• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ । ଏହି ପର୍ଯ୍ୟାୟରେ ୬୮ ବ୍ଲକ୍‌ର ୧୮୬ ଜିଲ୍ଲା ପରିଷଦ ଜୋନ୍ ଅନ୍ତର୍ଗତ । ୧୫୧୪ ପଞ୍ଚାୟତରେ ପଡ଼ିବ ଭୋଟ୍ । ପୋଲିଂ ପାର୍ଟି ମତଦାନ କେନ୍ଦ୍ରରେ ପହଞ୍ଚି ପ୍ରସ୍ତୁତି ଆରମ୍ଭ କରି ଦେଇଥିବାବେଳେ ବିବାଦୀୟ କୋଟିଆ ପଞ୍ଚାୟତରେ ବି ଭୋଟ୍ ପାଇଁ ପ୍ରସ୍ତୁତି ସରିଛି । ଏଣେ ପ୍ରଥମ ପର୍ଯ୍ୟାୟରେ ହିଂସା ଓ ବୁଥ୍ ରିଗିଂ ଭଳି କାରଣରୁ ବିଭିନ୍ନ ସ୍ଥାନରୁ ୨୫ଟି ବୁଥରେ ସାନି ମତଦାନ ପାଇଁ ପ୍ରସ୍ତାବ ଆସିଥିବା କହିଛନ୍ତି ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ।

କାଲି ସେକେଣ୍ଡ ଫେଜ୍ ଭୋଟ୍ । ସାଜ ସରଞ୍ଜାମ ଧରି ବୁଥ୍ ପହଞ୍ଚିଲେଣି ପୋଲିଂ ପାର୍ଟି । ଏଣେ ପଞ୍ଚାୟତ ପରୀକ୍ଷା ଦେବାକୁ ପ୍ରାର୍ଥୀ ତୟାର ତ ପ୍ରତିନିଧି ବାଛିବାକୁ ବି ଉତ୍କଣ୍ଠାରେ ଭୋଟର । ୧୮ ତାରିଖ ଦ୍ୱିତୀୟ ପର୍ଯ୍ୟାୟରେ ୩୦ ଜିଲ୍ଲାର ୬୮ ବ୍ଲକ୍‌ରେ ପଞ୍ଚାୟତ ମତଦାନ ହେବ । ୧୮୬ ଜିଲ୍ଲା ପରିଷଦ ଜୋନ୍ ଅନ୍ତର୍ଗତ ୧୫୧୪ ପଞ୍ଚାୟତରେ ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡ ମେମ୍ବର ପ୍ରାର୍ଥୀ ବାଛିବେ ୬୨ଲକ୍ଷ ୧୦ ହଜାର ୯୩୮ ଭୋଟର ।

ଏହି ପର୍ଯ୍ୟାୟରେ ମୋଟ୍ ବୁଥ୍ ସଂଖ୍ୟା ରହିଛି ୨୦ ହଜାର ୪୩୬ । ନିର୍ବାଚନ ପାଇଁ କେମିତି ବୁଥ୍ ମୁହାଁ ପୋଲିଂ ପାର୍ଟି-ଚିତ୍ର ଜଗତସିଂହପୁରର ସ୍ଥାନୀୟ ଏସଭିଏମ୍ କଲେଜରୁ ୩୦ଟି ପଞ୍ଚାୟତକୁ ଭୋଟ୍ ବାକ୍ସ ଓ ଅନ୍ୟାନ୍ୟ ସାମଗ୍ରୀ ଧରି ବାହାରି ଯାଉଛନ୍ତି କର୍ମଚାରୀ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ରେ ମଧ୍ୟ ଏମିତି ମତଦାନ କେନ୍ଦ୍ର ମୁହାଁ ପୋଲିଂ ପାର୍ଟି ।

ସେପଟେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ୭୭.୨% ମତଦାନ ହୋଇଛି । ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୮୪.୭ ପ୍ରତିଶତ ଭୋଟ୍ ପଡିଥିବାବେଳେ ଦେବଗଡ଼ରେ ୮୩.୭୫% ଓ ଅନୁଗୁଳରେ ୮୨.୬% ମତଦାନ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ରବିନ୍ଦ୍ର ନାଥ ସାହୁ । ଏଥିସହ ପ୍ରଥମ ପର୍ଯ୍ୟାୟରେ ହିଂସା, ବୁଥ୍ ରିଗିଂ, କ୍ୟାପଚରିଂ ଭଳି କାରଣକୁ ନେଇ ଭୋଟିଂ ବାଧାପ୍ରାପ୍ତ ହୋଇଥିବା ୨୫ଟି ବୁଥରେ ସାନି ମତଦାନ ପାଇଁ ବି ପ୍ରସ୍ତାବ ଆସିଥିବା ସେ କହିଛନ୍ତି ।

