• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

 

ରାଜ୍ୟରେ ବଢି ବଢି ଚାଲିଛି ନିର୍ବାଚନୀ ହିଂସା। କେଉଁଠି ବୁଥ୍ କ୍ୟାପଚରିଂ ତ କେଉଁଠି ଭୋଟରଙ୍କୁ ଭୟଭୀତ କରାଯାଉଛି। ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ମଧ୍ୟ ଆକ୍ରମଣର ଶିକାର ହେବାକୁ ପଡୁଛି। ଟାଣୁଆ ନେତାଙ୍କ ନିର୍ବାଚନ ମଣ୍ଡଳୀରେ ହିଁ ଦେଖିବାକୁ ମିଳୁଛି ଅଧିକ ହିଂସାକାଣ୍ଡ। ତେବେ ସୀମା ଟପିଯାଇଛି ଯାଜପୁର ଜିଲ୍ଲା।

  • ଫେବ୍ରୁଆରୀ ୧୬... ଯାଜପୁର ଜିଲ୍ଲା

ଯାଜପୁର ବ୍ଲକ ରୁଦ୍ରପୁର ପଞ୍ଚାୟତର ୫ ନମ୍ବର ଓ୍ୱାର୍ଡର ବୁଥ ଜବର ଦଖଲ ହୋଇଛି । ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ଜବରଦସ୍ତ ଭୋଟ ଦେଇଛନ୍ତି ନିଜେ ସରପଞ୍ଚ ପ୍ରାର୍ଥୀ। ତାଙ୍କ ସମର୍ଥକ ବାଲାଟ ପେପର୍ ଛଡ଼ାଇ ନେବା ସହ ତା ଉପରେ ଭୋଟ୍ ଦେଇ ବାଲାଟ ବକ୍ସରେ ପକାଉଛନ୍ତି ଜଣଙ୍କ ପରେ ଜଣେ। ପାଖରେ ପୋଲିସ କର୍ମଚାରୀ ବି ଥିଲେ। କିନ୍ତୁ ଚୁପ୍ ରହିଥିବାର ଅଭିଯୋଗ ହୋଇଛି। ଏହି ଅଞ୍ଚଳର ନେତା ହେଉଛନ୍ତି ବିଜେଡିର ଦୁଇ ନମ୍ୱର କୁହାଯାଉଥିବା ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଓରଫ୍ ବବି ଦାସ।

  • ଫେବ୍ରୁଆରୀ ୧୮... ଯାଜପୁର ଜିଲ୍ଲା

ଦୁର୍ବୃତ୍ତମାନେ ପୋଖରୀକୁ ଫିଙ୍ଗିଦେଲେ ଭୋଟ ବାକ୍ସ। ଯାଜପୁର ଦଶରଥପୁର ବ୍ଲକ୍‌ରେ ଏହାକୁ ନେଇ ଦେଖାଦେଇଥିଲା ଉତ୍ତେଜନା। ଏଠାକାର ୯ ନମ୍ବର ବୁଥ୍‌ର ଭୋଟ୍ ବାକ୍ସ ନେଇ ପୋଖରୀରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ। ମତଦାନ ପରେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଇଥିଲେ। ଯାଜପୁର ଦଶରଥପୁର ବ୍ଲକ କନିକାପଡ଼ା ପଞ୍ଚାୟତ ମଧୁପୁରର ୮ ନମ୍ବର ବୁଥ ରିଗିଂ, ବୁଥ କ୍ୟାପ୍ଚରିଂ ବେଳର ଭିଡିଓ କ୍ୟାମେରାରେ କଏଦ ହୋଇଛି। କିଛି ଲୋକ ବୁଥ ଭିତରେ ପଶି ଜୋର ଜବରଦସ୍ତ ବାଲାଟରେ ଷ୍ଟାମ୍ପ ଲଗାଇ ଭୋଟ ବାକ୍ସରେ ଭର୍ତ୍ତି କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ପୂର୍ବରୁ ସେହି କନିକାପଡ଼ା ପଞ୍ଚାୟତର ୨ ଓ ୩ ନମ୍ବର ବୁଥରେ ବାଲାଟ୍ ଚିରିବା ସହ ଛଡ଼ାଇ ନେଇ ପଳାଇଥିଲେ ଦୁର୍ବୃତ୍ତ। ଏହା ମଧ୍ୟ ଯାଜପୁର ଜିଲ୍ଲାର ଘଟଣା।

