• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବାହାନଗା ରେଳ ଟ୍ରାଜେଡି ବେଳେ ବିଜେଡି ନେତାଙ୍କ ଫରେନ୍ ଟୁରକୁ ନେଇ ଚର୍ଚ୍ଚା । ଶୁକ୍ରବାର ସନ୍ଧ୍ୟାରେ ରେଳ ଦୁର୍ଘଟଣା ଘଟିଥିବା ବେଳେ ଶନିବାର ବିଦେଶ ଗସ୍ତରେ ବାହାରିଥିଲେ ବିଜେଡିର ଜଣେ ମନ୍ତ୍ରୀ ୮ ବିଧାୟକ ଆଉ ୩ ମେୟର । ଏମିତିକି ଖୋଦ ସୋର ବିଧାୟକ ପର୍ଶୁରାମ ଧଡା ବି ବିଦେଶ ବୁଲୁଥିଲେ ଆଉ ପୋଜ ଦେଇ ଫୋଟୋ ଉଠାଉଥିଲେ । ଯାହାକୁ ଦୁର୍ଭାଗ୍ୟଜନକ କହି ଶାସକ ଦଳକୁ ଘେରିଛନ୍ତି ବିରୋଧୀ ।

ରାଜ୍ୟରେ ରେଳ ଟ୍ରାଜେଡି, ସେପଟେ ଫରେନ ଟୁରରେ ଟିମ୍ ବିଜେଡି । ଶନିବାର ବାହାନଗା ଦୁର୍ଘଟଣାସ୍ଥଳରୁ ଯେତେବେେଳ ମୃତଦେହ ଉଦ୍ଧାର ଚାଲିଥିଲା ସେତେବେଳେ ସିଙ୍ଗାପୁରରେ ଚାଲିଥିଲା ଶାସକ ଦଳର ସେଲିବ୍ରେସନ । ଏପଟେ ବାଲେଶ୍ୱରରେ ଶବର ପାହାଡ ଛିଡ଼ା ହୋଇଥିଲା, ସେପଟେ ବିଜେଡି ବିଧାୟକଙ୍କ ଚାଲିଥିଲା ବିଦେଶ ଭ୍ରମଣ । ବାହାନଗା ପୀଡିତଙ୍କ ପାଇଁ ଯେତେବଳେ ସାରା ବିଶ୍ୱ ପ୍ରାର୍ଥନା କରୁଥିଲା, ସେତେବେଳେ ସିଙ୍ଗାପୁରରେ ବିଜେଡି ନେତା ପାଳୁଥିଲେ ଓଡିଶା ଦିବସ ଉତ୍ସବ । ଯାହା ଏବେ ରାଜ୍ୟସାରା ଜନମାନସରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଶୁକ୍ରବାର ସନ୍ଧ୍ୟାରେ ବାହାନଗା ଠାରେ କରମଣ୍ଡଳ ଦୁର୍ଘଟଣା ଯେତେବେଳେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଥିଲା, ସେତେବେଳେ ବିଦେଶ ଯିବାକୁ ପ୍ରସ୍ତୁତ ହେଉଥିଲେ ବିଜେଡି ମେୟର, ବିଧାୟକ ଆଉ ମନ୍ତ୍ରୀ । ଏପଟେ ଶବର ପାହାଡ଼ ଗଦା ହୋଇଚାଲିଥିବା ବେଳେ ଏହି ନେତାମାନେ ରାତି ପାହିବା କ୍ଷଣି ବାହାରି ଯାଇଥିଲେ ସିଙ୍ଗାପୁର ଅଭିମୁଖେ ଅବସର ଥିଲା ଉତ୍କଳ ଦିବସ ପାଳନ । ସିଙ୍ଗାପୁର ଗସ୍ତରେ ଥିଲେ ମନ୍ତ୍ରିମଣ୍ଡଳରୁ ଆଜି ବାଦ୍ ପଡ଼ିଥିବା ରୋହିତ ପୂଜାରୀଙ୍କ ସହ ବିଧାୟକ କ୍ୟାପେଟନ ଦିବ୍ୟଶଙ୍କର ମିଶ୍ର, ଅଶୋକ ବଳ, ସମ୍ବିତ ରାଉତରାୟ, ଆକାଶ ଦାସନାୟକ, ବିଷ୍ଣୁବ୍ରତ ରାଉତରାୟ, ଧ୍ରୁବ ସାହୁ, ପ୍ରଶାନ୍ତ ବେହେରା । ଏମାନଙ୍କ ସହ ଯାଇଥିଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, କଟକର ମେୟର ସୁବାସ ସିଂ ଏବଂ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ।

