/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642170056.jpg)
Odisha Politics
ପଞ୍ଚାୟତ ନିର୍ବାଚନ ଲାଗି ଆଉ ମାତ୍ର ଦୁଇ ଦିନ ପରେ ଆରମ୍ଭ ହେବ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ । ହାତରେ ସମୟ କମ୍ । ଘନ ଘନ ବସୁଛି ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସର ବୈଠକ । ହେଲେ ଛିଡ଼ୁନି ପ୍ରାର୍ଥୀ ବଛା ଅଙ୍କ । ସବୁଠୁ ଅଧିକ ମୁଣ୍ଡବିନ୍ଧା ବଢିଛି ଶାସକ ବିଜେଡିରେ । ଦଳ ପାଇଁ ପ୍ରାର୍ଥୀ ଚୟନ ଯେତିକି ବଡ କଥା ନୁହେଁ ତାଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ ହୋଇଛି ଟିକେଟ କଟୁଥିବା ନେତାଙ୍କୁ ସନ୍ତୁଷ୍ଟି । ଏ ସମସ୍ୟାର ମୁଖ୍ୟ କାରଣ ମାଳ ମାଳ ଆଶାୟୀ । ୮୫୩ ଜିଲ୍ଲା ପରିଷଦ ଲାଗି ଟିକେଟ ବଣ୍ଟା ଫାଇନାଲ୍ ହୋଇପାରୁନି । ଦଳ ବିଧାୟକ ମାନଙ୍କ ଉପରେ ଦାୟିତ୍ୱ ଛାଡ଼ିଛି । କାହାକୁ କେଉଁ ଆଧାରରେ ଟିକେଟ ମିଳିବ ଏବଂ କାହାକୁ ଦଳ ସମର୍ଥନ କରିବ ।
ସେହିପରି ବିଜେପି ପକ୍ଷରୁ ବି ପ୍ରାର୍ଥୀ ଚୟନ ଜୋରଦାର ଚାଲିଛି । ପଞ୍ଚାୟତସ୍ତରରେ ସ୍ୱଚ୍ଛ ଭାବମୂର୍ତ୍ତି ଥିବା ନେତାଙ୍କୁ ଟିକେଟ୍ ଦେବାରେ ମୁଖ୍ୟ ମାନଦଣ୍ଡ କରିଛି ଦଳ । ତାସହ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲି ଏହିଠାରୁ ହିଁ ପଞ୍ଚାୟତ ନିର୍ବାଚନ ତଦାରଖ କରିବାକୁ ଦଳ ନିଷ୍ପତ୍ତି ନେଇଛି । ସେପଟେ ଆଉ ପାଦେ ଆଗକୁ ବଢି କଂଗ୍ରେସ ନିଜ ସ୍ଥିତି ଜାହିର ପାଇଁ ଚେଷ୍ଟା ଚଳାଇଥିବା ବେଳେ ଫୋକସ୍ରେ ରହିଛନ୍ତି ଯୁବ ନେତା ।
ଏଣେ ଗାଁ ଗାଁରେ ଜମିଲାଣି ନିର୍ବାଚନୀ ମାହୋଲ । ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରଚାର କଟକଣା ଜାରି ହେବା ପରେ ଡିଜିଟାଲ୍ ମିଡିଆ ଓ ସୋସିଆଲ୍ ମିଡିଆ ଉପରେ ପ୍ରାର୍ଥୀଙ୍କ ଅଧିକ ଭରସା । ଭୋଟରଙ୍କ ପାଖେ ସିଧାସଳଖ ପହଞ୍ଚି ବି ନିଜ ଆଡ଼କୁ ଟାଣିବାକୁ ଉଦ୍ୟମ କଲେଣି ଆଶାୟୀ । ଗୋଟିଏ ପଦବୀ ଲାଗି ଏକାଧିକ ଆଶାୟୀ ଥିବାରୁ ଗାଁ ରାଜନୀତି ବି ପୁରା ତାଉରେ । ଘନ ଘନ ବୈଠକ ବସି ସମର୍ଥନ ଗୋଟାଇବାକୁ ଉଦ୍ୟମ କଲେଣି ଦଳୀୟ ନେତା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)