• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ହିଂସା, ବିଶୃଙ୍ଖଳା, ବୁଥ୍ ରିଗିଂ ଭଳି ମାଳମାଳ ଘଟଣା ଭିତରେ ଶେଷ ହୋଇଛି ପଞ୍ଚାୟତ ଭୋଟ୍ । ଆଜି ଅନ୍ତିମ ପର୍ଯ୍ୟାୟରେ ୧୩୧ଟି ଜିଲ୍ଲା ପରିଷଦ ଜୋନ୍ ଓ ଏହା ଅନ୍ତର୍ଗତ ୯୭୫ ପଞ୍ଚାୟତରେ ଭୋଟ୍ ପଡ଼ିଛି । ମାଲାକାନଗିରି ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ପଞ୍ଚାୟତରେ ଦୀର୍ଘ ୧୦ ବର୍ଷ ପରେ ଭୋଟ୍ ହୋଇଥିବା ବେଳେ ବହୁ ଚର୍ଚ୍ଚିତ ଢିଙ୍କିଆରେ ମଧ୍ୟ ମତଦାନ ଶେଷ ହୋଇଛି । ପଞ୍ଚମ ପର୍ଯ୍ୟାୟରେ ୭୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି । ସେହିପରି ପ୍ରଥମ ୪ଟି ପର୍ଯ୍ୟାୟରେ ୭୮ ପ୍ରତିଶତ ମତଦାନ ହୋଇଛି । ସେପଟେ ଦିନକ ପରେ ଆରମ୍ଭ ହେଉଥିବା କାଉଣ୍ଟିଂ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍ ।

ସରିଲା ପଞ୍ଚାୟତ ଭୋଟ୍ ହିଂସା, ବିଶୃଙ୍ଖଳା, ଅନିୟମିତତାର ଶହ ଶହ ଅଭିଯୋଗ ଭିତରେ ସରିଛି ସମସ୍ତ ପାଞ୍ଚ ପର୍ଯ୍ୟାୟ ମତଗ୍ରହଣ । ଆଜି ଅନ୍ତିମ ପର୍ଯ୍ୟାୟରେ ୨୫ ଜିଲ୍ଲାର ୧୩୧ଟି ଜିଲ୍ଲା ପରିଷଦ ଜୋନ୍‌ରେ ଭୋଟ୍ ପଡ଼ିଛି । ତାସହିତ ୯୭୫ ପଞ୍ଚାୟତର ୱାର୍ଡମେମ୍ବର, ସରପଂଚ ଓ ସମିତି ସଭ୍ୟ ବାଛିଛନ୍ତି ଭୋଟର୍ । ମାଓ ପ୍ରଭାବିତ ମାଲାକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଅସ୍ଥାୟୀ ବୁଥ୍‌ରେ ହୋଇଛି ଭୋଟ୍‌ ଗ୍ରହଣ । ଦୀର୍ଘ ୧୦ ବର୍ଷ ପରେ ଜିଲ୍ଲାର ଯନ୍ତ୍ରୀ ପଞ୍ଚାୟତର ତୋଟାଗୁଡା ଠାରେ ୧୧ଟି ବୁଥରେ ଭୋଟ୍ ହୋଇଥିଲା ।

