• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପଞ୍ଚାୟତ ପରେ ପରେ ପୌର ପାଇଁ ଜୋର ଧରିଲା ରାଜନୈତିକ ଦଳଙ୍କ କସରତ । ଏଥର ପୌର ନିର୍ବାଚନରେ ଦଳ କାହା ଉପରେ ଭରଷା କରିବ, ଆଉ କାହାକୁ ଲଢ଼ିବାକୁ ସୁଯୋଗ ଦେବ, ତାକୁ ନେଇ ଚାଲିଛି ଜୋରଦାର ଅଙ୍କକଷା । ତେଣେ ନିଜକୁ ଦାବିଦାର ଭାବି ଦଳୀୟ ନେତାଙ୍କ ଘର ଆଗରେ କର୍ମୀ, ସମର୍ଥକଙ୍କୁ ନେଇ ଆଶାୟୀ ପ୍ରାର୍ଥୀଙ୍କ ଭିଡ଼ ବଢ଼ିବାରେ ଲାଗିଛି । ଶାସକ ବିଜେଡିଠୁ ଆରମ୍ଭ କରି ବିଜେପି ଓ କଂଗ୍ରେସରେ ବି ଏକାଧିକ ଆଶାୟୀ ଥିବାରୁ ସେମାନଙ୍କୁ ମ୍ୟାନେଜ୍ କରିବା ଏବେ ସବୁ ଦଳ ପାଇଁ ଚ୍ୟାଲେଞ୍ଜ୍ ପାଲଟିଛି ।

ପଞ୍ଚାୟତ ପରେ ଜମି ଆସୁଛି ପୌର ନିର୍ବାଚନ ଉଷ୍ମତା । ଗୋଟେ ପଟେ ନାମାଙ୍କନ ତ ଅନ୍ୟପଟେ ଦଳୀୟ ନେତାଙ୍କ ଘର ଆଗରେ ଆଶାୟୀଙ୍କ ଖଚାଖଚ ଭିଡ଼ । ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ସରକାରୀ ବାସଭବନଙ୍କ ଘର ଆଗରେ ଭିଡ ଦେଖିବାକୁ ମିଳିଛି । ଆଜି ସକାଳୁ ଦିନ ତମାମ ଏମିତି କର୍ମୀ, ସମର୍ଥକ ଓ ଶୁଭେଚ୍ଛୁଙ୍କ ସହ ଡେରା ପକାଇଥିଲେ । କର୍ପୋରେଟର ଟିକେଟ୍ ପାଇବାକୁ ଥିବା ଆଶାୟୀ ପ୍ରାର୍ଥୀ ଭିଡ଼ ଏତେ ଅଧିକ ଥିଲା ଯେ, ନିୟନ୍ତ୍ରଣ କରିବାକୁ ପୋଲିସ ସାହାରା ନେବାକୁ ପଡ଼ିଥିଲା ।

ଏପଟେ ରାଜଧାନୀ ରାଜନୀତିର ଅନ୍ୟ ପାୱାର ସେଣ୍ଟର ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଧାୟକ ଅନନ୍ତନାରାୟଣ ଜେନାଙ୍କ ଘରେ ବି ଦୈନିକ ଲାଗି ରହୁଛି । ଏମିତି ଗହଳି ପଞ୍ଚାୟତ ନିର୍ବାଚନ ଫଳାଫଳ ପରେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଶିବିରରେ ବିଜେଡି ଭଳି ଉତ୍ସାହ ନଥିଲେ ବି, ଟିକେଟ୍ ଲବି ପାଇଁ ଦଳୀୟ ନେତାଙ୍କ ଘର ଆଗରେ କର୍ମୀ ସମର୍ଥଙ୍କକୁ ଧରି ଅହରହ ଚକ୍କର କାଟୁଛନ୍ତି ଆଶାୟୀ ପ୍ରାର୍ଥୀ । ତା ଭିତରେ ଦଳ କାହାକୁ ବିଶ୍ୱାସ କରିବ, ଆଉ କାହାକୁ ଦାୟିତ୍ୱ ଦେବ, ତାକୁ ନେଇ ଲାଗି ରହିଛି ଛକାପଞ୍ଝା ।

