• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସୁନ୍ଦରଗଡ଼ ଜିଲ୍ଲାର ୭ ବିଧାନସଭା ନିର୍ବାଚନ ମଣ୍ଡଳୀ ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲ୍ଲୀ, ରାଉରକେଲା, ରାଜଗାଙ୍ଗପୁର ଏବଂ ବଣାଇକୁ ନେଇ ଗଠିତ ଏହି ଲୋକସଭା ନିର୍ବାଚନ ମଣ୍ଡଳୀ । ପୂର୍ବରୁ ଏହି ଆସନ ଥିଲା କଂଗ୍ରେସର ଗଡ଼ । ମାତ୍ର ଏବେ ବିଜେପି ଅକ୍ତିଆରରେ ରହିଛି । ବିଜେପି ଏ ଆସନରୁ ୫ ଥର ବିଜୟୀ ହୋଇଥିବା ବେଳେ ୫ ଥର ଯାକ ଜିତିଛନ୍ତି ଜୁଏଲ ଓରାମ ।

ସେହିପରି କଂଗ୍ରେସ ଏ ଆସନରୁ ୭ ଥର ଜିତିଛି । ମାତ୍ର ଏଠାରୁ ଥରେ ହେଲେ ବିଜୟର ସ୍ୱାଦ ଚାଖିନାହିଁ ବିଜେଡି । ଜନତା ଦଳ, ଜନତା ପାର୍ଟି ଏବଂ ସ୍ୱତନ୍ତ୍ର ପାର୍ଟି ଥରେ ଲେଖାଏଁ ଜିତିଥିବା ବେଳେ ଏଠାରୁ ଦୁଇଥର ଜିତିଛି ଗଣତନ୍ତ୍ର ପରିଷଦ । ୧୯୯୧ ଏବଂ ୧୯୯୬ରେ ଲଗାତର ଦୁଇଥର ଜିତିଥିଲେ କଂଗ୍ରେସର ଫ୍ରିଦା ଟପୋ ।

ଅଧିକ ପଢ଼ନ୍ତୁ: ନବୀନଙ୍କ ଜିଲ୍ଲାରେ ଦାଦନ ବେଶୀ; ହିଞ୍ଜିିଳିରେ ସର୍ବାଧିକ, କଂଟାବାଞ୍ଜି କଥା ନକହିବା ଭଲ !

୧୯୯୮, ୧୯୯୯ ଏବଂ ୨୦୦୪ରେ ଜୁଏଲ ଲଗାତର ୩ ଥର ବିଜୟୀ ହୋଇଛନ୍ତି । ୨୦୦୯ରେ ଜୁଏଲ ଓରାମଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ୨୦୦୯ରେ କଂଗ୍ରେସ ପକ୍ଷରୁ ହେମାନନ୍ଦ ବିଶ୍ୱାଳ ବିଜୟୀ ହୋଇଥିଲେ । ୨୦୧୪ରେ ପୁଣି ଏ ଆସନରେ ବିଜେପି କ୍ଷମତାକୁ ଆସିଥିଲା । ୨୦୧୪ ନିର୍ବାଚନରେ ଓଡ଼ିଶାରୁ ଏକମାତ୍ର ବିଜେପି ପ୍ରାର୍ଥୀ ଭାବେ ଜୁଏଲ ଓରାମ ଏ ଆସନରୁ ବିଜୟୀ ହେବା ସହ ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ମାନ ରଖିଥିଲେ ।

ପରେ ୨୦୧୯ରେ ବିଜେପି ପକ୍ଷରୁ ପୁଣିଥରେ ଜିତି ପାର୍ଲିଆମେଣ୍ଟ ଯାଇଥିଲେ ଜୁଏଲ । ବର୍ତ୍ତମାନ ଏ ଆସନରେ ବିଜେପି କ୍ଷମତାରେ ଥିବା ବେଳେ ୨୦୨୪ ପାଇଁ ବିଜେପିରୁ ସପ୍ତମ ଥର ଲାଗି ପ୍ରାର୍ଥୀ ହୋଇଛନ୍ତି ସୁନ୍ଦରଗଡ଼ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ୨୦୧୯ରେ ଜୁଏଲ ଓରାମ ଏ ଆସନରୁ ବିଜୟୀ ହୋଇଥିଲେ ।

