• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ତଳକୁ ତଳକୁ ଖସୁଛି ଓଡ଼ିଶା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଉ କୋଭିଡ୍ ପରିଚାଳନାରେ ନମ୍ବର ଓ୍ୱାନ୍‌ର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାରଙ୍କ ପୋଲ୍ ଖୋଲି ଦେଇଛି ନୀତି ଆୟୋଗର ହେଲ୍ଥ ଇଣ୍ଡେକ୍ସ । ୧୯ଟି ବଡ଼ ରାଜ୍ୟ ମଧ୍ୟରେ ଓଡିଶା ରହିଛି ୧୪ ନମ୍ବରରେ । ସ୍ୱାସ୍ଥ୍ୟ କ୍ଷେତ୍ରରେ ସାମାନ୍ୟ ଉନ୍ନତି କରିଥିବା ବେଳେ ଟୀକାକରଣ ଓ ଯକ୍ଷ୍ମା ରୋଗ ଚିହ୍ନଟରେ କମିଛି ପ୍ରଦର୍ଶନ । ଏହାକୁ ନେଇ ସରକାରଙ୍କୁ ପ୍ରଚାର ସର୍ବସ୍ୱ କହି ବିରୋଧୀ ଟାର୍ଗେଟ କରିଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଯୁକ୍ତି ଆମେ ଏକ ନମ୍ବର ଥିଲୁ ଆଉ ଅଛୁ । ନିତି ଆୟୋଗଙ୍କ ରିପୋର୍ଟ ଭୁଲ୍ । ହେଲେ ଗ୍ରାଉଣ୍ଡ ରିୟାଲିଟି କିନ୍ତୁ କହୁଛି କିଛି ଭିନ୍ନ କଥା ।

ନିତି ଆୟୋଗ ରିପୋର୍ଟରେ ଓଡ଼ିଶା ସ୍ୱାସ୍ଥ୍ୟ ସେବାର ବିକଟ ଚିତ୍ର । ବଢୁଛି ପ୍ରଚାର, ଖସୁଛି ରାଙ୍କ । ୧୯ ବଡ଼ ରାଜ୍ୟ ତାଲିକାରେ ୧୪ ନମ୍ବରରେ ଓଡ଼ିଶା । ସାମଗ୍ରିକ ଭାବେ ସର୍ବନିମ୍ନ ଉନ୍ନତି ସହ ବହୁ କ୍ଷେତ୍ରରେ ପ୍ରଦର୍ଶନ କମିଛି । ଗୋଟିଏ ବର୍ଷରେ ୨ ରାଙ୍କ ତଳକୁ ଖସିଛି ଓଡ଼ିଶା । ଗତ ବର୍ଷ ୧୨ ରାଙ୍କରେ ଥିଲା ରାଜ୍ୟ । ତେବେ ସ୍ୱାସ୍ଥ୍ୟ ସୂଚକାଙ୍କ ଅନୁସାରେ ଅନେକ କ୍ଷେତ୍ରରେ ପ୍ରଦର୍ଶନ କମିଛି । ଏବେ ବି ରାଜ୍ୟରେ ପ୍ରତି ହଜାରରେ ୩୧ ଶିଶୁ ମୃତ୍ୟୁବରଣ କରୁଛନ୍ତି ।

ସେହିପରି ଟୀକାକରଣରେ ୮୫.୬୧ ପ୍ରତିଶତ ସହ ଗତବର୍ଷ ତୁଳନାରେ କମିଛି ପ୍ରଦର୍ଶନ । ଏହା ସହ ଟିବି ବା ଯକ୍ଷ୍ମା ଚିକିତ୍ସା ନେଇ ପ୍ରଦର୍ଶନ ଭଲ ଥିଲେ ମଧ୍ୟ ନିରୂପଣ କରିବାରେ ପଛରେ ରହିଛି ସ୍ୱାସ୍ଥ୍ୟ ବିଭାଗ । ମୋଟ୍ ୪୩ଟି ପାରାମିଟର ଉପରେ ସ୍ୱାସ୍ଥ୍ୟ ସୂଚକାଙ୍କ ନିର୍ଦ୍ଧାରଣ ହୋଇଥିବା ବେଳେ ୩୩ଟିରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । 

ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜ୍ୟରେ ପିଏଚ୍‌ସି ଓ ସିଏଚ୍‌ସିଗୁଡିକରେ ବହୁ ଏଏନ୍ଏମ୍ , ଷ୍ଟାଫ୍ ନର୍ସ, ଡାକ୍ତର, ମେଡିକାଲ ଅଫିସର ପଦବି ଖାଲିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବି ନାହାନ୍ତି ବିଶେଷଜ୍ଞ । ଯାହାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ରିପୋର୍ଟରୁ ପ୍ରଚାର ସର୍ବସ୍ୱ ସରକାରଙ୍କ ଅସଲ ମୁଖା ଖୋଲିଥିବା କହିଛନ୍ତି ବିଜେପି ଓ କଂଗ୍ରେସ । ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଯୁକ୍ତି ହେଲା, ନିତି ଆୟୋଗଙ୍କ ରିପୋର୍ଟ ଭୁଲ୍ । କାହିଁକି ନା ଟିବି ଓ ଟୀକାକରଣରେ କେନ୍ଦ୍ର ସରକାର ଓଡ଼ିଶାକୁ ଦେଇଛନ୍ତି ୧ ନମ୍ବର ମାନ୍ୟତା ।

ଗ୍ରାଉଣ୍ଡ ରିପୋର୍ଟ ବି କହୁଛି ସ୍ୱାସ୍ଥ୍ୟ ସେବାର ବାସ୍ତବ ସ୍ଥିତି । କୋରାପୁଟସ୍ଥିତ SLN ମେଡିକାଲ୍ କଲେଜ ଓ ହସ୍ପିଟାଲର ବାରଣ୍ଡାରେ ଚାଲିଛି ସ୍ୱାସ୍ଥ୍ୟ ସେବା । ଖାଲି ବାରଣ୍ଡାରେ ନୁହଁ ବେଡ୍ ଅଭାବରୁ ୱାର୍ଡ ଭିତରେ ବି ରୋଗୀ ତଳେ ଶୋଇଛନ୍ତି । ଆଉ କିଛି ପରୀକ୍ଷା କରିବାକୁ ହେଲେ ତ କଥା ସରିଲା । ଲମ୍ବା ଲାଇନରେ ଘଣ୍ଟା ଘଣ୍ଟାର ଅପେକ୍ଷା । ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଲା ସମୟ ସମୟରେ ପାଣି ଓ ବିଜୁଳି ବିଭ୍ରାଟରେ ହନ୍ତସନ୍ତ ରୋଗୀ ଓ ସଂପର୍କୀୟ ।

ଆଉ ଗୋଟିଏ ଘଟଣା ହେଲା, ଉପକୂଳ ବାଲେଶ୍ୱରର ନୀଳଗିରି ଉପଖଣ୍ଡ ନୂଆସାହିର ସୁନୀଲ ନାୟକ ଗାଡି ଚଲାଇ ପେଟ ପୋଷୁଥିଲେ । ଏବେ ମାନସିକ ଭାରସାମ୍ୟ ହରାଇ ଘରେ ପଡିଛନ୍ତି । ଏମିତି ସ୍ଥିତିରେ ଚିକିତ୍ସା ସାତସ୍ୱପ୍ନ । କାହିଁକି ନା ଏମାନଙ୍କ ପାଖରେ ନାହିଁ BSKY କାର୍ଡ ।