• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କୋଭିଡ୍ କଟକଣା ଭିତରେ ପଂଚାୟତ ନିର୍ବାଚନ ଲାଗି ଜିଲ୍ଲାସ୍ତରରେ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବେ ଜିଲ୍ଲାପାଳ ଓ ଏସପି । ଆସନ୍ତା ୨୮ ତାରିଖ ଭିତରେ ପ୍ରସ୍ତୁତ ହେବ ମାଷ୍ଟର ପ୍ଲାନ୍ । ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ଏନେଇ ବିସ୍ତୃତ ଆଲୋଚାନ କରାଯାଇଛି । ଏହାସହ ନିର୍ବାଚନ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି, କୋଭିଡ୍ କଟାକଣା, ଆଦର୍ଶ ଆଚରଣ ବିଧି, ପ୍ରଚାର ଓ ଗଣତି ପାଇଁ ବ୍ୟବସ୍ଥା ସଂପର୍କରେ ଆଲୋଚନା ହୋଇଛି । ସୁରୁଖୁରୁରେ ନିର୍ବାଚନ ପରିଚଳାନା ଲାଗି ପ୍ରତି ଜିଲ୍ଲାରେ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଏସବୁ ପ୍ରସ୍ତୁତି ଭିତରେ ବଡ଼ ପ୍ରଶ୍ନ ହେଉଛି ଗାଁ ଗହଳିରେ କେମିତି ନିୟମ ମାନିବେ ନେତା ।

 

ଦିନକ ପରେ ଆରମ୍ଭ ହେବ ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା । ଫେବୃୟାରୀ ୧୬ ରୁ ୫ଟି ପର୍ଯ୍ୟାୟରେ ପଡ଼ିବ ଭୋଟ୍ । ତେଣୁ ସବୁ ପ୍ରକାର ପ୍ରସ୍ତୁତିରେ ଫାଇନାଲ୍ ଟଚ୍ ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ଆଜି ମୁଖ୍ୟଶାସନ ସଚିବ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍ପିମାନଙ୍କ ସହିତ ଭର୍ଚୁଆଲ୍ ମୋଡରେ ଆଲୋଚନା କରିଛନ୍ତି । ଫୋକସ୍‌ରେ ରହିଥିଲା କୋଭିଡ୍ ଗାଇଡାଲାଇନ ଅନୁପାଳନ ଓ ଆଇନଶୃଙ୍ଖଳା ପରିସ୍ଥିତି । ଏହାସହିତ ଆଦର୍ଶ ଆଚରଣ ବିଧି, ପ୍ରଚାର, ଭୋଟ୍ ଗଣତି ପ୍ରକ୍ରିୟା ଉପରେ ବିସ୍ତୃତ ଆଲୋଚନା ହୋଇଛି ।

ସମ୍ବେଦନଶୀଳ ଓ ଅଧିକ ସମ୍ବଦନଶୀଳ ବୁଥ୍‌ ଗୁଡିକୁ ଚିହ୍ନଟ କରି ତା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେଠାରେ ସିସିଟିଭି ଲଗାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ନିର୍ବାଚନ ପରିଚଳାନା ଲାଗି ସବୁ ଜିଲ୍ଲାରେ ଜଣେ ବରିଷ୍ଠ ଅଧିକାରୀଙ୍କୁ ନୋଡାଲ୍ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି । ନିର୍ବାଚନ ଲାଗି ୨୮ ଜାନୁୟାରୀ ଭିତରେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ଓ ଏସ୍ପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ବୈଠକରେ ଭୋଟର୍ ଲିଷ୍ଟ ପ୍ରସ୍ତୁତି, ଓ୍ୱାଟର୍ ମାର୍କ ବାଲଟ ପେପର୍ , ବାଲଟ୍ ବକ୍ସ ପ୍ରସ୍ତୁତ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଓ୍ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ଲାଗି ହଳଦିଆ, ସରପଞ୍ଚ ପାଇଁ ଗୋଲାପୀ, ସମିତି ସଭ୍ୟ ଲାଗି ନୀଳ ଓ ଜିଲ୍ଲା ପରିଷଦ ସଭ୍ୟ ଲାଗି ଧଳା ରଙ୍ଗର ବାଲଟ୍ ପେପର ରହିବ । ସବୁ ଜିଲ୍ଲାକୁ ୧୦ ପ୍ରତିଶତ ଅଧିକ ବାଲଟ୍ ପେପର ଦିଆଯାଇଛି । ସେହିଭଳି ନାମାଙ୍କନ ପତ୍ର ଦାଖଲ ସମୟରେ ଜାତି ସାର୍ଟିଫିକେଟ୍, ସତ୍ୟପାଠ ଦାଖଲ, ଜଣେ ପ୍ରିଜାଇଡିଂ ଅଫିସର, ଦୁଇ ଜଣ ପୁଲିଂ ଅଫିସର୍, ଜଣେ ପୋଲିସ୍ ଅଧିକାରୀଙ୍କୁ ନେଇ ପୋଲିଂ ପାର୍ଟି ପ୍ରସ୍ତୁତ କରାଯିବ । ଏଥର ବ୍ଲକ୍ ସଦର ମହକୁମାରେ କାଉଣ୍ଟିଂ ହେଉଥିବାରୁ ସେଠାରେ ଷ୍ଟ୍ରଙ୍ଗ ରୁମ୍ର ସୁରକ୍ଷା ବ୍ୟବସ୍ଥା ଓ ସିସିଟିଭି ସୁବିଧା କରିବାକୁ ମଧ୍ୟ କୁହାଯାଇଛି ।

ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ୨୦୧୭ ପଂଚାୟତ ନିର୍ବାଚନରେ ଚିତ୍ରକୋଣ୍ଡା ବ୍ଲକର ଦୁଇଟି ଜିଲ୍ଲା ପରିଷଦ ଜୋନ୍ ଓ ତା ଅନ୍ତର୍ଗତ ୧୮ଟି ପଂଚାୟତରେ ନିର୍ବାଚନ ହୋଇନଥିଲା । ଏବେ କୋଟିଆ ପଞ୍ଚାୟତ ମଧ୍ୟ ବିବାଦରେ ରହିଛି । ତେଣୁ ଏ ଦୁଇ ସ୍ଥାନର ନିର୍ବାଚନ ଉପରେ ବେଶ୍ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ।

ରିପୋର୍ଟର- ସୂର୍ଯ୍ୟନାରାୟଣ ପଣ୍ତା, ରଶ୍ମୀରଞ୍ଜନ ଦାସ, ହରିହର ଚାନ୍ଦ