• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଛାଇ ଗଲାଣି ପୋଷ୍ଟର ବ୍ୟାନର୍ । ଗାଁ ଛକରେ ହୋର୍ଡିଂ ଆଉ ଚା’ ଖଟିରେ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ଜମିଲାଣି ତ୍ରିସ୍ତରୀୟ ପଂଚାୟତ ଚର୍ଚ୍ଚା । ନିର୍ବାଚନ ତାରିଖ ଘୋଷଣା ପରେ ଗାଁ ରାଜନୀତି ସରଗରମ ହୋଇପଡିଛି । ୱାର୍ଡମେମ୍ବର, ସମିତି ସଭ୍ୟ, ସରପଂଚ ପାଇଁ କାହା କାହା ଭିତରେ ଲଢ଼େଇ ତାକୁ ନେଇ ଜୋରଦାର୍ ଚର୍ଚ୍ଚା ଚାଲିଛି । କେଉଁ ପ୍ରାର୍ଥୀଙ୍କୁ କେଉଁ ଦଳର ସମର୍ଥନ ମିଳିବ, ତାକୁ ନେଇ ବି ଆଲୋଚନା ଜମୁଛି । କାରଣ ଆସନ୍ତାକାଲି ଏନେଇ ବିଜ୍ଞପ୍ତି ବାହାରିବ । ଆଉ ୧୭ରୁ ୨୧ ତାରିଖ ଭିତରେ ନାମାଙ୍କନ ପତ୍ର ଦାଖଲ ସମୟ ନିର୍ଦ୍ଧାରଣ କରାଯାଇଛି । ତେଣୁ ଆଶାୟୀମାନେ ପୁରା ଦମ୍ ଲଗାଇ ଦେଇଛନ୍ତି ।

ଏମିତିକି କିଛି କିଛି ସ୍ଥାନରେ ଆଶାୟୀ ପ୍ରାର୍ଥୀମାନେ ଭୋଟର୍ଙ୍କୁ ଭେଟିବା ଆରମ୍ଭ କରିଦେଲେଣି । ତେବେ କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ଶୋଭଯାତ୍ରା, ସମାବେଶ, ରୋଡ୍ ସୋ ଉପରେ ରାଜ୍ୟ ନିର୍ବାଚନ ଆୟୋଗ କଟକଣା ଲଗାଇଥିବାରୁ ଆଶାୟୀ ପ୍ରାର୍ଥୀମାନେ ଟିକେ ନିରାଶ ରହିଛନ୍ତି । ମାତ୍ର ୫ ଜଣରେ ଡୋର୍ ଟୁ ଡୋର୍ କ୍ୟାଂପେନ୍ ଓ ଭର୍ଚୁଆଲ୍ ମୋଡରେ କେମିତି ଭୋଟର୍ଙ୍କ ନିକଟରେ ପହଞ୍ଚିବେ, ସେଥିପାଇଁ ଷ୍ଟ୍ରାଟେଜି ବନାଇଲେଣି । ଏହାବାଦ୍ ଲିଫପ୍ଲେଟ, ଛୋଟଛୋଟ ଭିଡିଓ ବନାଇ ଲୋକଙ୍କ ପାଖରେ ପହଂଚାଇବାକୁ ଉଦ୍ୟମ କରୁଛନ୍ତି ।

ପଞ୍ଚାୟତ ନିର୍ବାନ ପାଇଁ ନାମାଙ୍କନ ଦାଖଲ ୧୭ ଜାନୁଆରୀରୁ ଆରମ୍ଭ ହୋଇ ୨୧ ଯାଏଁ ଚାଲିବ । ଆଉ ମାତ୍ର ୪ ଦିନ ପରେ ନାମାଙ୍କନପତ୍ର ଦାଖଲ ଆରମ୍ଭ ହେଉଥିବାରୁ ପ୍ରାର୍ଥୀ ଚୟନ ସବୁ ଦଳ ପାଇଁ ଏବେ ବଡ଼ ସମସ୍ୟା ହୋଇଛି । ୮୫୩ ଜିଲ୍ଲା ପରିଷଦ ସଭ୍ୟ ପଦବୀ ପାଇଁ ନିର୍ବାଚନ ଦଳୀୟ ଚିହ୍ନରେ ହେବ । ତେଣୁ ସବୁ ଦଳ ଟାଣୁଆ ପ୍ରାର୍ଥୀ ଚୟନରେ ମାତିଛନ୍ତି । ବିଜେଡିରେ ଅଧିକ ଆଶାୟୀ ଥିବାରୁ ଦଳର ଟେନସନ୍ ବଢୁଛି । ଏମିତିକି କରଞ୍ଜିଆରେ ବିଜେଡିର ଗୋଷ୍ଠୀ କନ୍ଦଳ ତେଜିବାରେ ଲାଗିଛି ।

