• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନବୀନଙ୍କ ୨୪ ବର୍ଷର ଶାସନ ପରେ ବି ଭୋକର ଭୂଗୋଳ ଭିତରେ ଦି’ମୁଠା ଦାନା ପାଇଁ ଦାଦନ ଯାଉଛି ଗରିବ ଖଟିଖିଆ ମଣିଷ । ସେ ଗଞ୍ଜାମ ହେଉ ଅବା ବଲାଙ୍ଗିର । ଆଜି ବି ଦାଦନ ଦହନରେ ଜଡ଼ସଡ଼ । ସଂଯୋଗର କଥା ହେଉଛି, ଚଳିତ ନିର୍ବାଚନରେ ଏହି ୨ ଜିଲ୍ଲାର ମଙ୍ଗ ଧରିବାକୁ ଯାଉଛନ୍ତି ନିଜେ ମୁଖ୍ୟମନ୍ତ୍ରୀ । ତେବେ କ’ଣ ବଦଳିଯିବ ଦାଦନର ଏହି ପେଣ୍ଠସ୍ଥଳୀର ଭାଗ୍ୟ ?

ଉତ୍କଟ ଦାଦନ ସମସ୍ୟାକୁ ନେଇ ଛଟପଟ ବଲାଙ୍ଗିର ଜିଲ୍ଲା ଦେଖିବ ତ ବିକାଶର ନୂତନ ସୂର୍ଯ୍ୟୋଦୟ ? ବର୍ଷ ବର୍ଷ ଧରି ଭୋଟ୍ ଦେଇ ଆସୁଛନ୍ତି, କିନ୍ତୁ ପରିବର୍ତ୍ତନ ହୋଇପାରୁନି ଏମାନଙ୍କ ଭାଗ୍ୟ । ଯାହାଙ୍କ ଭୋଟ୍ ବଳରେ ମୁଖ୍ୟମନ୍ତ୍ରୀ ବନିଯାଉଛନ୍ତି ନେତା, ଅଥଚ ମୌଳିକ ସୁବିଧା ସାତ ସପନ । ରାଜ୍ୟ ରାଜନୀତିର ବହୁଚର୍ଚ୍ଚିତ ଜିଲ୍ଲା ଗଞ୍ଜାମର ହିଞ୍ଜିଳି ନିର୍ବାଚନମଣ୍ଡଳୀ ।

ଆଜିକୁ ପ୍ରାୟ ଅଢ଼େଇ ଦଶନ୍ଧି ଧରି ଶାସନର ମଙ୍ଗ ଧରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିନ୍ତୁ ଆଜି ବି ଦାନା ପାଇଁ ଦାଦନ ଯାଉଛନ୍ତି ଲୋକେ । ଆଜି ବି କାମଧନ୍ଧା ଅଭାବରୁ ହାତ ବାନ୍ଧି ବସି ରହିଛନ୍ତି ସମସ୍ତେ । ହିଞ୍ଜିଳି ବ୍ଲକ ବୁରୁପଡ଼ା ପଞ୍ଚାୟତ । କୁହାଯାଉଛି, ଏହି ଗୋଟିଏ ପଞ୍ଚାୟତରୁ ହିଁ ୨ ଶହରୁ ଅଧିକ ଲୋକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଛନ୍ତି ।

କାହା ଘର ପୁରୁଷ ଶୂନ୍ୟ ତ ଆଉ କାହା ଘରେ ତାଟି କବାଟ ପଡ଼ିଛି । କେବଳ ଯାହା ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ଏମାନେ । କେବଳ ଗୋଟିଏ ପଞ୍ଚାୟତ ନୁହଁ, ହିଞ୍ଜିଳି ନିର୍ବାଚନମଣ୍ଡଳୀ ସାରା ଏଭଳି ଦୁର୍ଦ୍ଦଶାର ଅଭିଯୋଗ ଆଣିଛନ୍ତି ଲୋକେ । ତେବେ ଏନେଇ ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି ।

