• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପଞ୍ଚଭୂତରେ ବିଲୀନ ହେଲେ ବିଧାନସଭାର ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ । ଗତକାଲି ବିଳମ୍ବିତ ରାତିରେ ନିଜର ଜନ୍ମମାଟି ତିହିଡି ବ୍ଲକ ମଙ୍ଗରାଜପୁର ଗାଁରେ ଦିଆଯାଇଛି ଅନ୍ତିମ ବିଦାୟ । ବର୍ଷା ଭିଜା ରାତିରେ ନିଜର ପ୍ରିୟନେତାଙ୍କୁ ଶେଷ ଦର୍ଶନ ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ପ୍ରଶଂସକ, ସମ୍ପର୍କୀୟ ଓ ପରିବାର ସଦସ୍ୟ ।

ବିଷ୍ଣୁ ସେଠୀ ଙ୍କ ମରଶରୀରରେ ତାଙ୍କର ଏକମାତ୍ର ପୁଅ ସୂରଜ ମୁଖାଗ୍ନି ଦେଇଥିଲେ । ଏହି ଦୁଃଖଦ ସମୟରେ ରାଜ୍ୟ ବିଜେପିର ସଭାପତି ସମୀର ମହାନ୍ତି, ବିଜେପି ନେତା ମନମୋହନ ସାମଲ, ବିଧାୟକ ମୋହନ ଚରଣ ମାଝି, ବିଧାୟକ ନାଉରୀ ନାୟକ, ବିଧାୟକ ଭାସ୍କର ମଡେଇ, ବିଧାୟକ ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଗତକାଲି ଦିନ ୧୨.୧୫ରୁ ମହାଯାତ୍ରାରେ ଦିବଂଗତ ନେତା ବିଷ୍ଣୁ ଚରଣ ସେଠୀଙ୍କ ମର ଶରୀର ଭଦ୍ରକ ଅଭିମୁଖେ ବାହାରିଥିଲେ ମଧ୍ୟ ତିହିଡିରେ ରାତି ୧୨.୪୦ରେ ପହଞ୍ଚିଥିଲା । ଧାମନଗର ଛକରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ମୂଷଳ ଧାରର ବର୍ଷା । ରାତି ସାରା ବର୍ଷା ଲାଗି ରହିଥିଲା । ବିଷ୍ଣୁ ବିଧାନସଭାକୁ ଦୁଇଥର ନିର୍ବାଚିତ ହୋଇଥିଲେ। ଥରେ ଚାନ୍ଦବାଲି ଆଉ ଥରେ ଧାମନଗରରୁ । ୨୦୧୯ରେ ସେ ବିରୋଧୀ ଦଳ ଉପନେତା ହେବା ପରେ ତାଙ୍କ ଦାୟିତ୍ୱ ବଢ଼ିଥିଲା । ଏହାସତ୍ତ୍ୱେ ସେ ତାଙ୍କ ପାରମ୍ପରିକ ଅନ୍ଦାଜକୁ ଛାଡ଼ି ପାରିନଥିଲେ ।

ଦ୍ୱିତୀୟ ଥର ବିଧାନସଭାକୁ ଆସିବା ପରେ ତାଙ୍କୁ ସରକାର କ୍ୱାର୍ଟର ଦେଇନଥିବାରୁ ନବୀନଙ୍କ ଉଦ୍ଦେଶ୍ୟରେ ଗୀତ ଗାଇ ବେଶ୍ ଚର୍ଚ୍ଚାକୁ ଆସିଥିଲେ ବିଷ୍ଣୁ । ସେହିଭଳି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ଅବସରରେ ନିଜେ ଲେଖିଥିବା ଏକ କବିତାକୁ ବନ୍ଧେଇ କରି ଉପହାର ମଧ୍ୟ ଦେଇଥିଲେ । କବିତାରେ ସେ ରାଇରଙ୍ଗପୁରରୁ ରାଇସିନା ହିଲ୍ସ ପର୍ଯ୍ୟନ୍ତ ଯାତ୍ରାକୁ ସୁନ୍ଦର ଶବ୍ଦରେ ସଜାଇଥିଲେ ।