୨୦୨୪ ନିର୍ବାଚନ ପୂର୍ବରୁ ବିଜେଡି ଖେଳୁଛି କି ଜାତି କାର୍ଡ ? ସରକାର ଆଣିବେ କି ସ୍ପେଶାଲ ସ୍କିମ୍ ?

ଘୋଷଣାର ଦୀର୍ଘଦିନ ପରେ ଓବିସି ସର୍ଭେକୁ ଗ୍ରୀନ୍ ସିଗ୍ନାଲ । ପଛୁଆ ବର୍ଗର ଭୋଟ୍ ନେବାକୁ କସରତ ଆରମ୍ଭ ।

OBC Card

ପଛୁଆ ବର୍ଗଙ୍କ ସର୍ଭେ ଲାଗି ଅଣ୍ଟା ଭିଡ଼ିଲେ କମିଶନ । ଭୋଟ୍ ପୂର୍ବରୁ ଓବିସିଙ୍କୁ ହାତରେ ରଖିବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ । ଘୋଷଣାର ବହୁ ଦିନ ପରେ ପଛୁଆ ବର୍ଗ ସର୍ଭେକୁ ମିଳିଲା ଗ୍ରୀନ୍ ସିଗନାଲ । ବିହାର ପରେ ଓଡ଼ିଶା କରିବାକୁ ଯାଉଛି ନିଜସ୍ୱ ଓବିସି ସର୍ଭେ । ଜୁଲାଇ ୧୨ ତାରିଖ ସୁଦ୍ଧା ସର୍ଭେର ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି ଓବିସି କମିଶନ୍ ।

ରାଜ୍ୟର ସମସ୍ତ ଜିଲ୍ଲାର ୩୧୪ ବ୍ଲକ ଓ ୧୧୪ଟି ପୌରାଂଚଳ, ମହାନଗର ନିଗମରେ ପଛୁଆ ବର୍ଗଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତି ଜାଣିବା ପାଇଁ ଏହି ସର୍ଭେ କରାଯିବ । ଏଥିପାଇଁ ରାଜ୍ୟ ଓବିସି କମିଶନଙ୍କ ସଦସ୍ୟ ସଚିବ ଭିଭି ଯାଦବ, ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ଡିଷ୍ଟ୍ରିକ୍ଟ ସର୍ଭେ ମ୍ୟାନେଜମେଣ୍ଟ ପ୍ଳାନ ପ୍ରସ୍ତୁତ କରି କମିଶନଙ୍କ ନିକଟକୁ ପଠାଇବାକୁ କୁହାଯାଇଛି ।

ଅଧିକ ପଢ଼ନ୍ତୁ: BJP-BJD ତୁତୁ ମେମେ ଭିତରେ ତେଜିଲା ଟୁଇଟ୍ ୱାର୍

ଚିହ୍ନଟ ହୋଇଥିବା ପ୍ରାଥମିକ ସ୍କୁଲ, ସରକାରୀ ପ୍ରତିଷ୍ଠାନ, ସୁଲଭ ବିକ୍ରୟ କେନ୍ଦ୍ର ଆଦିରେ ଏଥିପାଇଁ ସର୍ଭେ କେନ୍ଦ୍ର ସ୍ଥାପନ କରାଯିବ । ସର୍ଭେ ସମୟରେ ପରିବାର ମୁଖିଆଙ୍କ ପରିଚୟ ପ୍ରମାଣପତ୍ର ରହିବା ଜରୁରୀ । ସର୍ଭେ ସଂକ୍ରାନ୍ତ ତଥ୍ୟ ଉଭୟ ଡିଜିଟାଲ ଓ ସାଧାରଣ ଫର୍ମରେ ପୂରଣ ହେବ । ଏପ୍ରିଲ-ମେ’ ମାସରେ ସର୍ଭେ ପ୍ରକ୍ରିୟା ଆରମ୍ଭ ହୋଇ ଜୁଲାଇ ୧୨ ତାରିଖ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ତେବେ ପ୍ରଶ୍ନ ଉଠୁଛି ଦୀର୍ଘଦିନ ପରେ କାହିଁକି ପଛୁଆ ବର୍ଗ ସର୍ଭେ ଲାଗି ଅଣ୍ଟା ଭିଡ଼ିଲେ ସରକାର ? ଭୋଟ୍‌ର ବର୍ଷେ ପୂର୍ବରୁ କାହିଁକି ଏ କସରତ ? ରାଜ୍ୟରେ ପଛୁଆ ବର୍ଗଙ୍କ ସଂଖ୍ୟା ଜନସଂଖ୍ୟାର ଅଧାରୁ ଅଧିକ ଥିବାରୁ ସେମାନଙ୍କୁ ପ୍ରଭାବିତ କରିବା ଲାଗି ଏ ଉଦ୍ୟମ ନୁହେଁ ତ ? ସର୍ଭେ ପରେ ଓବିସିଙ୍କ ଲାଗି ରାଜ୍ୟ ସରକାର କୌଣସି ସ୍ପେଶାଲ ସ୍କିମ୍ ଆଣିବେ କି ? ସେପଟେ ବିରୋଧୀ ଅଭିଯୋଗ କରିଛନ୍ତି, ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ପଛୁଆ ବର୍ଗ ଲାଗି ସଂରକ୍ଷଣ ବ୍ୟବସ୍ଥା ନକରି କେବଳ ଭୋଟ୍ ପାଇଁ ଏଭଳି ସୁଆଙ୍ଗ କରାଯାଉଛି ।

ରାଜନୈତିକ ଛକାପଞ୍ଝା ଓ ଉଷ୍ମତା ମଧ୍ୟରେ କ୍ଷମତାସୀନ ବିଜେଡି ସରକାର ଗତ ୨୦୨୧ ମେ’ ମାସରୁ ସ୍ଥଗିତ ଥିବା ଓବିସି ସର୍ଭେକୁ ପୁଣି ଥରେ ଚାଲୁ କରିବାକୁ
ନିଷ୍ପତ୍ତି ନେବା ପରେ ରାଜନୀତି ତେଜିଛି । ସର୍ଭେ ପରେ ଜଣାପଡ଼ିବ, ରାଜ୍ୟରେ ପ୍ରକୃତରେ ଓବିସି ସଂଖ୍ୟା କେତେ ଓ ସେମାନଙ୍କ ସ୍ଥିତି କିଭଳି ରହିଛି ।