• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସରିଲା ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ଆଜି ୧୬୩ ଜିଲ୍ଲା ପରିଷଦ ଜୋନ୍ ଓ ୧୨ଶହ ୫୪ ପଞ୍ଚାୟତରେ ପଡ଼ିଛି ଭୋଟ୍ । ମାଲକାନଗିରି ଟାଗରକୋଟା ମତଦାନ କେନ୍ଦ୍ରକୁ ଭୋଟରମାନେ ୨ଟି ନଦୀ ପାର ହୋଇ ପ୍ରାୟ ୬୦ କିଲୋମିଟର ରାସ୍ତା ଅତିକ୍ରମ କରିବା ପରେ ପହଞ୍ଚିଥିଲେ । ଏହି ପର୍ଯ୍ୟାୟରେ ମୋଟ୍ ୭୩ ପ୍ରତିଶତ ପୋଲିଂ ହୋଇଥିବା ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି । ସେପଟେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ବେଳେ ବିଭ୍ରାଟ ପାଇଁ ୪୯ଟି ବୁଥ୍‌ରେ ଆସନ୍ତାକାଲି ରି-ପୋଲିଂ ହେବ ।

ଶେଷ ହେଲା ଚତୁର୍ଥ ପର୍ଯ୍ୟାୟ ଭୋଟ୍ । ନିଜ ନିଜର ମନପସନ୍ଦ ପ୍ରାର୍ଥୀ ବାଛିଛନ୍ତି ଭୋଟର୍ । ଭୋଟ୍ ବାକ୍ସରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଗଣତନ୍ତ୍ରର ଏହି ମହାପର୍ବରେ ବେଶ୍ ଉତ୍ସାହର ସାମିଲ ହୋଇଛନ୍ତି ସବୁ ବର୍ଗର ଭୋଟର୍ । ଆଜି ୨୭ ଜିଲ୍ଲାର ୬୪ ବ୍ଲକରେ ୧୬୩ ଜିଲ୍ଲା ପରିଷଦ ଜୋନ୍ ଲାଗି ପଡିଛି ଭୋଟ୍ । ଏହା ସହ ୧୨୫୪ ପଞ୍ଚାୟତରେ ୱାର୍ଡମେମ୍ବର, ସରପଞ୍ଚ ଓ ସମିତି ସଭ୍ୟ ବାଛିଛନ୍ତି ମତଦାତା ।

ମାଲକାନଗିରି ଜିଲ୍ଲାର ଡଙ୍ଗାରେ ଦୁଇ ଦୁଇଟି ନଦୀ ପାର ହୋଇ ଟାଗରକୋଟା ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ ଭୋଟର୍ । ଏଥିପାଇଁ ସେମାନଙ୍କୁ ଦୀର୍ଘ ୬୦ କିଲୋମିଟର ଯାତ୍ରା କରିବାକୁ ପଡିଛି । କାରଣ ଟାଗରକୋଟା ବୁଥ୍ ଅଧୀନରେ ଆସୁଥିବା ରାମଚନ୍ଦ୍ରପୁର, ଗୁଣ୍ଠାବେଡା, ଦଳେଇପୁଟ ଗାଁଗୁଡ଼ିକ ପାହାଡ଼ ଉପରେ ରହିଛି । ମାଓବାଦୀଙ୍କ ଭୟରେ ପାହାଡ଼ ଉପରେ ବୁଥ୍ କରାଯାଇ ନଥିବାରୁ ଭୋଟରଙ୍କୁ ଏଭଳି ଦୀର୍ଘ ରାସ୍ତା ଆସିବାକୁ ପଡ଼ିଥିଲା ।

