Advertisment

ପକେଇଲା ଛେପ ଢୋକିଲେ ରାଜ୍ୟ ସରକାର, ପ୍ରତ୍ୟାହାର କଲେ ଆଦିବାସୀ ଜମି ହସ୍ତାନ୍ତର ସଂଶୋଧନ ନିଷ୍ପତ୍ତି

ରାଜ୍ୟ ସରକାରଙ୍କୁ ଘାରିଲା କି ଆଦିବାସୀ ଭୋଟ୍ ବ୍ୟାଙ୍କ୍ ଭାଙ୍ଗିବା ଭୟ ? ପକେଇଥିବା ଛେପକୁ ଢୋକିଲେ ସରକାର। ପ୍ରତ୍ୟାହାର କଲେ ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତ୍ତି।

author-image
Santosh Kumar Sahoo
undefined

Tribal Politics

୧୪ ନଭେମ୍ବରରେ ଆଦିବାସୀ ଜମି କିଣାବିକାରେ ସଂଶୋଧନ କଲେ, ବିରୋଧରେ ହେବାରୁ ମାତ୍ର ୧୦ ଦିନ ପରେ କ୍ୟାବିନେଟ ନିଷ୍ପତ୍ତିକୁ ସ୍ଥଗିତ ରଖି ଆଦିବାସୀ ଉପଦେଷ୍ଟା ପରିଷଦକୁ ତର୍ଜମା ପାଇଁ ପଠାଇ ଦେଲେ। ହେଲେ ଏବେ ପରିଷଦର ବିନା କୌଣସି ବୈଠକ ବା ସୁପାରିଶରେ ଗତକାଲି ପୁଣି କ୍ୟାବିନେଟ୍ ଡାକି ନିଷ୍ପତ୍ତିକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିଛନ୍ତି। ତେଣୁ ପୂରା ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ଛିଡା ହୋଇଛି ବି ପ୍ରଶ୍ନ ।

Advertisment

ରାଜ୍ୟ ସରକାରଙ୍କୁ ଘାରିଲା କି ଆଦିବାସୀ ଭୋଟ୍ ବ୍ୟାଙ୍କ୍ ଭାଙ୍ଗିବା ଭୟ ? ପକେଇଥିବା ଛେପକୁ ଢୋକିଲେ ସରକାର। ପ୍ରତ୍ୟାହାର କଲେ ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତ୍ତି। ଗତକାଲି କ୍ୟାବିନେଟ ଡାକି ପୂର୍ବ କ୍ୟାବିନେଟ୍ ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛନ୍ତି ସରକାର। ତା ସହ ଆଦିବାସୀଙ୍କ ପାଇଁ କରିଛନ୍ତି ଯୋଜନାର ବର୍ଷା । ନଭେମ୍ବର ୧୪ରେ ଅନୁସୂଚିତ ଅଞ୍ଚଳରେ ରେଗୁଲେସନ-୨, ୧୯୫୬ ଆଇନରେ ସଂଶୋଧନ ଆଣି, ଆଦିବାସୀ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ମଞ୍ଜୁର କରିଥିଲା କ୍ୟାବିନେଟ୍ । ଯାହାକୁ ନେଇ ଦେଖା ଦେଇଥିଲା ତୀବ୍ର ପ୍ରତିକ୍ରିୟା। ବିରୋଧ କରିଥିଲେ ଆଦିବାସୀ, ଆନ୍ଦୋଳନ ଚେତାବନୀ ଦେଇଥିଲେ ବିରୋଧୀ। ଯେଉଁଥି ପାଇଁ ମାତ୍ର ୨ ଦିନ ପରେ ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ ସରକାର। ତେବେ ନିଷ୍ପତ୍ତିକୁ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଲଗାତାର ଦୁଇ ଦିନ ବିଧାନସଭା ଅଚଳ କରିଥିଲେ ବିରୋଧୀ ।

