• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମହାକାଳପଡ଼ା, ଆଠଗଡ଼ ଆଉ ପଦ୍ମପୁର ସବୁଠି ମନ୍ତ୍ରୀମାନଙ୍କୁ ବିରୋଧ, ନାରାବାଜି ଓ କଳାପତାକା ପ୍ରଦର୍ଶନ । ଗତକାଲି ବରଗଡ଼ ପଦ୍ମପୁରରେ ମନ୍ତ୍ରୀ ରୀତା ସାହୁଙ୍କୁ ଜୋରଦାର ବିରୋଧ ପରେ ଆଜି ଆଠଗଡ଼ ଓ ମହାକାଳପଡ଼ାରେ ବି ସମାନ ଘଟଣାର ପୁନାରବୃତ୍ତି । ଆଠଗଡ଼ର ବହୁ ପ୍ରତିକ୍ଷୀତ ଅତ୍ୟାଧୁନିକ ବସଷ୍ଟାଣ୍ଡର ଶୁଭ ଉଦଘାଟନ ଲାଗି ଉତ୍ସବସ୍ଥଳକୁ ଯାଉଥିଲେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସାଙ୍ଗରେ ଥିଲେ ନଗର ଉନ୍ନୟନ ମନ୍ତ୍ରୀ ଊଷା ଦେବୀ । ଉଭୟ ଗୋଟିଏ ଗାଡ଼ିରେ ଯାଉଥିବା ବେଳେ ହଠାତ ମନ୍ତ୍ରୀଙ୍କ ଗାଡ଼ି ଆଗକୁ ଆସି କଳା ପତାକା ଦେଖାଇଥିଲେ କିଛି ଯୁବ କଂଗ୍ରେସ କର୍ମୀ । ବସଷ୍ଟାଣ୍ଡ ନିର୍ମାଣ କାମ ନିମ୍ନମାନର ହୋଇଥିବା ଅଭିଯୋଗରେ ମନ୍ତ୍ରୀଙ୍କୁ ବିରୋଧ କରିଥିଲା କଂଗ୍ରେସ । ତେବେ ଘଟଣାସ୍ଥଳରେ ଉପସ୍ଥିତ ବିଜେଡି କର୍ମୀ ଓ ପୋଲିସ, ବିରୋଧ ପ୍ରଦର୍ଶନକାରୀଙ୍କ ଉପରେ ଭାରି ପଡ଼ିଥିଲେ । କିଛି ସମୟର ହୋହଲ୍ଲା ଓ ଉତ୍ତେଜନା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ଦୃଶ୍ୟ ମଧ୍ୟ ସମାନ । ଏଠିବି ନିଜ ଅଞ୍ଚଳରେ ପ୍ରବଳ ବିରୋଧ ଓ ଜନ ଆନ୍ଦୋଳନ ପାଇଁ ହଟହଟା ହୋଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ।  ଅତନୁ ଆଜି ତାଙ୍କ ନିର୍ବାଚନମଣ୍ଡଳୀକୁ ଯାଇ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରୁଥିଲେ । ତେବେ ଜମ୍ମୁଘାଟ ନିକଟରେ ହଠାତ ମନ୍ତ୍ରୀଙ୍କ ଗାଡ଼ି ଆଗକୁ ଚାଲି ଆସିଥିଲେ ଶହ ଶହ ସଂଖ୍ୟାରେ ମହିଳା । ମନ୍ତ୍ରୀଙ୍କ ଗାଡ଼ି ଆଗରେ ଛିଡ଼ା ହୋଇ ଜୋରଦାର ପ୍ରତିବାଦ ଜଣାଇଥିଲେ ।

କିଛି ଦିନ ତଳେ ଅଞ୍ଚଳରେ ଏକ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବା କହି ମନ୍ତ୍ରୀଙ୍କୁ ଅଧା ରାସ୍ତାରେ ଅଟକାଇ ରଖିଥିଲେ ମହିଳା । ତେବେ କିଛି ସମୟର ଉତ୍ତେଜନା, ହୋହଲ୍ଲା ଓ ନାରାବାଜି ଭିତରେ ବିଜେଡି କର୍ମୀଙ୍କ ସହାୟତାରେ ନିଜ ଗାଡ଼ି ଛା଼ଡ଼ି ଅନ୍ୟ ଏକ ଗାଡ଼ିରେ ଘଟଣାସ୍ଥଳରୁ ଖସିଯିବାରେ ସମର୍ଥ ହୋଇଥିଲେ ମନ୍ତ୍ରୀ ।

 

ଗତକାଲିର ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳକୁ ଏକ ସରକାରୀ କାର୍ଯ୍ୟକ୍ରମକୁ ଗସ୍ତ ଅବସରରେ ବିରୋଧର ସମ୍ମୁଖୀନ ହୋଇଥିଲେ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ । ସେଠାରେ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ ସହ ଓ ଗୋ ବ୍ୟାକ୍ ନାରା ଦେଇଥିଲେ ସ୍ଥାନୀୟ ବିଜେପି କର୍ମୀ । ଅଞ୍ଚଳରେ କୌଣସି ବିକାଶ ହୋଇନଥିବା ଅଭିଯୋଗ ନେଇ ବିଜେପି କର୍ମୀ ଏଭଳି ପ୍ରତିବାଦ ଜଣାଇଥିଲେ । ପଦ୍ମପୁରରେ ଆଗକୁ ଉପନିର୍ବାଚନ ଥିବାରୁ ମନ୍ତ୍ରୀମାନେ ଏବେ ଘନଘନ ଗସ୍ତ କରୁଛନ୍ତି । ତେବେ ପୂର୍ବରୁ ଏଠାରେ ମନ୍ତ୍ରୀମାନଙ୍କର ଦେଖା ମିଳୁନଥିବା ଅଭିଯୋଗ କରି ଏହି ପ୍ରଦିବାଦ ହୋଇଥିଲା ।

(ରିପୋର୍ଟ- ଆଠଗଡ଼ରୁ ନୀଳକଣ୍ଠ ଦୋରା, କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁ ଏବଂ ପଦ୍ମପୁରରୁ ସୋମେସ ମହାନ୍ତି)