାଜ୍ୟରେ ରାଜଭବନ ଘେରାଉ କରିବାକୁ ନିଷ୍ପତ୍ତି ନେଇଛି । ଅନ୍ୟପକ୍ଷରେ ବିଜେପି କହିଛି, ପଶ୍ଚିମବଙ୍ଗରେ ଇଡି ଯେଉଁଭଳି ଭାବରେ ଟଙ୍କାର ପାହାଡ଼ ଖୋଜି ବାହାର କରିଛି, ତାକୁ ପ୍ରଶଂସା କରିବା କଥା ।