ସେହିପରି ଚିତ୍ରକୋଣ୍ଡା ବ୍ଲକ୍‌ର ୮୧ଟି ସମ୍ବେଦନଳଶୀଳ ଓ ୬୦ଟି ଅତି ସମ୍ବେଦନଶୀଳ ବୁଥ୍‌ରେ କଡ଼ା ସୁରକ୍ଷା ମଧ୍ୟରେ ହୋଇଛି ମତଦାନ । ଏଣେ ନିକଟରେ ଅଶାନ୍ତ ହୋଇପଡ଼ିଥିବା ଜଗତସିଂହପୁର ଢିଙ୍କିଆରେ ଆଜି ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପଦ ଲାଗି ଭୋଟ୍ ହୋଇଛି । ଏଥିପାଇଁ ଢିଙ୍କିଆ ବାହାରେ ଗୋବିନ୍ଦପୁର, ଗଡକୁଜଙ୍ଗ, ମାହାଳ, ତ୍ରିଲୋଚନପୁର ଓ ପଟଣାରେ ବୁଥ୍ କରାଯାଇଥିଲା । ପୋଲିସ୍ ଭୟରେ ଏଠାରେ କିଛି ଲୋକ ଭୋଟ୍ ଦେବାକୁ ଯାଇନଥିବା ବେଳେ ଅନେକଙ୍କ ନାଁ ଭୋଟର ତାଲିକାରେ ନଥିବା ଅଭିଯୋଗ ହୋଇଛି । ସେପଟେ ତୃତୀୟ, ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟରେ ମତଦାନ ବାଧାପ୍ରାପ୍ତ ହୋଇଥିବା ବୁଥ୍‌ ଗୁଡ଼ିକରେ ଆସନ୍ତାକାଲି ଭୋଟ୍ ଗ୍ରହଣ ହେବ ।

ଭୋଟ୍ ସରିବା ସହ କାଉଣ୍ଟିଂ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍ । ଏଥର ନିର୍ବାଚନରେ ମୋଟ୍ ୧ଲକ୍ଷ ୫୬ ହଜାର ୭୫୩ ୱାର୍ଡମେମ୍ବର, ୩୨ ହଜାର ୮୬୦ ସରପଞ୍ଚ, ୨୭ ହଜାର ୩୪ ସମିତି ସଭ୍ୟ ଓ ୩ ହଜାର ୩୩୯ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ବାଲାଟ୍ ବକ୍ସରେ ସିଲ୍ ହୋଇଛି । ଆସନ୍ତା ୨୬ରୁ ୨୮ ତାରିଖ ମଧ୍ୟରେ ଜିଲ୍ଲା ପରିଷଦ ୱାରୀ ଗଣତି ହୋଇ ଫଳ ପ୍ରକାଶ ପାଇବ । ଏଥିଲାଗି ବ୍ଲକ୍ ସ୍ତରରେ ଚାଲିଛି ଜୋରଦାର୍ ପ୍ରସ୍ତୁତି ।

ପ୍ରଥମ ଥର ଲାଗି ବ୍ଲକ୍ ସ୍ତରରେ କାଉଣ୍ଟିଂ ହେଉଥିବାରୁ ଏଥିପାଇଁ ଆଜି ବିଭିନ୍ନ ସ୍ଥାନରେ କାଉଣ୍ଟିଂ ଟିମ୍‌କୁ ପ୍ରଶିକ୍ଷଣ ଦିଆଯାଇଛି । ସଠିକ ଭାବେ ଭୋଟ୍ ବାକ୍ସ ଖୋଲିବାଠୁ ଆରମ୍ଭ କରି ଗଣତି ସମୟରେ ଦଳୀୟ ଏଜେଣ୍ଟମାନଙ୍କୁ ସଠିକ୍ ହିସାବ ଦିଆଯିବା ଉପରେ ଆଲୋଚନା ହୋଇଛି । ୱେବସାଇଟ୍ ମାଧ୍ୟମରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ରେଜଲ୍ଟ୍ ଆସିବା ନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ଲକରେ ଥିବା ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

ଗୋଟିଏ ଦିନରେ ବ୍ଲକରେ ୱାର୍ଡମେମ୍ବର, ସମିତି ସଭ୍ୟ, ସରପଞ୍ଚ ଓ ଜିଲ୍ଲା ପରିଷଦ ଲାଗି ଗଣତି ହେବ । ତେଣୁ ବ୍ଲକ ଅଫିସ୍ ଆଗରେ ପ୍ରବଳ ଭିଡ଼ ହେବାର ଆଶଙ୍କା କରାଯାଉଛି । ତେଣୁ ପ୍ରତି ଗଣତି କେନ୍ଦ୍ରରେ ବ୍ୟାପକ ପୋଲିସ୍ ବନ୍ଦୋବସ୍ତ ପାଇଁ ନିର୍ଦ୍ଦେଶ ଦିଆଯଆଇଛି ।