ସେପଟେ ମୌଳିକ ସୁବିଧା ନଥିବାରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଭୋଟ୍ ବର୍ଜନ କରିଛନ୍ତି ଗାଁ ଲୋକ । କଳାହାଣ୍ଡି ବିଜେପୁର ପଞ୍ଚାୟତ ସାହଜପଡ଼ାରେ ରାସ୍ତାନଥିବାରୁ ଲୋକେ ଭୋଟ୍ ଦେବାକୁ ଆସିନଥିଲେ । ସମ୍ବଲପୁର କେଶାଇବୋହଲ ପଞ୍ଚାୟତର ଲମ୍ବାର ୱାର୍ଡରେ ରାଜସ୍ୱ ଗ୍ରାମ ମାନ୍ୟତା ଦାବିରେ ଭୋଟ୍ ବର୍ଜନ ହୋଇଛି । ଢେଙ୍କାନାଳ ଜିଲ୍ଲା ପାକଟମୁଣ୍ଡା ଓ ନବରଙ୍ଗପୁର ବରିପଦ ଗାଁରେ ମଧ୍ୟ ପ୍ରତିବାଦ ସ୍ୱରୁପ ଲୋକେ ଭୋଟ୍ ଦେଇନାହାନ୍ତି ।

ସେପଟେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ବେଳେ ୪୯ଟି ବୁଥ୍‌ରେ ମତଦାନ ବାଧାପ୍ରାପ୍ତ ହୋଇଥିଲା । ବୁଥ୍ ରିଗିଂ, ଭୋଟ ବାକ୍ସ ଲୁଟ୍, ରାଜନୈତିକ ହିଂସା ଆଦି କାରଣରୁ ସେଠାରେ ଆସନ୍ତାକାଲି ସେସବୁ ବୁଥ୍‌ରେ କଡା ସୁରକ୍ଷା ମଧ୍ୟରେ ପୁଣି ମତଦାନ ହେବ । ସକାଳ ୯ଟାରୁ ୩ଟା ପର୍ଯ୍ୟନ୍ତ ଚାଲିବ ଭୋଟିଂ । ତେବେ ରି ପୋଲିଂ ପରେ ଭୋଟ୍ ବାକ୍ସଗୁଡ଼ିକ ପୂର୍ବରୁ ସିଲ୍ ହୋଇଥିବା ଷ୍ଟ୍ରଙ୍ଗ ରୁମ୍‌ରେ ରଖାନଯାଇ ଅଲଗା ରୁମ୍‌ରେ ରଖାଯିବ । ଅନ୍ୟପକ୍ଷରେ ତୃତୀୟ ପର୍ଯ୍ୟାୟରେ ୩୦ଟି ବୁଥ୍‌ରେ ଓ ଚତୁର୍ଥ ପର୍ଯ୍ୟାୟରେ ଯେଉଁ ସବୁ ବୁଥ୍‌ରେ ମତଦାନରେ ବାଧା ଉପୁଜିଛି । ସେ ସବୁ ସ୍ଥାନରେ ୨୫ ତାରିଖରେ ପୁନଃ ନିର୍ବାଚନ ହେବ ବୋଲି ଜଣାପଡ଼ିଛି ।

ସେପଟେ ବିଭିନ୍ନ ସ୍ଥାନରେ ହେଭିୱେଟ୍ ନେତାମାନେ ଆଜି ମତଦାନ କରିଛନ୍ତି । ବିଜେପି ସାଂସଦ ଜୁଏଲ୍ ଓରାମ, ପ୍ରତାପ ଷଡ଼ଙ୍ଗୀ, ବିଧାୟକ କେ.ନାରାୟଣ ରାଓ, ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ନିଜ ନିଜ ବୁଥ୍‌ରେ ଭୋଟ୍ ଦେଇଛନ୍ତି । ସେହିପରି ମନ୍ତ୍ରୀ ସୁଶାନ୍ତ ସିଂହ, ପଦ୍ମିନୀ ଦିଆନ୍, ବିଜେଡି ସାଂସଦ ମଞ୍ଜୁଲତା ମଣ୍ଡଳ, ବିଜେଡିର ବରିଷ୍ଠ ନେତା ପ୍ରଫୁଳ୍ଲ ଘଡେଇ ଓ କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା ପ୍ରମୁଖ ଆଜି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଗୁରୁବାର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ହେବ ।