• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଷ୍ଟ୍ରପତି ଭବନରେ ରାଜ୍ୟର ବିଧାୟକ ଟିମ୍ । ପ୍ରଥମ ନାଗରିକଙ୍କୁ ଭେଟିଲେ, ଅଭିନନ୍ଦନ ସଂକଳ୍ପ ଅବଗତ କରାଇଲେ । ଉପହାର ଦେବା ସହ ସୁଖଦୁଃଖ ବି ହେଲେ । ରାଜ୍ୟ ବିକାଶ ଲାଗି ସହଯୋଗ ଲୋଡ଼ିଲେ । ଖାଲି ସେତିକି ନୁହେଁ, ଭବ୍ୟ ରାଷ୍ଟ୍ରପତି ଭବନ ବୁଲି ଦେଖିବା ସହ ରାଷ୍ଟ୍ରପତିଙ୍କ ସହ ଫଟୋ ଉଠାଇ ଖୁସି ମନରେ ଫେରିଲେ ଓଡ଼ିଶାରୁ ଯାଇଥିବା ବିଧାୟକ ଟିମ୍ ।

ରାଇସିନା ହିଲ୍‌ରେ ଓଡ଼ିଶା ବିଧାନସଭାର ସର୍ବଦଳୀୟ ଟିମ୍ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ୍ ଓ ୨୪ ଜଣିଆ ବିଧାୟକ ଦଳ । ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇଥିବାରୁ ତାଙ୍କୁ ଭେଟିବା ଲାଗି ବିଧାୟକଙ୍କ ମଧ୍ୟରେ ଥିଲା ବେଶ୍ ଉତ୍ସାହ । ଆଉ ଭେଟିବା ପୂର୍ବରୁ ଓଡ଼ିଶା ଭବନରେ ସଭିଏଁ ଏକାଠି ହୋଇଥିଲେ । ସେଠାରୁ ଯାଇଥିଲେ ରାଇସିନା ହିଲ୍ । ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ ସେମାନଙ୍କୁ ମିଳିଥିଲା ଭବ୍ୟ ଆତିଥ୍ୟ । ପାଛୋଟି ନେଇଥିଲେ ରାଷ୍ଟ୍ରପତି ଭବନର କର୍ମଚାରୀ । ମିଟିଂ ହଲ୍‌ରେ ନିଜ ରାଜ୍ୟର ଏତେ ସଂଖ୍ୟକ ବିଧାୟକଙ୍କୁ ଦେଖି ରାଷ୍ଟ୍ରପତି ଦ୍ରୌପଦୀଙ୍କ ଖୁସି ବି କହିଲେ ନ ସରେ ।

ଓଡ଼ିଶା ବିଧାନସଭାରେ ଦ୍ରୌପଦୀ ବିଧାୟିକା ଥିବା ସମୟରେ ଯେଉଁମାନେ ବିଧାୟକ ଥିଲେ, ସେମାନଙ୍କୁ ଦେଖି ରାଷ୍ଟ୍ରପତି ଅଧିକ ଉତ୍ସାହିତ ହୋଇଥିଲେ ଓ କେମିତି ଅଛନ୍ତି ବୋଲି ନା ଧରି ପଚାରିଥିଲେ । ଖାଲି ସେତିକି ନୁହେଁ, ରାଷ୍ଟ୍ରପତି ବିଧାୟକମାନଙ୍କ ସହ ଗ୍ରୁପ୍ ଫଟୋ ସହିତ ଜଣ-ଜଣିକା କରି ବ୍ୟକ୍ତିଗତ ଫଟୋ ବି ଉଠାଇଲେ । ଏସବୁ ଭିତରେ ବିଧାନସଭା ପକ୍ଷରୁ ପାରିତ ହୋଇଥିବା ଅଭିନନ୍ଦନ ସଂକଳ୍ପକୁ ପାଠ କରି ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ ବାଚସ୍ପତି । ଏହାପରେ ଓଡ଼ିଶା ବିକାଶ ନେଇ ବିଧାୟକମାନେ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଥିଲେ ।

ବେଶ୍ କିଛି ସମୟ ଭାବ ବିନିମୟ ପରେ ବିଧାୟକମାନଙ୍କୁ ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନ, ଡାଇନିଂ ହଲ, ଦରବାର ହଲ୍, ଅଶୋକା ହଲ୍ ଆଦି ବିଭିନ୍ନ ସ୍ଥାନ ବୁଲାଇ ଥିଲେ । ରାଷ୍ଟ୍ରପତି ଭବନର କର୍ମଚାରୀ ରାଷ୍ଟ୍ରପତିଙ୍କୁ ଭେଟିବା ବେଳେ ବିଧାନସଭା ପକ୍ଷରୁ କଟକୀ ତାରକସିରେ ନିର୍ମିତ ଜଗନ୍ନାଥଙ୍କ ଏକ ପ୍ରତିମୂର୍ତ୍ତି ଦିଆଯାଇଥିଲା । ବିଧାୟକମାନେ ମଧ୍ୟ ରାଷ୍ଟ୍ରପତିଙ୍କ ଲାଗି ନେଇଥିବା ଭଳିକି ଭଳି ଉପହାର ପ୍ରଦାନ କରିଥିଲେ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ବିଜେଡି ବିଧାୟକ ପଦ୍ମିନୀ ଦିଆନ ରାଷ୍ଟ୍ରପତିଙ୍କ ଲାଗି ନେଇଥିଲେ କୋରାପୁଟିଆ କୋଟପାଡ୍ ଶାଢ଼ି ।

ବିଜେପି ବିଧାୟକ ବିଷ୍ଣୁ ସେଠୀ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଲେଖିଥିବା କବିତାକୁ ପାଠ କରିବା ସହ କବିତା ସଙ୍କଳନକୁ ଫ୍ରେମ୍ କରି ରାଷ୍ଟ୍ରପତିଙ୍କୁ ଉପହାର ଦେଇଥିଲେ । ରାଷ୍ଟ୍ରପତି ଭବନରେ ବିଧାୟକମାନଙ୍କୁ ସିଙ୍ଗଡ଼ା, ରୋଲ୍ ସମେତ ଭଳିକି ଭଳି ମିଠା ଖାଇବାକୁ ଦିଆଯାଇଥିଲା । ରାଷ୍ଟ୍ରପତିଙ୍କୁ ଭେଟିବା ପରେ ବେଶ୍ ଉତ୍ସାହିତ ଥିଲେ ଖୋଦ୍ ବାଚସ୍ପତି ଓ ସବୁ ବିଧାୟକ । ରାଷ୍ଟ୍ରପତି ଭବନରୁ ଫେରିବା ପରେ ସମସ୍ତଙ୍କ ମୁହଁରୁ ସ୍ପଷ୍ଟ ବାରି ହେଉଥିଲା ଖୁସି ।

ରାଷ୍ଟ୍ରପତିଙ୍କୁ ଭେଟି ରାଷ୍ଟ୍ରପତି ଭବନର ସ୍ମୃତି ସାଉଁଟିଥିବା ରାଜ୍ୟ ବିଧାନସଭାର ସର୍ବଦଳୀୟ ଟିମ୍ ଆସନ୍ତାକାଲି ଓଡ଼ିଶା ଫେରିବ । ଏବେ ସମସ୍ତଙ୍କ ଅପେକ୍ଷା, ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଦ୍ରୌପଦୀ ମୁର୍ମୁ କେବେ ନିଜ ରାଜ୍ୟକୁ ରାଜକୀୟ ଗସ୍ତରେ ଆସୁଛନ୍ତି ।