/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707494289.jpg)
Former Minister Premananda Nayak
ବିଜେଡିରେ କମ୍ପନ। ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ତେଲକୋଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାୟକ। ଟିକେଟ କଟିବା ନେଇ କାଳେ ଆଗୁଆ ସଙ୍କେତ ପାଇଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ପ୍ରେମାନନ୍ଦ। ଇସ୍ତଫା ଦେବା ସହ ଦଳ ଭିତରେ କୁହୁଳୁଥିବା ଅସନ୍ତୋଷର ନିଆଁ ସମ୍ପର୍କରେ ବି ଖୁଲାସା କରିଛନ୍ତି।
ବିଜେଡିକୁ ଝଟକା। ଖୋଲୁଛି ଦଳୀୟ କନ୍ଦଳ ଗୁମର। ସମାନ୍ତରାଳ ସଂଗଠନ ପାଇଁ ଦଳ ଛାଡୁଛନ୍ତି ନେତା। ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଦେଲେ ଦଳରୁ ଇସ୍ତଫା। ଗତବର୍ଷ ଅକ୍ଟୋବର ୧୨ ତାରିଖରେ ଦଳର ସୁପ୍ରିମୋଙ୍କୁ ଇସ୍ତଫାପତ୍ର ପଠାଇଥିଲେ ପ୍ରେମାନନ୍ଦ। ଆଉ ଆଜି ଖୋଦ୍ ଏକଥାକୁ ସ୍ୱୀକାର କରି ଦଳକୁ ବାଏ ବାଏ କରିଛନ୍ତି।
ଖାଲି ସେତିକି ନୁହେଁ ଦଳରୁ ଇସ୍ତଫା ଦେବା ପରେ ଅଣଦେଖାର ଅଭିଯୋଗ ଆଣି ଗୋହି ବି ଖୋଳିଛନ୍ତି। କହିଛନ୍ତି, ୨୦୧୯ ପରଠାରୁ ଆଉ ନବୀନଙ୍କୁ ଭେଟି ଅଞ୍ଚଳ ସମସ୍ୟା ଜଣାଇବା ସମ୍ଭବ ହେଉନି। ସେ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ସେହିପରି ୨୦୧୪ରେ କଂଗ୍ରେସ ଓ ୨୦୧୯ରେ ବିଜେପିରୁ ତେଲକୋଇ ଆସନରୁ ଲଢି ହାରିଥିବା ଚମ୍ପୁଆର ପୂର୍ବତନ ବିଧାୟକ ଧନୁର୍ଜ୍ଜୟ ସିଧୁଙ୍କୁ ପଞ୍ଚାୟତ ନିର୍ବାଚନବେଳେ ବିଜେଡିକୁ ଆଣିବା ଦଳୀୟ ବିଶୃଙ୍ଖଳାର ମୁଖ୍ୟ କାରଣ ବୋଲି ସେ କହିଛନ୍ତି।
ଏଥିସହ ବିଜେଡି ଲଗାତର ଭାବେ ତେଲକୋଇ ଜିତିଆସୁଥିଲେ ବି ପରାଜିତ ନେତା ଧନୁର୍ଜ୍ଜୟ ଆସିବା ପରେ ନିର୍ବାଚନମଣ୍ଡଳୀରେ ସମାନ୍ତରାଳ ସଂଗଠନ ଆରମ୍ଭ ହୋଇଥିଲା। ଏବାବଦରେ ସୁପ୍ରିମୋ ଓ ସଂଗଠନ ସମ୍ପାଦକଙ୍କୁ ଜଣାଇଥିଲେ ବି କିଛି ସୁଫଳ ମିଳିନଥିଲା। ଏପରିକି ଇସ୍ତଫାପତ୍ର ଦେଇଥିଲେ ବି କେହି ଡାକି ଆଲୋଚନା ବି କରିନଥିଲେ ବୋଲି ବି ଅଭିଯୋଗ କରିଛନ୍ତି ପ୍ରେମାନନ୍ଦ।
୨୦୧୪ରେ ଟିକେଟ କଟିବା ପରେ ପ୍ରେମାନନ୍ଦ ଅନ୍ୟ କେଉଁ ଦଳକୁ ଯାଇନଥିଲେ। ବିଶ୍ୱସନୀୟତା ପାଇଁ ୨୦୧୯ରେ ପୁଣି ଥରେ ଟିକେଟ ପାଇଲେ, ବିଜୟୀ ହୋଇ ମନ୍ତ୍ରୀ ବି ହେଲେ। କିନ୍ତୁ ଏଠି ପ୍ରଶ୍ନ କଣ ଏମିତି ପାଗ ବିଗିଡିଗଲା ଯେ ଏବେ ପ୍ରେମାନନ୍ଦ ବିଶ୍ୱାସ ହରାଇଛନ୍ତି। ନା ଏହା ପଛରେ ଆଉ କିଛି ଅଦୃଶ୍ୟ ଶକ୍ତି ରହିଛି। ଚର୍ଚ୍ଚା ହେଉଛି ଚମ୍ପୁଆର ପୂର୍ବତନ ବିଧାୟକ ଧନୁର୍ଜ୍ଜୟ ସିଧୁଙ୍କୁ ଟିକେଟ ଦେବା ପାଇଁ ହୋଇଛି କର୍ପୋରେଟ୍ ଲବି। ଯେଉଁଥିପାଇଁ ପ୍ରେମାନନ୍ଦ ଦଳ ଛାଡିଥିବା କୁହାଯାଉଛି। ନିର୍ବାଚନକୁ କମ୍ ସମୟ ଥିବାବେଳେ ଟିକେଟ ବଣ୍ଟନବେଳେ ଅସନ୍ତୁଷ୍ଟଙ୍କୁ ମ୍ୟାନେଜ କରିବା ବିଜେଡି ପାଇଁ ଚାଲେଞ୍ଜ ହୋଇପାରେ। ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି ପୁଣି ମୁହଁ ଖୋଲି କହିଛନ୍ତି ଆଗକୁ ଆହୁରି ଅନେକ ଅସନ୍ତୁଷ୍ଟ ବିଜେଡି ଛାଡିବେ। ଏପଟେ ବିଜେଡିର ଦମ୍ଭୋକ୍ତି କିଛି ବି ପ୍ରଭାବ ପଡିବନି।
ନିକଟରେ ସେଇ କେନ୍ଦୁଝର ପାଟଣା ନିର୍ବାଚନ ମଣ୍ଡଳୀର ପାଞ୍ଚ ପାଞ୍ଚ ଥର ବିଧାୟକ ହୃଷୀକେଶ ନାୟକ ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି। ସେହିପରି କଳାହାଣ୍ଡିର ପୁରୁଖା ନେତା ବଳଭଦ୍ର ମାଝୀ ବି ଅସନ୍ତୁଷ୍ଟ ହୋଇ ଦଳ ଛାଡିଛନ୍ତି। ଗୋଷ୍ଠୀ କନ୍ଦଳ ସହ ଆଗକୁ ଯେ ଟିକେଟ କଳି ତୀବ୍ର ହେବାକୁ ଯାଉଛି ସେଥିରେ ସନ୍ଦେହ ନାହିଁ। ଯାହାକି ବିଜେଡି ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)