• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କଂଗ୍ରେସ ଓ ଗାନ୍ଧି ପରିବାରର ଏଟିଏମ୍ ଥିଲେ କଂଗ୍ରେସ ସାଂସଦ ଧୀରଜ ସାହୁ । ଦେଶୀ ମଦ ବ୍ୟବସାୟରେ ଆଇଟି ରେଡରୁ ଟଙ୍କାର ପାହାଡ଼ ଠାବ ହେବା ଘଟଣାର ସପ୍ତାହକ ପରେ ଧୀରଜଙ୍କ ସଫେଇ ଉପରେ ପ୍ରତିକ୍ରିୟା ରଖି ଆଜି ଏଭଳି କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେବଳ ସେତିକି ନୁହେଁ, ଏଥିପାଇଁ ରାଜ୍ୟ ସରକାରଙ୍କୁ ବି କଡ଼ା ସମାଲୋଚନା କରିଛନ୍ତି । କହିଛନ୍ତି ଓଡ଼ିଶାରୁ ଏତେ ଟଙ୍କା ମିଳିବା ପଛରେ ଦୁର୍ନୀତିର ଉଈ ଲାଗିଥିବା ଓଡ଼ିଶାର ଅବକାରୀ ନୀତି ହିଁ ଦାୟୀ ।

ଦେଶୀ ମଦ ସାମ୍ରାଜ୍ୟ ଉପରେ ଆଇଟି ରେଡ୍ ଏବଂ କେବଳ ଓଡ଼ିଶାରୁ ୩ ଶହ ୩୦ କୋଟିରୁ ଅଧିକ ଟଙ୍କା ଜବତ ଘଟଣାର ସପ୍ତାହକ ପରେ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲି କାଲି କିଛି ଏମିତି ସଫେଇ ରଖିଥିଲେ କଂଗ୍ରେସ ସାଂସଦ ଧୀରଜ ସାହୁ । କହିଥିଲେ ଏହା ନିଶ୍ଚିତ ଯେ, ଏହି ଟଙ୍କା ସହ କଂଗ୍ରେସ କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳର ସଂପର୍କ ନାହିଁ । ହେଲେ ଧୀରଜଙ୍କ ଏଇ ମନ୍ତବ୍ୟର ଆଜି ତୀବ୍ର କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି ଧୀରଜ କଂଗ୍ରେସ ଓ ଗାନ୍ଧି ପରିବାରର ଏଟିଏମ୍ ଥିଲେ । ଗାନ୍ଧି ପରିବାର ସହ ଫଟୋ ଦେଖାଇ ଚାପ ପକାଇବା ତାଙ୍କ ଅଭ୍ୟାସ ଥିଲା। ନିଜ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ଗାନ୍ଧି ପରିବାର ବି ଧୀରଜଙ୍କୁ ବ୍ୟବହାର କରୁଥିଲେ । ଯାହା ଯେତେ ଜୋର କରି କହିଲେ ବି ଲୁଚି ପାରିବନି । ଯାହାର ଜବାବ ରଖିଛି କଂଗ୍ରେସ ।

କେବଳ ସେତିକି ନୁହେଁ, ଧୀରଜ ସାହୁ ଦୁଇ ତିନିଟି ରାଜ୍ୟର ଅବକାରୀ ନୀତିର ନିର୍ଦ୍ଧାରକ ଥିଲେ ବୋଲି ଅଭିଯୋଗ କରିବା ସହ ରାଜ୍ୟ ସରକାରଙ୍କୁ ବି କାଠଗଡ଼ାକୁ ଟାଣିଛନ୍ତି ଧର୍ମେନ୍ଦ୍ର । କହିଛନ୍ତି ଓଡ଼ିଶାରୁ ଏତେ ଟଙ୍କା ମିଳିବା ପଛରେ ଦୁର୍ନୀତିର ଉଈ ଲାଗିଥିବା ଓଡ଼ିଶାର ଅବକାରୀ ନୀତି ହିଁ କାରଣ । ଯେଉଁମାନେ ଏହାର ଲାଭାର୍ଥୀ ଥିଲେ ସେମାନଙ୍କୁ ଉତ୍ତର ଦେବାକୁ ହେବ । ମୁହଁ ଲୁଚାଇଲେ ହେବ ନାହିଁ ।

ଦେଶୀ ମଦ ଭାଟି ବ୍ୟବସାୟରୁ ଏତେ ନଗଦ ଟଙ୍କା ଆସିଲା କେମିତି ? ପୂର୍ବତନ ଅବକାରୀ କମିଶନ୍ ମଧ୍ୟ ଏଥିପାଇଁ ରାଜ୍ୟର ଅବକାରୀ ନୀତିକୁ ଦାୟୀ କରିଛନ୍ତି । ୨୫ ବର୍ଷ ଧରି ରାଜ୍ୟର ଦେଶୀ ମଦ ଦୋକାନ ଲାଇସେନ୍ସ ରି-ଟେଣ୍ଡରିଂ କି ରି-ଅକ୍ସନିଂ ହୋଇନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି ବିଶେଷଜ୍ଞ ।

ଏପଟେ ଧୀରଜ ସାହୁଙ୍କ ପାରିବାରିକ ମଦ କଂପାନି ବୌଦ୍ଦ ଡିଷ୍ଟିଲାରିଜ୍ ପ୍ରାଇଭେଟ୍ ଲିମିଟେଡ୍ ଲିଙ୍କରେ ଏବେ ଯାଏଁ ବି ଥମୁନି ଆୟକର ବିଭାଗର ରେଡ୍ । ଢେଙ୍କାନାଳ ମାଛିଆ ସ୍ଥିତ ଶକ୍ତି ମଲଟେୟାର ଆଣ୍ଡ୍ ଲିମୋନେଡ୍ ପ୍ରାଇଭେଟ୍ ଲିମିଟେଡ୍ ଉପରେ ଗତକାଲିଠୁ ଚଢ଼ାଉ ଜାରି ରହିଛି ।