MLAଙ୍କ ଦରମା ଲକ୍ଷେରୁ ଅଢେଇ ଲକ୍ଷକୁ ବୃଦ୍ଧି ଦାବି, ଏହା କେତେ ଜରୁରୀ ?

ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟିର ସୁପାରିଶ । ପୂର୍ବତନ ବିଧାୟକଙ୍କ ପେନ୍‌ସନ୍ ଲକ୍ଷେ କରିବାକୁ ବି କମିଟି ପକ୍ଷରୁ ପ୍ରସ୍ତାବ ।

MLA Salary

ବଢିପାରେ ବିଧାୟକଙ୍କ ବେତନ । ବିଧାନସଭାର କମିଟି କଲା ସୁପାରିଶ । ଦରମା ଓ ଭତ୍ତା, ଅଢେଇ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ସୁପାରିସ ହୋଇଛି । ରାଜ୍ୟ ସରକାର ଏନେଇ ବିଧିବଦ୍ଧ ନିଷ୍ପତ୍ତି ନେବେ । ଦରଦାମ ଓ ଅନ୍ୟ ରାଜ୍ୟ ବିଧାୟକଙ୍କ ଦରମା ଆକଳନ କରି ବିଧାୟକଙ୍କ ଦରମା ଓ ଗସ୍ତ ଖର୍ଚ୍ଚ ବାବଦକୁ ଏଣିକି ଲକ୍ଷେ ବଦଳରେ ଅଢେଇ ଲକ୍ଷ ଟଙ୍କା କରିବାକୁ ବାଚସ୍ପତିଙ୍କୁ ସୁପାରିଶ କରିଛି ବିଧାନସଭା କମିଟି ।

୧୯ଟି ରାଜ୍ୟ ତୁଳନାରେ ଓଡ଼ିଶା ବିଧାୟକଙ୍କ ଦରମା ଓ ପେନସନ୍ ଅପେକ୍ଷାକୃତ କମ ଥିବାରୁ ଦରମା ବୃଦ୍ଧି ସପକ୍ଷରେ ଯୁକ୍ତି ବାଢିଛନ୍ତି ଶାସକ ଓ ବିରୋଧୀ । କଂଗ୍ରେସ କିନ୍ତୁ ବର୍ତ୍ତମାନ ସମୟରେ ଦରମା ବୃଦ୍ଧି ନକରାଯାଉ ବୋଲି ମତ ରଖିଛି । ବିଧାୟକମାନେ ଏବେ ଦରମା ବାବଦକୁ ୩୫ ହଜାର ଟଙ୍କା ପାଉଥିବା ବେଳେ ବିଭିନ୍ନ ଭତ୍ତା ବାବଦକୁ ପାଉଛନ୍ତି ୬୫ ହଜାର ଟଙ୍କା । ଯେଉଁଥିରେ କନଭେୟାନସ ପାଇଁ ୧୫ ହଜାର, ମେଡ଼ିକାଲ ପାଇଁ ୫ ହଜାର ଓ ଟେଲିଫୋନ ବାବଦରେ ରହିଛି ୮ ହଜାର ଟଙ୍କା ।

ଅନ୍ୟ ରାଜ୍ୟ ତୁଳନାରେ ଏହା ବହୁତ କମ ଥିବାରୁ ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ବିଧାୟକମାନେ ସେମାନଙ୍କ ଦରମା ୧ଲକ୍ଷ ରୁ ୩ଲକ୍ଷ ଟଙ୍କା ବୃଦ୍ଧି କରିବାକୁ ଦାବି କରିଥିଲେ । ହେଲେ ବାଚସ୍ପତିଙ୍କ ଦ୍ୱାରା ଗଠନ କରାଯାଇଥିବା କାର୍ଯ୍ୟ ପରାମର୍ଶଦାତା କମିଟି ସବୁ ଦିଗକୁ ବିଚାର କରି ବିଧାୟକମାନଙ୍କ ଦରମା ଅଢେଇ ଲକ୍ଷ ଓ ପୂର୍ବତନ ବିଧାୟକଙ୍କ ପେନସନ ୧ ଲକ୍ଷ ଟଙ୍କା ବୃଦ୍ଧି କରିବାକୁ ସୁପାରିଶ କରିଛି ।

ବିଧାୟକମାନଙ୍କ ଦରମା ବଢିବା ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ସାଧାରଣରେ ଏବେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଲାଣି । ବିଶେଷ କରି ଶିକ୍ଷକ, ଅଙ୍ଗନବାଡି କର୍ମୀ, ଠିକା କର୍ମଚାରୀ ଏବଂ ସାଧାରଣ ଜନତା କଡ଼ା ଭାଷାରେ ଏହାକୁ ନିନ୍ଦା କରିଛନ୍ତି । ବିଧାନସଭା ସମ୍ମୁଖରେ ସରକାର ବିରୋଧୀ ସ୍ଲୋଗାନ ଦେଇ ଅହରୋତ୍ର ଆନ୍ଦୋଳନରେ ବିଭିନ୍ନ ଅନୁଷ୍ଠାନ ବସିଛନ୍ତି, କେବଳ ଦରମା ବୃଦ୍ଧି ଦାବିରେ । କିନ୍ତୁ ସେମାନଙ୍କ କଥା ନଶୁଣି ଜନପ୍ରତିନିଧି ନିଜ ଦରମା ବୃଦ୍ଧିକୁ ଅଗ୍ରାଧିକାର ଦେବା ନିହାତି ଭାବେ ଗଣତନ୍ତ୍ର ବିରୋଧୀ ବୋଲି ବିଭିନ୍ନ ସଂଗଠନ କହିଛନ୍ତି ।

ଶେଷ ଥର ପାଇଁ ୨୦୧୭ରେ ବିଧାୟକମାନଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବଢିଥିଲା । ଆଉ ଏବେ ଦରଦାମ ବଢିଥିବାରୁ ଦରମା ବଢ଼ାଇବାକୁ ଦାବି କରିଛନ୍ତି ବିଧାୟକ ।

(ରିପୋର୍ଟ-ଜଗଦୀଶ ଦାସ, ଭୁବନେଶ୍ୱର)