• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଜି ବି ହିଂସା.. ପିଟାପିଟି.. ଆକ୍ରମଣ.. ପ୍ରତି ଆକ୍ରମଣ...ବୁଥ କ୍ୟାପ୍‌ଚରିଂ । ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ବି ଶୃଙ୍ଖଳାର ସହ ସରିପାରିଲାନି । ଜଗତସିଂହପୁର ଓ ଯାଜପୁର ଜିଲ୍ଲାରେ ବୁଥ୍ କ୍ୟାପଚରିଂ ସହ ରିଗିଂ ଅଭିଯୋଗ ଆସିଥିବାବେଳେ କଟକ ବାରଙ୍ଗରେ ଭୋଟିଂ ବାକ୍ସ ଲୁଟ୍‌କୁ ନେଇ ଉତ୍ତେଜନା ଦେଖାଦେଇଥିଲା । କିନ୍ତୁ ବାକ୍ସ ଲୁଟ୍ ଅଭିଯୋଗକୁ ଖଣ୍ଡନ କରିଛି ପୋଲିସ । ସେପଟେ ନୂଆପଡ଼ା ଜିଲ୍ଲାରେ ପ୍ରିଜାଇଡ଼ିଂ ଅଫିସର ଜଣକ ନିଜ ବ୍ୟକ୍ତିଗତ ଗାଡ଼ିରେ ବାଲାଟ ବକ୍ସ ନେବାକୁ ନେଇ ତାତି ଉଠିଥିଲେ ଲୋକେ । ଏଭଳି ଏକାଧିକ ହିଂସା ଓ ଉତ୍ତେଜନା ଭିତରେ ଆଜିର ଭୋଟିଂ ସରିଛି । ଅବଶ୍ୟ ପ୍ରଥମ ପର୍ଯ୍ୟାୟ ଭଳି ଅବସ୍ଥା ଉପୁଜିନି ।

ଯାଜପୁର ଜିଲ୍ଲା କନିକାପଡ଼ା ପଞ୍ଚାୟତ ମଧୁପୁରରେ ୮ ନମ୍ବର ବୁଥ୍ କ୍ୟାପ୍ଚରିଂ । ଲୋକେ ଜୋରଜବରଦସ୍ତ ପଶିଲେ । ପ୍ରିଜାଇଡିଂ ଅଫିସରଙ୍କଠୁ ବାଲାଟ ପେପର ଛଡ଼ାଇ ମୋହର ବାଡ଼େଇ ଚାଲିଲେ । ଆଉ ମନଇଛା ଭୋଟ ବାକ୍ସରେ ପକାଇଲେ । କେବଳ ମଧୁପୁର ନୁହେଁ, ଦଶରଥପୁର ବ୍ଲକର ୯ ନମ୍ବର ବୁଥ୍ର ଭୋଟ ବାକ୍ସକୁ ଫିଙ୍ଗି ଦିଆଯାଇଛି ।

ସେହିଭଳି କଟକ ଜିଲ୍ଲା କୁରାଙ୍ଗପ୍ରଧାନ ପଞ୍ଚାୟତ କୁରୁଣ୍ଟିର ୧୧ ନମ୍ବର ଥ୍‌ରୁ ଭୋଟ ବାକ୍ସ ଲୁଟ୍‌କୁ ନେଇ ଉପୁଜିଛି ଅସନ୍ତୋଷ, ତୀବ୍ର ହୋଇଛି ଉତ୍ତେଜନା । ଜଣେ ସରପଞ୍ଚ ପ୍ରାର୍ଥୀ ଅଟକାଇବା ସତ୍ତ୍ୱେ ମାରଣାସ୍ତ୍ର ଦେଖାଇ ଧମକ ଦେବା ସହ ଭୋଟ୍ ବାକ୍ସ ଲୁଟିନେଇଥିବା ଅଭିଯୋଗ ଉଠିଛି । ଏହାକୁ ନେଇ ସଦର ଥାନାରେ ଏତଲା ଦେବା ସହ ଧାରଣା ଦେଇଥିଲେ ଲୋକେ ।

ଭୋଟ୍ ବାକ୍ସକୁ ନେଇ ଏଭଳି ଉତ୍ତେଜନା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରିଜାଇଡିଂ ଅଫିସରଙ୍କ ବିରୋଧରେ ଏକାଧିକ ଅନିୟମିତତାର ଅଭିଯୋଗ ହୋଇଛି । ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ପାଏର ଗାଁ ୩ ନମ୍ବର ବୁଥ୍‌ର ଭୋଟ୍‌ବାକ୍ସ ନେଇ ଦେଖାଦେଇଛି ଉତ୍ତେଜନା । ପ୍ରିଜାଇଡିଂ ଅଫିସର ଜଣକ ବ୍ଲକକୁ ନିଜ ଗାଡ଼ିରେ ଭୋଟ୍ ବାକ୍ସ ନେଇଯାଉଥିବାରୁ ଗାଡ଼ି ଭଙ୍ଗାରୁଜା କରିଛନ୍ତି ଲୋକେ ।