ବଡ କଥା ହେଲା ବାହାନଗା ନିଜ ନିର୍ବାଚନମଣ୍ଡଳିରେ ଆସୁଥିଲେ ବି ଖୋଦ ସୋର ବିଧାୟକ ପର୍ଶୁରାମ ଧଡା ସିଙ୍ଗାପୁର ଗସ୍ତରେ ଥିଲେ । କରମଣ୍ଡଳ ଦୁର୍ଘଟଣା ଘଟିବା ପରେ ପରେ ଯେତେବେଳେ ସମଗ୍ର ସୋରବାସୀ ଜୀବନକୁ ବାଜି ଲଗାଇ ଦୁର୍ଗତଙ୍କ ପାଇଁ ଅଣ୍ଟା ଭିଡିଥିଲେ, ସେତେବେଳେ ଜନପ୍ରତିନିଧି ବିଦେଶରେ ଥିଲେ ସେଲିବ୍ରେସନ ମୁଡରେ । ହେଲେ ସଫେଇରେ ପର୍ଶୁରାମଙ୍କ ଉତ୍ତର ଥିଲା -ଘଟଣା ଏକ ଜାତୀୟ ବିପତ୍ତି । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତେ ଥିଲେ । ବିଦେଶରେ ଥିଲେ ବି ସେଠୁ ମୁଁ ସବୁ ମନିଟରିଂ କରୁଥିଲି । 

୨ ତାରିଖ ଶୁକ୍ରବାର ସନ୍ଧ୍ୟାରେ ଘଟିଥିଲା ଦୁର୍ଘଟଣା । ଆଉ ୩ ତାରିଖ ଶନିବାର ସକାଳୁ ବିଦେଶ ଅଭିମୁଖେ ବାହାରିଯାଇଥିଲେ ବିଜେଡି ବିଧାୟକ ଓ ମନ୍ତ୍ରୀ । ସେତେବେଳକୁ ସ୍ପଷ୍ଟ ବି ହୋଇ ସାରିଥିଲା ମୃତାହତଙ୍କ ସଂଖ୍ୟା ହଜାରରୁ ଅଧିକ । ଏମିତି ସ୍ଥିତିରେ କେମିତି ବିଦେଶ ଗଲେ ବିଜେଡି ନେତାମନ୍ତ୍ରୀ ଓ ସ୍ଥାନୀୟ ବିଧାୟକ ? କାହିଁକି ବାତିଲ କରି ହେଲାନି ସିଙ୍ଗାପୁରରେ ଓଡିଶା ଦିବସ କାର୍ଯ୍ୟାକ୍ରମ ? ଏମିତିକି, କରମଣ୍ଡଳ ଦୁର୍ଘଟଣା ପରେ ହିଁ ନୋ ସେଲିବ୍ରେସନ ଘୋଷଣା କରିଥିଲେ ସରକାର । ତେବେ ଏଭଳି ଘଟଣାକୁ ନିନ୍ଦା କରିବା ସହ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିରୋଧୀ । ତେବେ କଟକ ମେୟରକୁ ଏ ପ୍ରସଙ୍ଗରେ ପଚାରିବାରୁ ସେ ହାତ ଯୋଡି ଚାଲିଥିଲେ ।

  • Reported by:
  • GAUTAM PANDA , JAGDISH DAS , SOUMYA RANJAN SAHOO , Niranjan Behera