• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭୁଶୁଡ଼ିବ କି ବିଜେଡିର ମହିଳା ଭୋଟ୍ ବ୍ୟାଙ୍କ ? ବିଗିଡ଼ିବ କି ମିଶନ ଶକ୍ତି ତଥା SHG ମହିଳାଙ୍କୁ ନିଜ ଆଡ଼କୁ ନେବା ପାଇଁ ଶାସକ ବିଜେଡିର ରଣନୀତି ? କାରଣ ୧୯ ନିର୍ବାଚନ ବେଳେ ଲୋକସଭା ୩୩ % ମହିଳାଙ୍କୁ ଟିକଟ ଦେବାକୁ ଘୋଷଣା କରିଥିବା ବିଜେଡି ଏଥର ଟିକେ ମଠେଇ ଯାଇଛି ।

ଲୋକସଭା ଏବଂ ବିଧାନସଭା ପାଇଁ ଏଯାଏଁ ମାତ୍ର ଜଣେ SHG ସଦସ୍ୟାଙ୍କ ସମେତ ୧୬ ପ୍ରତିଶତ ମହିଳାଙ୍କୁ ଟିକଟ ଦେଇଛି ବିଜେଡି । ଯାହାକୁ ନେଇ ବିଭିନ୍ନ ସ୍ଥାନରେ ଦେଖାଦେଇଛି ଅସନ୍ତୋଷ । କହୁଥିଲେ ମହିଳା ସଶକ୍ତିକରଣ କଥା...ଲୋକସଭା ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରି ୨୦୧୯ରେ ବିଜେଡି ସୁପ୍ରିମୋ ଖେଳିଥିଲେ ମାଷ୍ଟ୍ରରଷ୍ଟ୍ରୋକ୍ । ଆସିକା ଲୋକସଭା ଆସନରୁ ଚେରମାରିଆ ଗାଁର ତଥା ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରମିଳା ବିଶୋୟୀଙ୍କୁ ପ୍ରାର୍ଥୀ କରି ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିଲେ ।

କିନ୍ତୁ ମିଶନ ଶକ୍ତି ଆଳରେ ମହିଳା ଭୋଟ୍ ବ୍ୟାଙ୍କ ସୃଷ୍ଟି କରିଥିବା ଶାସକ ବିଜେଡି ଏଥର କାହିଁକି କୁନ୍ଥକୁନ୍ଥ ? ମହିଳାଙ୍କୁ ପ୍ରାର୍ଥୀ କରି ସାଧାରଣ ମହିଳାଟିଏକୁ ସଂସଦ ଏବଂ ବିଧାନସଭାକୁ ଯିବାର ଅଧିକାର ରଖେ ବୋଲି କହିଥିବା ବିଜେଡି ଏଥର ଭୁଆଁ ବୁଲାଇ ଦେଲାକି ? ଯାଜପୁରର SHG ମହିଳା ସୁଜାତା ସାହୁ ।

ବର୍ତ୍ତମାନ ଯାଏଁ ପ୍ରମିଳା ବିଶୋୟୀଙ୍କ ଟିକେଟ କଟିବା ପରେ ରାଜ୍ୟରେ କେବଳ ଜଣେ SHG ସଦସ୍ୟାଙ୍କୁ ଯାଜପୁର ବିଧାନସଭା ପାଇଁ ପ୍ରାର୍ଥୀ କରିଛି ବିଜେଡି । ଯାହାକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ବିଭିନ୍ନ ସ୍ଥାନର SHG ମହିଳା । ବର୍ତ୍ତମାନ ସୁଦ୍ଧା ୧୫ଟି ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ୪ ମହିଳାଙ୍କୁ ଟିକଟ ଦେଇଛି ବିଜେଡି ।