୨୦୦୦ରୁ ଆଜି ଯାଏଁ, ୨୪ ବର୍ଷ ଧରି ଦାଦନ ପ୍ରବଣ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନମଣ୍ଡଳୀର କ୍ରମାଗତ ପ୍ରତିନିଧିତ୍ୱ କରିଆସୁଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏବେ ଉତ୍କଟ ଦାଦନ ଦହନରେ ଜଡ଼ସଡ଼ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିକୁ ନବୀନ ପୁଣି ବାଛିଛନ୍ତି ପ୍ରତିନିଧିତ୍ୱ ପାଇଁ । ଦଳୀୟ କର୍ମୀ ଓ ନେତା ବି ଉତ୍ସାହିତ ଅଛନ୍ତି ।

ହେଲେ ଯେଉଁ ଗାଁରେ ଆଜି ବି ଅଭାବୀର ଅନ୍ଧାର ଗ୍ରାସିଛି, ସେହି ଗାଁରେ କିନ୍ତୁ ସରାଗ ନାହିଁ । ଏହି ଯେମିତି ମୁରିବାହାଲ ବ୍ଳକ ଇଛାପଡା ପଞ୍ଚାୟତ କତରଲଗା ଗାଁ । ସେ ଗାଁରେ ତାଟିକବାଟ ବନ୍ଦ ରହିଛି । ଯେଉଁ ଘରେ ଲୋକ ଅଛନ୍ତି, ପରିଣତ ବୟସରେ ସେମାନେ ଯାହା ଘରକୁ ଜଗି ରହିଛନ୍ତି । ଏହି ଗାଁରେ ଭୋଟର୍ ସଂଖ୍ୟା ୪୫୦ । କିନ୍ତୁ ଅଛନ୍ତି ପ୍ରାୟ ଶହେ ଜଣ ।

୩୫୦ରୁ ଅଧିକ ଭୋଟର ରାଜ୍ୟ ବାହାରକୁ ଯାଇଛନ୍ତି ଦାଦନ ଖଟି । କେବଳ କତରଲଗା ନୁହଁ, କଣ୍ଟାବାଂଜି ନିର୍ବାଚନ ମଣ୍ଡଳୀର ପ୍ରାୟ ୫୦ ହଜାର ଭୋଟର୍ ଆଜି ବି ବନ୍ଧା ପଡ଼ିଛନ୍ତି ରାଜ୍ୟ ବାହାରର ଇଟାଭାଟିରେ । ପ୍ରଶ୍ନ ଉଠୁଛି, ୨୪ ବର୍ଷର ସ୍ଥିର ଶାସନ କାଳରେ ଗଞ୍ଜାମ ହିଞ୍ଜିଳିର ଭାଗ୍ୟ ବଦଳେଇ ପାରିନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କଣ୍ଟାବାଞ୍ଜିରୁ ପ୍ରତିନିଧିତ୍ୱ କରି ବଲାଙ୍ଗିର ଜିଲ୍ଲାକୁ ଦାଦନ ମୁକ୍ତ କରିପାରିବେ ତ ?

ଦାଦନଗଡ଼ ଏବଂ ରାଜ୍ୟର ଅନ୍ୟତମ ପଛୁଆ ଜିଲ୍ଲା ଭାବେ ପରିଗଣିତ ବଲାଙ୍ଗିରର ସାମଗ୍ରିକ ରୂପରେଖ ବଦଳାଇବାରେ କେତେ ସକ୍ଷମ ହେବେ ନବୀନ ? ନିର୍ବାଚନୀ ପ୍ରଚାର ବେଳେ ଦାଦନ ପ୍ରସଙ୍ଗକୁ ମୁଦ୍ଦା କରି ଭୋଟ୍ ହାତେଇବା ପରେ ବିଜେପୁର ଭଳି କଣ୍ଟାବାଞ୍ଜିବାସୀଙ୍କ ହାତ ଛାଡ଼ିଦେବେନି ତ ମୁଖ୍ୟମନ୍ତ୍ରୀ ?

  • Reported by:
  • MANARANJAN JOSHI , Karunakar Budek , Antim Panigrahi