ଅନ୍ୟପଟେ ଭୋଟର୍ କେଉଁଥିରେ ଭୋଟ୍ ଦେଲେ ଭୋଟଦାନ କକ୍ଷ ଭିତରେ ପଶି ଦେଖୁଛନ୍ତି ପ୍ରିଜାଇଡିଂ ଅଫିସର । ଏହା ହେଉଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ସାରୁଅ ୬ନମ୍ବର ବୁଥ୍‌ର ଘଟଣା । ପ୍ରିଜାଇଡ଼ିଂ ଅଫିସର ଭୋଟ୍‌ଦାନ କକ୍ଷ ପାଖରେ ଛିଡ଼ା ହୋଇ, ମତଦାତାଙ୍କ ପାଖକୁ ଯାଇ ବାଲାଟ୍ ପେପରରେ ଭୋଟ୍ ଦେଉଥିବା ଦେଖିବାକୁ ମିଳିଥିଲା । ଏ ସମ୍ପର୍କରେ ପଚାରିବାରୁ ସଂପୃକ୍ତ ପ୍ରିଜାଇଡିଂ ଅଫିସର କହିଛନ୍ତି, ବୟସ୍କ ଭୋଟ୍‌ରଙ୍କୁ ସହଯୋଗ କରୁଥିଲେ ।

ସେପଟେ ନବରଙ୍ଗପୁର ଜିଲ୍ଲା ଦୋହଣା ପଞ୍ଚାୟତର ୭ ନମ୍ବର ଓ୍ୱାର୍ଡର ଭୋଟିଂ କେନ୍ଦ୍ରରେ ବି ଉତ୍ତେଜନା ଦେଖାଦେଇଛି । ସରପଞ୍ଚ ପଦବୀ ନିର୍ବାଚନ ପାଇଁ ଉଦ୍ଧିଷ୍ଟ ବାଲାଟ ପେପରରେ ମତଦାନ ପୂର୍ବରୁ ଏକ ନିର୍ଦ୍ଧିଷ୍ଟ ଚି଼ହ୍ନରେ ମୋହର ମରାଯାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଉତ୍ତେଜନା ପରେ ଭୋଟଗ୍ରହଣ ବନ୍ଦ ରଖାଯାଇଥିଲା । ପୁଣି ଥରେ ନିର୍ବାଚନ ପାଇଁ ଲୋକେ ଦାବି କରି ଏଠାରେ ହୋହଲ୍ଲା କରିଥିଲେ । ତେବେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରିଜାଇଡିଂ ଅଫିସର ।

ଜଗତସିଂହପୁର ପଟସରା ପଂଚାୟତ ୧ ଓ ୨ନମ୍ବର ବୁଥରେ ଦେଖାଦେଇଥିଲା ଉତ୍ତେଜନା । ଏକ ନିର୍ଦ୍ଧିଷ୍ଟ ଦଳର ପ୍ରାର୍ଥୀଙ୍କ ଏଜେଣ୍ଟ ବୁଥ୍‌କୁ ବିଳମ୍ବରେ ପହଞ୍ଚିଥିଲେ ଓ ପୁଣି ଭୋଟ ବାକ୍ସ ସିଲ ପାଇଁ କହିବାରୁ ପ୍ରିଜାଇଡିଂ ଅଫିସର ମନା କରିଥିଲେ । ଏହାକୁ ନେଇ ବୁଥ୍ ଭିତରେ ଉପୁଜିଥିଲା ତୁମୁଳକାଣ୍ଡ । ଜଣେ ପ୍ରାର୍ଥୀଙ୍କ ଏଜେଣ୍ଟ ଓ ସମର୍ଥକ ଭୋଟ ବାକ୍ସ ସହିତ ବୁଥ୍ ମଧ୍ୟରେ ଭଙ୍ଗାରୁଜା କରିଥିଲେ । ପାଖରେ ଥିବା ଅନ୍ୟ ଏକ ବୁଥରୁ ବି ଭୋଟ ବାକ୍ସ ନେଇଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି ।

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଭିତରେ ଆଜି ଗଞ୍ଜାମ ଜିଲ୍ଲା ତାଳପଡା ଓ ନୂଆଗାଁ ମଝିରେ ପିଟାପିଟି ହୋଇଛନ୍ତି ବିଜେପି ଓ ବିଜେଡି କର୍ମୀ । ସେପଟେ ଭଦ୍ରକ ଜିଲ୍ଲା ଗୋପୀନାଥପୁର ପଞ୍ଚାୟତର ହଳଦିଆରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାରକୁ ନେଇ ଦେଖାଦେଇଥିଲା ଉତ୍ତେଜନା ।