• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଖୁବ୍‌ଶୀଘ୍ର ବଦଳିବେ ପିସିସି ସଭାପତି । ଏନେଇ ଆଭାସ୍‌ ଦେଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର । ଆଉ ନିରଞ୍ଜନଙ୍କ ହାତରେ ରହିବନି କଂଗ୍ରେସ ଭାର । ଓଡ଼ିଶା ଗସ୍ତରେ ଆସି କଂଗ୍ରେସର ବରିଷ୍ଠ ନେତାଙ୍କ ସହ ଆଲୋଚନା କରି ଫେରିଛନ୍ତି ଚେଲ୍ଲା କୁମାର । ସବୁ ନେତାଙ୍କ ମତାମତ ଗ୍ରହଣ କରିଛନ୍ତି । ଆଜି ଦିଲ୍ଲୀ ଯାଇ ହାଇକମାଣ୍ଡକୁ ଏନେଇ ସୂଚନା ଦେବେ । ପରେ ହାଇକମାଣ୍ଡ ନୂଆ ପିସିସିଙ୍କ ନାଁ ଘୋଷଣା କରିବେ ବୋଲି ଆଶା କରାଯାଉଛି ।

ତେବେ ଏନେଇ ଚେଲ୍ଲା କୁମାର ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା କରାଯାଇଛି, ନୂଆ ପିସିସି ସଭାପତି ପାଇଁ ଏବେଠୁ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଧାୟକ ଓ ବରିଷ୍ଠ ନେତା ସମସ୍ତେ ନାଁ ଦେଇଛନ୍ତି । ହାଇକମାଣ୍ଡଙ୍କ ସହ ଆଲୋଚନା ପରେ ଖୁବଶୀଘ୍ର ନାଁ ଘୋଷଣା ହେବ । ସେପଟେ ବୈଠକ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ‘ମୁଁ ୨୦୧୯ରୁ ଇସ୍ତଫା ଦେଇଛି, ଯିଏ ଦାୟିତ୍ୱ ତୁଲାଇପାରିବେ ସେ ପିସିସି ସଭାପତି ହେଲେ ଭଲ, ତେବେ ରାଜ୍ୟ କଂଗ୍ରେସ ପ୍ରଭାରୀ ପରିବର୍ତ୍ତନ ନେଇ ତାଙ୍କ ସହ କେହି ଆଲୋଚନା କରିନାହାନ୍ତି । ଏହାସହ ପିସିସି ସଭାପତି ପରିବର୍ତ୍ତନ ହେଲେ ମୁଁ ଖୁସି’ ।

ତେବେ ନିରଞ୍ଜନଙ୍କ ଏଭଳି ବୟାନ୍‌ ନୁଆ ନୁହେଁ । ପୂର୍ବରୁ ମଧ୍ୟ ଏହି ସମାନ କଥା ସେ କହି ଆସୁଛନ୍ତି । ପିସିସି ସଭାପତି ପଦରୁ ସେ ଇସ୍ତଫା ଦେଇସାରିଥିବା କଥା ଅନେକ ଥର କହିଛନ୍ତି । ହେଲେ ହାଇକମାଣ୍ଡ ତାଙ୍କ ଇସ୍ତଫା ଗ୍ରହଣ କରିନାହାନ୍ତି । ତେବେ ଏଥର ତାଙ୍କ ଇସ୍ତଫା ଗ୍ରହଣ କରାଯାଉଛି କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ।

ଅନ୍ୟପଟେ ରାଜ୍ୟରେ ଏବେ କଂଗ୍ରେସର ସ୍ଥିତି ଅତି ଶୋଚନୀୟ ରହିଛି । ଯେଉଁ ଦଳ ରାଜ୍ୟରେ ଦୀର୍ଘ ବର୍ଷ ଧରି ଶାସନ କରି ଆସୁଥିଲା । ଏବେ ସେହି ଦଳ ପ୍ରତ୍ୟେକ ପଞ୍ଚାୟତରେ ନିଜର ପ୍ରାର୍ଥୀ ମଧ୍ୟ ଛିଡ଼ା କରିପାରୁ ନାହିଁ । ଗତ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନରେ ଦଳ ତୃତୀୟ ସ୍ଥାନରେ ରହିଲା । ଏଥିପାଇଁ ଦଳୀୟ ନେତାମାନେ ପିସିସି ସଭାପତିଙ୍କୁ ଦାୟୀ କରିଛନ୍ତି । ଦୀର୍ଘ ଦିନ ଧରି ପିସିସି ପରିବର୍ତ୍ତନ ନେଇ ଦଳ ଭିତରେ ଅସନ୍ତୋଷ ଲାଗି ରହିଛି ।

ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବରୁ କଂଗ୍ରେସ-ବିଜେଡି ସଂପର୍କର ଗୁମର ଖୋଲିଥିଲେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ । ପିସିସି ସଭାପତି ଓ କଂଗ୍ରେସ ପ୍ରଭାରୀ ଚୟନକୁ ନେଇ ସୁର ଦେଇଥିଲେ ବିସ୍ଫୋରକ ବୟାନ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି କିଏ ହେବେ ? ରାଜ୍ୟ କଂଗ୍ରେସର ପ୍ରଭାରୀ ହୋଇ କିଏ ଆସିବେ, ସେସବୁ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ନିଅନ୍ତି ବୋଲି ସୁର କହିଥିଲେ । ନବୀନଙ୍କ ଇଛାରେ ରାଜ୍ୟ କଂଗ୍ରେସର ମୁଖିଆ ବଦଳନ୍ତି ଓ ନିଯୁକ୍ତ ହୁଅନ୍ତି । ସେହିପରି ମେ ୭ ସୁଦ୍ଧା ନୂଆ ପିସିସି ସଭାପତି ନିଯୁକ୍ତ ହେବାର ସମ୍ଭାବନା ରହିଛି ବୋଲି କହିଥିଲେ ସୁର ।