 

ଏପଟେ ପୌର ର୍ନିବାଚନ ଲାଗି ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇସାରିଥିଲେ ବି ଶାସକ ବିଜେଡି ହେଉ କି ବିରୋଧୀ ବିଜେପି କିମ୍ବା କଂଗ୍ରେସ, କେଉଁ ଦଳର ପ୍ରାର୍ଥୀ ଚୟନ ଚୂଡ଼ାନ୍ତ ହୋଇପାରିନି । ଭୁବନେଶ୍ବରର ୬୭ଟି ଯାକ ୱାର୍ଡରୁ ବିଜେଡିର ଏକାଧିକ ଆଶାୟୀ ଲବି କରୁଥିବାରୁ ଅଡୁଆରେ ପଡିଛି ଦଳ । ସବୁ ଆଶାୟୀଙ୍କୁ ମ୍ୟାନେଜ କରିବା ନେତାଙ୍କ ପାଇଁ ଚାଲେଞ୍ଜ ପାଲଟିଛି । ତେବେ ବିଜେଡି ଟିକେଟ୍ କାହାକୁ ମିଳିବ, ସେ ନିଷ୍ପତ୍ତି ଦଳ ତିନି ବିଧାୟକଙ୍କ ଉପରେ ନ୍ୟସ୍ତ କରିଥିବାରୁ ସେମାନେ ବି ଚାପରେ ।

ସେହିପରି ବିଜେପିର ଟିକେଟ୍ ବଣ୍ଟା ଦାୟିତ୍ୱର ମଙ୍ଗ ଧରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷ଼ଡଙ୍ଗୀ । ତାଙ୍କୁ ଏଥିରେ ସହଯୋଗ କରୁଛନ୍ତି ଜିଲ୍ଲା ସଭାପତି ବାବୁ ସିଂହ, ବରିଷ୍ଠ ନେତା ହରେକୃଷ୍ଣ ଖୁଣ୍ଟିଆ ଓ ଜଗନ୍ନାଥ ପ୍ରଧାନ । ସେପଟେ କଂଗ୍ରେସର ପ୍ରାର୍ଥୀ ଚୟନର ଦାୟିତ୍ୱ ବିଧାୟକ ସୁରେଶ ରାଉତରାୟ ଓ ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ ଦାଶ ଉପରେ ନ୍ୟସ୍ତ ହୋଇଛି । ପୁରୁଖାଙ୍କ ସ୍ଥାନରେ ନୂଆଙ୍କୁ ଟିକେଟ ମିଳିଲେ ବିଦ୍ରୋହୀ ସୃଷ୍ଟି ହେବା ଆଶଙ୍କା ଥିବାରୁ ମାପି ଚୁପି ନିଷ୍ପତ୍ତି ନେଉଛନ୍ତି ସବୁ ଦଳ ।

ତେବେ ଆଉ ଦିନେ କିମ୍ବା ଦୁଇ ଦିନ ଭିତରେ ରାଜଧାନୀର ଟିକେଟ୍ କସରତ କାମ ଶେଷ ହେବା ସହ ସବୁ ଦଳର ଚିତ୍ର ବି ସ୍ପଷ୍ଟ ହେବା ଅନୁମାନ କରାଯାଉଛି । ଆଉ ତା ଭିତରେ ସବୁ ଦଳର କିଛି ଅସନ୍ତୁଷ୍ଟ ସୃଷ୍ଟି ହେବାର ଆଶଙ୍କା ଥିବାରୁ ଦଳ ଡିଆଁ ପର୍ବର ସମ୍ଭାବନା ଜଳଜଳ ଦେଖାଯାଉଛି ।

ରିପୋର୍ଟର- ଜଗଦୀଶ ଦାସ