• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଛୁଆବର୍ଗ ସର୍ଭେକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ । ପଛୁଆ ବର୍ଗ ସର୍ଭେ ଏକ ପ୍ରହସନ ଏବଂ ପ୍ରବଞ୍ଚନା ବୋଲି କହିଛନ୍ତି ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ୫୪ ପ୍ରତିଶତ ଲୋକଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରିଛନ୍ତି ରାଜ୍ୟ ସରକାର । ପଛୁଆ ବର୍ଗଙ୍କ ଅକ୍ରୋଶରୁ ଦୃଷ୍ଟି ହଟାଇବା ପାଇଁ ସରକାର ଏହି ସର୍ଭେ (Survey) କରୁଛନ୍ତି । କେନ୍ଦ୍ର ଓବିସି (OBC) ତାଲିକାରେ ଥିବା ୧୪ ଜାତି, ରାଜ୍ୟ ଏସଇବିସି (SEBC) ତାଲିକାରେ ନାହାନ୍ତି । ତେଣୁ କେମିତି ସର୍ଭେ କରିବେ ରାଜ୍ୟ ସରକାର ବୋଲି ବିଜେପି ପ୍ରଶ୍ନ କରିଛି ।

୨୨ଟି ଜାତିକୁ ଓବିସି ତାଲିକାରୁ ଆଣି ଏସଇବିସି ତାଲିକାରେ ଯୋଡିଲୁ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ । ଏହା ସମ୍ପୂର୍ଣ୍ଣ ମିଛ ବୋଲି ଅଭିଯୋଗ କରିଛି ବିଜେପି । ରାଜ୍ୟରେ କେତେ ଜାତି ଅଛନ୍ତି, ତାଲିକା ଚୂଡ଼ାନ୍ତ କରନ୍ତୁ ରାଜ୍ୟ ସରକାର । କେଉଁ କେଉଁ ଜାତି ଏସଇବିସି ତାଲିକାରେ ଅଛନ୍ତି ସ୍ପଷ୍ଟ କରିବାକୁ ଦଳ ଦାବି କରିଛି । 

ଅନ୍ୟପଟେ ଭୋଟକୁ ଆଖି ଆଗରେ ରଖି ଏହି ଓବିସି ଗଣନା କରାଯାଉଛି । ରାଜ୍ୟରେ ୬୩ ଭାଗ ଓବିସି ଥିଲେ ବି କୌଣସି ସୁବିଧା ସୁଯୋଗ ପାଉନଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

ସେହିଭଳି ବିରୋଧୀଙ୍କ ଅଭିଯୋଗ ଉପରେ ଜବାବ ରଖିଛନ୍ତି ଅନୁସୂଚିତ ଜାତି ଓ ଜନଜାତି ଓ ପଛୁଆ ବର୍ଗ ମନ୍ତ୍ରୀ ଜଗନ୍ନାଥ ସାରକା । ସେ କହିଛନ୍ତି, କିଏ କଣ ଅଭିଯୋଗ କଲେ ସେଥିରେ କିଛି ଯାଏ ଆସେ ନାହିଁ । ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ଜାଣିବା ପାଇଁ ଆମେ ଏହି ସର୍ଭେ କରୁଛୁ ।

ତେବେ ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ଓବିସି ଗଣନା । ଏହା ଆସନ୍ତା ୨୭ ତାରିଖ ଯାଏଁ ଚାଲିବ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଓବିସି ଗଣନା କରାଯାଉଛି । ରାଜ୍ୟ ସରକାରଙ୍କ ଦ୍ୱାରା ଅଧିସୂଚିତ ୨୦୮ ପ୍ରକାର ପଛୁଆ ବର୍ଗ ଲୋକଙ୍କୁ ନେଇ ଏହି ସର୍ଭେ ହେଉଛି । ଏଥିପାଇଁ ନିକଟସ୍ଥ ଖାଉଟି ସାମଗ୍ରୀ ବଣ୍ଟନ କେନ୍ଦ୍ର, ଅଙ୍ଗନବାଡ଼ି କେନ୍ଦ୍ରକୁ ସର୍ଭେ ସେଣ୍ଟର କରାଯାଇଛି । ପରିବାରର ମୁଖ୍ୟ କିମ୍ବା ଜଣେ ବରିଷ୍ଠ ସଦସ୍ୟ ପରିବାରର ସମସ୍ତ ତଥ୍ୟ ସର୍ଭେ ସେଣ୍ଟରେ ଦେଇ ପାରିବେ । ଜୁଲାଇ ୧୨ ତାରିଖ ସୁଦ୍ଧା ଓବିସି ଗଣନାର ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଅନୁସୂଚିତ ଜନଜାତିଙ୍କ ପାଇଁ ୨୨.୫ ପ୍ରତିଶତ, ଅନୁସୂଚିତ ଜାତି ପାଇଁ ୧୬.୨୫ ଓ ଓବିସିଙ୍କ ପାଇଁ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି ।

ସେହିଭଳି OBC ସର୍ଭେ ପାଇଁ ଭୁବନେଶ୍ୱରର ୭୦ ସ୍କୁଲରେ ୧୦୧ଟି ସେଣ୍ଟର କରାଯାଇଚି । ଭୋଟର ଆଇକାର୍ଡ, ପାସପୋର୍ଟ, ପ୍ୟାନ କାର୍ଡ, ଆଧାର କାର୍ଡ ମଧ୍ୟରୁ ଯେ କୌଣସି ଗୋଟିଏ ତଥ୍ୟ ଦେଇ ସର୍ଭେରେ ନିଜ ନା ସାମିଲ କରିହେବ । ନୋଡାଲ୍ ଅଫିସର, ମେୟର ସେଣ୍ଟର୍ ଗୁଡ଼ିକ ବୁଲି ତଦାରଖ କରିଛନ୍ତି । ଆଜିଠୁ ୨୦ ତାରିଖ ଯାଏଁ ଓ ପରେ ୨୭ ତାରିଖ ଯାଏଁ ସ୍ପେଶାଲ୍ ସର୍ଭେ ହେବ । ବ୍ରାହ୍ମଣ, କରଣ, ଏସସି (SC), ଏସଟି (ST)କୁ ବାଦ୍ ଦେଲେ ୨୦୮ଟି ଜାତି ଏହି ସର୍ଭେରେ ଭାଗ ନେବେ । ଏହି ବର୍ଗର ଲୋକଙ୍କ ଶିକ୍ଷା ଓ ସାମାଜିକ ସ୍ଥିତି ଜାଣିବା ଉଦ୍ଦେଶ୍ୟରେ ଏହା କରାଯାଉଛି ।