ଯାହାମଧ୍ୟରୁ ଯାଜପୁର ଜିଲ୍ଲାରେ ସର୍ବାଧିକ ୧୧ଟି ବୁଥ୍ ଥିବାବେଳେ ପୁରୀ ଓ ଭଦ୍ରକରେ ୫ଟି ଲେଖାଏଁ ଏବଂ ଢେଙ୍କାନାଳରେ ୪ଟି ବୁଥରେ ରି-ପୋଲିଂ ପାଇଁ ଜିଲ୍ଲାପାଳମାନେ ପ୍ରସ୍ତାବ ଦେଇଛନ୍ତି । ଗତକାଲି ବୁଥ୍ କ୍ୟାପଚରିଂ ଓ ହିଂସା ପାଇଁ ଅଧିକ ଚର୍ଚ୍ଚାରେ ଥିବା ପୁରୀ କୃଷ୍ଣପ୍ରସାଦ ଅଲଣ୍ଡା ପଞ୍ଚାୟତର ୮ ନମ୍ବର ବୁଥ୍ ଓ ବ୍ରହ୍ମଗିରି ଚାପମାଣିକ ପଞ୍ଚାୟତ କାଶିଝରିଆ ଗାଁର ୯ ନମ୍ବର ବୁଥରେ ରି ପୋଲିଂ ପ୍ରସ୍ତାବ ଆସିଛି ।

ସେପଟେ ବିବାଦୀୟ କୋଟିଆ ପଞ୍ଚାୟତରେ ବି ଆସନ୍ତାକାଲି ପଡ଼ିବ ଭୋଟ୍ । ମାଡ଼କାର, ଫଗୁଣସିନେରି, ତାଡ଼ିବାଲସା, ତଳ ଓ ଉପର ସେମ୍ବି ଓ ଗଂଜେଇ ପଦର ଆଦି ୧୩ଟି ବୁଥରେ ୫୭୯୦ ଭୋଟ୍‌ର ସେମାନଙ୍କ ମନ ପସନ୍ଦର ପ୍ରାର୍ଥୀ ବାଛିବେ । ପଟାଙ୍ଗିରୁ ପୋଲିଂ ପାର୍ଟି ଆସି ବିଭିନ୍ନ ବୁଥରେ ପହଞ୍ଚି ସାରିଛନ୍ତି । ପଡ଼ୋଶୀ ଆନ୍ଧ୍ର ପକ୍ଷରୁ ଯେପରି ନିର୍ବାଚନରେ କୌଣସି ବାଧା ନଉପୁଯେ, ସେଥିପ୍ରତି ଉଭୟ ଜିଲ୍ଲା ଓ ପୋଲିସ୍ ପ୍ରଶାସନ ସଜାଗ ରହିଛି ।

କୋଟିଆ ପଞ୍ଚାୟତ ଆସୁଥିବା ପଟାଙ୍ଗୀ ଜୋନ୍ ୧ ଜିଲ୍ଲା ପରିଷଦ ଆସନରେ ଦୁଇଜଣ ମହିଳା ପ୍ରାର୍ଥୀ ଅଛନ୍ତି । ଜଣେ ସର୍ବଦଳୀୟ ପ୍ରାର୍ଥୀ ମମତା ଜାନି ତ ଅନ୍ୟଜଣେ ନିଜକୁ ସର୍ବସାଧାରଣ ପ୍ରାର୍ଥୀ ଦାବି କରୁଥିବା ଟିକାଇ ଗେମେଲ୍ । ସେହିପରି ସରପଞ୍ଚ ପଦ ଲାଗି ମୈଦାନରେ ରହିଛନ୍ତି ୭ ପ୍ରାର୍ଥୀ । ଏବେ ଅପେକ୍ଷା ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ କେତେ ଶୃଙ୍ଖଳାର ସହ ସମ୍ପନ୍ନ ହେଉଛି ।