ଏବେ ବିଜେପି ପୁଣି ତାଙ୍କ ଉପରେ ଭରସା କରିଛି । ଏପଟେ ବିଜେଡି ପୂର୍ବତନ ରାଜ୍ୟସଭା ସାଂସଦ ତଥା ହକି ଇଣ୍ଡିଆ ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀଙ୍କୁ ଦେଇଛି ଟିକେଟ୍ । ୨୦୧୪ ଲୋକସଭା ନିର୍ବାଚନରେ ମୁହାଁମୁହିଁ ହୋଇଥିଲେ ଜୁଏଲ ଓ ଦିଲ୍ଲୀପ । ୧୦ ବର୍ଷ ପରେ ସମାନ ମଇଦାନ, ସମାନ ଦଳ ଏବଂ ସମାନ ପ୍ରାର୍ଥୀ ଏବେ ନିର୍ବାଚନ ମଇଦାନରେ ଅଛନ୍ତି ।

ଅନ୍ୟପଟେ କଂଗ୍ରେସ ପୂର୍ବତନ ବିଧାୟକ ଜନାର୍ଦ୍ଦନ ଦେହୁରୀଙ୍କୁ ପ୍ରାର୍ଥୀ କରିଛି । ସୁନ୍ଦରଗଡ଼ ଆସନରୁ ବିଜେପି ପକ୍ଷରୁ ପୁଣି ଥରେ ପ୍ରାର୍ଥୀ ହୋଇଛନ୍ତି ଜୁଏଲ ଓରାମ । ସେ ଏବେ ସୁନ୍ଦରଗଡ଼ ସାଂସଦ ମଧ୍ୟ ଅଛନ୍ତି । ପୂର୍ବରୁ କେନ୍ଦ୍ରରେ ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ମନ୍ତ୍ରୀ ଥିଲେ ଜୁଏଲ । ବିଜେପିର ଜଣେ ହେଭିୱେଟ୍ ନେତା ।

ଅଧିକ ପଢ଼ନ୍ତୁ: BJPର ପ୍ରଚାର ଚକ୍ରବ୍ୟୂହ, ପ୍ରତିଦିନ ଓଡ଼ିଶା ଆସିବେ କେନ୍ଦ୍ରୀୟ ନେତା..!

ସୁନ୍ଦରଗଡ଼ ଆସନରୁ ସେ ୫ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ୧୯୯୮ରେ ପ୍ରଥମ କରି ଲୋକସଭାକୁ ନିର୍ବାଚିତ ହୋଇଥିଲେ । ପରେ ୧୯୯୯, ୨୦୦୪, ୨୦୧୪ ଏବଂ ୨୦୧୯ରେ ସୁନ୍ଦରଗଡ଼ ଆସନରୁ ବିଜୟୀ ହୋଇଛନ୍ତି । ୨୦୧୪ରେ ଓଡ଼ିଶାରୁ ଏକମାତ୍ର ବିଜେପି ପ୍ରାର୍ଥୀ ଭାବେ ସେ ଲୋକସଭା ନିର୍ବାଚନ ଜିତିଥିଲେ ।

୨୦୧୪ରେ ବିଜେଡିର ଦିଲ୍ଲୀପ ତୀର୍କିଙ୍କୁ ହରାଇ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ୨୦୧୯ରେ ବିଜେଡିର ସୁନିତା ବିଶ୍ୱାଳଙ୍କୁ ବଡ଼ ବ୍ୟବଧାନରେ ହରାଇଥିଲେ । ୧୯ ନିର୍ବାଚନରେ ଜୁଏଲ ଓରାମ ୫ ଲକ୍ଷ ୫୬ ଭୋଟ୍ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ସୁନିତା ବିଶ୍ୱାଳଙ୍କୁ ମିଳିଥିଲା ୨ ଲକ୍ଷ ୭୬ ହଜାର ୯୯୧ ଭୋଟ୍ ।

ସେହିପରି ଦିଲ୍ଲୀପ ତୀର୍କି, ଭାରତର ଅନ୍ୟତମ ହକି ଲିଜେଣ୍ଡ । ୩ ଥରର ଅଲମ୍ପିଆନ୍ । କ୍ରୀଡ଼ାବିତରୁ ରାଜନେତା । ପୂର୍ବତନ ରାଜ୍ୟସଭା ସାଂସଦ ତଥା ହକି ଇଣ୍ଡିଆ ଅଧ୍ୟକ୍ଷ । ଦ୍ୱିତୀୟ ଥର ଲାଗି ଲଢୁଛନ୍ତି ଲୋକସଭା ନିର୍ବାଚନ । ୨୦୧୪ରେ ପ୍ରଥମ କରି ଲୋକସଭା ନିର୍ବାଚନ ଲଢ଼ିଥିଲେ ଦିଲ୍ଲୀପ । ତେବେ ୨୦୧୪ରେ ବିଜେପି ପ୍ରାର୍ଥୀ ଜୁଏଲ ଓରାମଙ୍କ ଠାରୁ ସେ ହାରି ଯାଇଥିଲେ ।