ଏହାପରେ ପୁଣି ନଭେମ୍ବର ୨୪ରେ କ୍ୟାବିନେଟ୍ ଡାକି ନିଷ୍ପତ୍ତିର ତର୍ଜମା କରିବାକୁ ଆଦିବାସୀ ଉପଦେଷ୍ଟା ପରିଷଦକୁ ପଠାଇଥିଲେ ସରକାର। ହେଲେ ପ୍ରଶ୍ନ, ଏଯାଏଁ ଆଦିବାସୀ ଉପଦେଷ୍ଟା ପରିଷଦ, କୌଣସି ମତ ଦେଇ ନ ଥିବା ବେଳେ କେମିତି ନିଷ୍ପତ୍ତିକୁ ପ୍ରତ୍ୟାହାର କଲେ ସରକାର ? ଅର୍ଥାତ ଯଦି ସଂଶୋଧନ ଭୁଲ୍ ଅଛି, ତାହେଲେ ଏଥିପାଇଁ ଦାୟୀ କିଏ। ସଂଶୋଧନ କରିବା ପଛରେ ରାଜ୍ୟ ସରକାରଙ୍କ କ’ଣ ଉଦ୍ଦେଶ୍ୟ ଥିଲା । ଯଦି ଭୁଲ୍ ଥିଲା କାହିଁକି ପ୍ରତ୍ୟାହାର ପାଇଁ ୩ ମାସ ପକେଇ ରଖିଥିଲେ ସରକାର। ଯାହାକୁ ନେଇ ତେଜିଛି ରାଜନୀତି।

Advertisment

ଖାଲି ଜମି ହସ୍ତାନ୍ତର ଆଇନକୁ ପ୍ରତ୍ୟାହାର କରିନାହାନ୍ତି ତା ସହ ଆଦିବାସୀଙ୍କୁ ଖୁସି କରିବାକୁ ଏକାଧିକ ନିଷ୍ପତ୍ତି ନେଇଛନ୍ତି ସରକାର। ଯେମିତି କି ଲଘୁ ବନଜାତ ଦ୍ରବ୍ୟ କ୍ରୟ ପାଇଁ ଲାଭ ନାମକ ଏକ ଯୋଜନା କରାଯାଇଛି। ସେହିପରି ୧୬୯ ସଂପ୍ରଦାୟଙ୍କୁ ଅନୂସୂଚିତ ଜନଜାତି ତାଲିକାରେ ସାମିଲ ପାଇଁ ପ୍ରସ୍ତାବ । ଆଦିବାସୀ ଭାଷାର ସଂରକ୍ଷଣ ଓ ପ୍ରଚାର ପାଇଁ କମିସନ ଗଠନ ପାଇଁ ବି ନିଷ୍ପତ୍ତି ନିଆଯାଇଛି। କୁହାଯାଉଛି ଆଦିବାସୀ ଜମି ହସ୍ତାନ୍ତର ଆଇନରେ ସଂଶୋଧନ କରି ପୂରା ବ୍ୟାକଫୁଟରେ ଥିଲେ ନବୀନ ସରକାର ।

ଅନ୍ୟପଟେ ଆଦିବାସୀ ଅଞ୍ଚଳରେ ବିଜେପିର ଶକ୍ତି ବୃଦ୍ଧି। କାହିଁକି ନା ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜେପି ହାସଲ କରିଥିବା ବିଜୟରେ ଏକ ପ୍ରମୁଖ ଫ୍ୟାକ୍ଟର ଥିଲା ଆଦିବାସୀ ଭୋଟ୍। ଏହି ୩ ରାଜ୍ୟରେ ୧୦୧ ଏସ୍‌ଟି ସଂରକ୍ଷିତ ଆସନରୁ ପ୍ରାୟ ୫୩ଟି ଆସନ ଦଖଲ କରିଛି ବିଜେପି । ପୁଣି ଓଡ଼ିଶାର ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଆସନରେ ବସାଇ ଆଦିବାସୀଙ୍କ ମନ ଜଣିବାରେ ଆଗରେ ରହିଛି ବିଜେପି। ରାଜନୈତିକ ସମୀକ୍ଷକଙ୍କ ମତରେ ନିର୍ବାଚନ ପୂର୍ବରୁ ଡ୍ୟାମେଜ କଣ୍ଟ୍ରୋଲ ପାଇଁ ଭରପୁର ଚେଷ୍ଟା କରୁଛି ବିଜେଡି ସରକାର।

ରାଜ୍ୟରେ ପ୍ରାୟ ୨୨ ପ୍ରତିଶତ ଆଦିବାସୀ ରହିଛନ୍ତି। ଏବେ ଦେଖିବାର କଥା, କ୍ୟାବିନେଟ୍ ନିଷ୍ପତ୍ତି ସରକାରଙ୍କ ପାଇଁ କେତେ ସହାୟତା ହେଉଛି।

Odisha Cabinet Meeting Cabinet Decision Scheduled Tribes
Advertisment
Advertisment