  • ଫେବ୍ରୁଆରୀ ୨୦... ଯାଜପୁର ଜିଲ୍ଲା

 ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଜରି ପଞ୍ଚାୟତ ୧୪ ନମ୍ବର ବୁଥ୍ ଆଗରେ ପୋଲିସ ଉପରକୁ ଟେକାପଥର ମାଡ଼ କରାଯାଇଥିଲା। ବୁଥ୍ ରିଗିଂ ଉଦ୍ୟମକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଉପସ୍ଥିତ ପୋଲିସ ଅଟକାଇବାରୁ ଟେକାପଥର ମାଡ଼ କରିଥିଲେ ଦୁର୍ବୃତ୍ତ। ଯାଜପୁର ଜିଲ୍ଲା ବିଞ୍ଝାରପୁର ବାଛଳ ପଞ୍ଚାୟତର ୨ ନଂ ବୁଥ୍‌ ନିକଟରେ ଦୁର୍ବୃତ୍ତମାନେ ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ ବୈଦ୍ୟୁତିକ ଗଣମାଧ୍ୟମର ୩ ଜଣ ସାମ୍ବାଦିକ। ଏହି ଘଟଣାରେ ପୋଲିସ ଡିଜିଙ୍କ ନିର୍ଦ୍ଦେଶ କ୍ରମେ ବହୁ ଅଭିଯୁକ୍ତଙ୍କୁ ଗିରଫ କରିଛି ।

  • ଫେବ୍ରୁଆରୀ ୧୬... ପୁରୀ ଜିଲ୍ଲା

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଲଣ୍ଡା ପଞ୍ଚାୟତରେ ବୁଥରେ ପଶି ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ସୀମା ଟପି ଯାଇଥିଲା ରାଜନୈତିକ ହିଂସା। ହୋଇଥିଲା ବୁଥ୍ କ୍ୟାପ୍ଚରିଂ ଏମିତିକି ପିଟାପିଟି ଓ ଭଙ୍ଗାରୁଜା ହୋଇଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିଲା ସଂଘର୍ଷ। ଅଲଣ୍ଡା ପଞ୍ଚାୟତର ୪ ନମ୍ବର ବୁଥ୍ ଅଂଚଳ ରଣକ୍ଷେତ୍ର ପାଲଟି ଯାଇଥିଲା । ଏପରିକି ବୋମାମାଡ ବି ହୋଇଥିଲା। ବ୍ରହ୍ମଗିରି ଚାପମାଣିକ ପଞ୍ଚାୟତ ଅନ୍ତର୍ଗତ କାଶିଝରିଆ ଗାଁର ୯ ନମ୍ବର ବୁଥରୁ ବାଲାଟ ବକ୍ସ ଉଠାଇ ନେଇଥିଲେ ଦୁର୍ବୃତ୍ତ। ଏହା ହେଉଛି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କ ଏରିଆ।

  • ଫେବ୍ରୁଆରୀ ୨୦... ଭଦ୍ରକ ଜିଲ୍ଲା

 ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକରେ ମତଦାନ ବେଳେ ବୁଥ୍ ଜବରଦଖଲ ଘଟଣା ସାମ୍ନାକୁ ଆସିଛି। ତିହିଡ଼ିର ଫତେପୁର ପଞ୍ଚାୟତ ବଡ଼ଗାଲୋ ବିଦ୍ୟାଳୟରେ ୪ନମ୍ବର ବୁଥ୍‌ରେ ରିଗିଂ ହେଉଥିବା ଦେଖିବାକୁ ମିଳିଥିଲା। ଜଣେ ମହିଳା ବୁଥ୍ ଭିତରେ ପଶି ଜଣକ ପରେ ଜଣଙ୍କ ଭୋଟ୍ ଦେଉଥିବା ନଜର ଆସିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, ପ୍ରିଜାଇଡିଂ ଅଫିସର ଆସି ପୋଲିସ ଆଗରେ ନେହୁରା ହୋଇଥିଲେ। ଜୀବନ ବଞ୍ଚାଇ ଦେବାକୁ ହାତ ଯୋଡ଼ି ପ୍ରିଜାଇଡିଂ ଅଫିସର ପୋଲିସ୍‌କୁ ନିବେଦନ କରୁଥିବା ଦେଖିବାକୁ ମିଳିଥିଲା। ଏହା ହେଉଛି ଯୁବ ବିଜେଡି ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟଙ୍କ ଜିଲ୍ଲା।

  • ଫେବ୍ରୁଆରୀ ୧୮... ଗଂଜାମ ଜିଲ୍ଲା

ରାସ୍ତା ଉପରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ। ପିଟିଲେ, ତୁମୁଳକାଣ୍ଡ ଭିଆଇଲେ। ଏଭଳି ଘଟଣା ଘଟିଥିଲା ଗଞ୍ଜାମ ଜିଲ୍ଲାର ପାତ୍ରପୁର ଥାନା ଅଞ୍ଚଳରେ। ଜଗଦେବପୁର ଗାଁରେ ବିଜେପି ଓ ବିଜେଡି କର୍ମୀ ପ୍ରଚାର କରୁଥିଲେ। ଏହି ସମୟରେ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ବିଜେଡି କର୍ମୀମାନେ ବିଜେପି କର୍ମୀଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଚିକିଟି ବ୍ଲକ କୁତୁରୁ ପଞ୍ଚାୟତ ରାମେୟାପାଟଣା ବୁଥ୍‌ରେ ପଶି ୩୨ ବାଲାଟ ପେପର ଚିରି ଦେଇଥିଲେ ଦୁର୍ବୃତ୍ତ। ଏହା ହେଉଛି ଖୋଦ୍ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱ ନେଉଥିବା ଜିଲ୍ଲା।