 

ଠାକୁରମୁଣ୍ଡା ବ୍ଲକ ଅଧ୍ୟକ୍ଷ ଥିବା ପ୍ରଶାନ୍ତ କୁମାର ବେହେରାଙ୍କ ସମର୍ଥକଙ୍କୁ କରଂଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କ ସମର୍ଥକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । କଥା ଥାନାକୁ ମଧ୍ୟ ଯାଇଛି । ସେପଟେ ବିଧାୟିକାଙ୍କ ସମର୍ଥକ ଗୋଷ୍ଠୀ ପକ୍ଷରୁ ବ୍ଲକ ଅଧ୍ୟକ୍ଷ ଓ ତାଙ୍କ ଦୁଇ ସମର୍ଥକଙ୍କ ନାଁରେ ପାଲଟା ଏତଲା ଦିଆଯାଇଛି । ତେବେ ଜିଲ୍ଲା ପରିଷଦ ଜୋନ୍ ପାଇଁ ତିନି ଆଶାୟୀ ପ୍ରାର୍ଥୀଙ୍କ ନାଁକୁ ପଠାଯାଇଛି । ସେଥିମଧ୍ୟରୁ ଜଣଙ୍କୁ ଟିକଟ୍ ମିଳିବ ।

ତେଣେ ବିଜେପି ମଧ୍ୟ ତାର ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିଛି । ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀଙ୍କ ନାଁ ୧୫ ତାରିଖ ସୁଦ୍ଧା ରାଜ୍ୟସ୍ତରରେ ପହଚିଂବ । ତା’ପରେ ତାକୁ ଚୂଡାନ୍ତ କରାଯିବ ବୋଲି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ସେପଟେ କଂଗ୍ରେସ ଚାଷୀ, ବିଏପିଏଲ୍, ମହିଳା, ଯୁବ ପ୍ରାର୍ଥୀ ଚୟନ ଉପରେ ଗୁରୁତ୍ୱ ଦେଉଛି । ଦଳର ପ୍ରାର୍ଥୀତାଲିକା ଏକ ପ୍ରକାର ଚୂଡାନ୍ତ ହୋଇସାରିଛି ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରୟ କହିଛନ୍ତି ।

ଏଥର ପଞ୍ଚାୟତ ନିର୍ବାନରେ ପଛୁଆ ବର୍ଗଙ୍କୁ ସଂରକ୍ଷଣରୁ ବାଦ୍ ଦେବା, ଅନୁସୂଚିତ ଜନଜାତିଙ୍କୁ ସଂରକ୍ଷଣରେ ଉପଯୁକ୍ତ ନ୍ୟାୟ ନମିଳିବା, କେନ୍ଦ୍ର ସରକାରଙ୍କ ସଫଳ ଯୋଜନା ଓ ରାଜ୍ୟ ସରକାରଙ୍କ ବିଫଳତା ଓ ସ୍ଥାନୀୟ ସମସ୍ୟା କଥା ଉଠାଇବ ଉଭୟ ବିଜେପି କଂଗ୍ରେସ୍ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ଓ ସଂରକ୍ଷଣରେ ତ୍ରୁଟି ପ୍ରସଙ୍ଗ ଉଠାଇବ । ଆଉ ବିଜେଡି କେନ୍ଦ୍ରୀୟ ଅବହେଳା ଓ ରାଜ୍ୟ ସରକାରଙ୍କ ସଫଳ ସ୍କିମ୍ ହିଁ ପ୍ରମୁଖ ପ୍ରସଙ୍ଗ କରିବ ।