ତା’ସହ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟର ୭୨ ଜଣିଆ ତାଲିକାରେ ୧୨ ମହିଳାଙ୍କୁ ବିଜେଡ଼ି ପ୍ରାର୍ଥୀ କରିଛି । ୨୦୧୯ ନିର୍ବାଚନରେ ଲୋକସଭାରେ ୩୩ ପ୍ରତିଶତ ମହିଳାଙ୍କୁ ଟିକଟ ଦେଇଥିଲା ବିଜେଡି । ବିଧାନସଭା ପାଇଁ ୧୯ ମହିଳା ପ୍ରାର୍ଥୀଙ୍କୁ ମିଳିଥିଲା ଟିକଟ । ପରବର୍ତ୍ତୀ ନିର୍ବାଚନରେ ବି ୩୩ ପ୍ରତିଶତ ଲାଗୁ କରିବୁ ବୋଲି ବିଜେଡି ଘୋଷଣା କରିଥିଲା ।

କିନ୍ତୁ ଏଯାଏଁ ୭୨ଟି ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଦେଇଥିବାବେଳେ ତା’ମଧ୍ୟରେ ଅଛନ୍ତି ମାତ୍ର ୧୬ ପ୍ରତିଶତ ମହିଳା । ଅବଶ୍ୟ ଆଉ ୬ଟି ଲୋକସଭା ଏବଂ ୭୫ଟି ବିଧାନସଭା ସିଟ୍ ପାଇଁ ବିଜେଡି ଟିକଟ ଘୋଷଣା କରିନି । ପ୍ରଶ୍ନ ଉଠୁଛି, ବିଭିନ୍ନ ସ୍ଥାନରେ ଜାରି ରହିଥିବା ବିଦ୍ରୋହ ଓ ବିରୋଧ ସ୍ଥିତି ଭିତରେ SHGରୁ ବିଜେଡି ପାଇଲାନି କି ନୂଆ ମୁହଁ ?

ଘୋଷଣା ହେବାକୁ ଥିବା ଅନ୍ୟ ୬ଟି ଲୋକସଭା ଏବଂ ୭୫ଟି ବିଧାନସଭା ସିଟରେ ମହିଳାଙ୍କୁ ପ୍ରାର୍ଥୀ କରି ୩୩ ପ୍ରତିଶତ ମହିଳାଙ୍କୁ ଟିକଟ ପ୍ରତିଶ୍ରୁତି ପୂରଣ କରିପାରିବ ତ ବିଜେଡି ? ସେନେଇ ନାନା ପ୍ରଶ୍ନ ଉଠୁଥିବା ବେଳେ ବିଜେଡିର ମହିଳା ଭୋଟ୍ ଭାଙ୍ଗିବାକୁ ‘ଶକ୍ତି ସାଥୀ ମିଶନ’ ପ୍ରସ୍ତୁତ କରି ବଡ଼ ଷ୍ଟ୍ରାଟେଜୀ ତିଆରି କରିଥିବା ବିଜେପି ଶାସକ ବିଜେଡିକୁ ସମାଲୋଚନା କରିଛି ।

ରାଜ୍ୟରେ ପ୍ରାୟ ୫୦ ପ୍ରତିଶତରୁ ଅଧିକ ମହିଳା ଭୋଟ୍ ରହିଛି। ମିଶନ ଶକ୍ତି ଜରିଆରେ ୬ ଲକ୍ଷ ୨ ହଜାର SHGରେ ପ୍ରାୟ ୭୦ ଲକ୍ଷ ମହିଳା SHG ରହିଛନ୍ତି । ଏବେ ଅପେକ୍ଷା, ଟିକଟ ପ୍ରଦାନ କ୍ଷେତ୍ରରେ ଏଥର ମଠେଇ ଯାଇଥିବା ବିଜେଡିକୁ ଚଳିତ ନିର୍ବାଚନରେ କି ଜବାବ ଦେଉଛନ୍ତି SHG ମହିଳା ।

  • Reported by:
  • T GOURISHANKAR , ATULYA BOUT , Biswambar Das , Sanjeeb Nayak