ଜୁଏଲଙ୍କ ଠାରୁ ୧୮ ହଜାର ୮୨୯ ଭୋଟରେ ହାରିଥିଲେ ଦିଲ୍ଲୀପ ତୀର୍କି। ଜନାର୍ଦ୍ଦନ ଦେହୁରୀ, ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା । ପୂର୍ବରୁ ଥରୁଟିଏ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ୧୯୯୭ରେ ବଣାଇରୁ ଉପନିର୍ବାଚନ ଜିତି ସେ ବିଧାୟକ ହୋଇଥିଲେ । ତେବେ ଲୋକସଭା ନିର୍ବାଚନ ସେ ପ୍ରଥମ କରି ଲଢୁଛନ୍ତି ।

ଗତ ନିର୍ବାଚନର ଫଳାଫଳ ଉପରେ ନଜର ପକାଇଲେ ସୁନ୍ଦରଗଡ଼ ଲୋକସଭା ଆସନରେ ବିଜୟୀ ହୋଇଥିଲେ ବିଜେପିର ଜୁଏଲ ଓରାମ । ବିଜେଡିର ସୁନିତା ବିଶ୍ୱାଳଙ୍କୁ ଜୁଏଲ ୨ ଲକ୍ଷ ୨୩ ହଜାର ୬୫ ଭୋଟରେ ପରାସ୍ତ କରିଥିଲେ । ଜୁଏଲ ୫ ଲକ୍ଷ ୫୬ ଭୋଟ୍ ପାଇଥିବା ବେଳେ ସୁନିତା ପାଇଥିଲେ ୨ ଲକ୍ଷ ୭୬ ହଜାର ୯୯୧ ଭୋଟ୍ ।

ସେହିପରି କଂଗ୍ରେସର ଜର୍ଜ ତୀର୍କିଙ୍କୁ ମିଳିଥିଲା ୨ ଲକ୍ଷ ୬୮ ହଜାର ୨୧୮ ଭୋଟ୍ । ସେହିପରି ୨୦୧୪ ନିର୍ବାଚନରେ ମଧ୍ୟ ଏ ଆସନରୁ ବିଜେପିର ଜୁଏଲ ଓରାମ ବିଜୟୀ ହୋଇଥିଲେ । ତେବେ ୨୦୧୪ରେ ବିଜେପି ବିଜେଡି ମଧ୍ୟରେ ଦେଖିବାକୁ ମିଳିଥିଲା କଡ଼ା ଟକ୍କର । ବିଜେଡିର ଦିଲ୍ଲୀପ ତୀର୍କିଙ୍କୁ ମାତ୍ର ୧୮ ହଜାର ୮୨୯ ଭୋଟରେ ପରାସ୍ତ କରିଥିଲେ ଜୁଏଲ ଓରାମ ।

ଜୁଏଲଙ୍କୁ ୩ ଲକ୍ଷ ୪୦ ହଜାର ୫୦୮ ଭୋଟ୍ ମିଳିଥିବା ବେଳେ ଦିଲ୍ଲୀପ ତୀର୍କିଙ୍କୁ ମିଳିଥିଲା ୩ ଲକ୍ଷ ୨୧ ହଜାର ୬୭୯ ଭୋଟ୍ । ସେହିପରି କଂଗ୍ରେସର ହେମାନନ୍ଦ ବିଶାଳଙ୍କୁ ମିଳିଥିଲା ୨ ଲକ୍ଷ ୬୯ ହଜାର ୩୩୫ ଭୋଟ୍ । ତେବେ ୨୦୦୯ ନିର୍ବାଚନରେ କିନ୍ତୁ ବାଜି ମାରିଥିଲେ କଂଗ୍ରେସର ହେମାନନ୍ଦ ବିଶ୍ୱାଳ । ବିଜେପିର ଜୁଏଲ ଓରାମଙ୍କୁ ହେମାନନ୍ଦ ମାତ୍ର ୧୧ ହଜାର ୬୨୪ ଭୋଟରେ ପରାସ୍ତ କରି ନିର୍ବାଚନ ଜିତିଥିଲେ ।

ଅନ୍ୟପଟେ ୨୦୧୯ ନିର୍ବାଚନରେ ସୁନ୍ଦରଗଡ଼ ଲୋକସଭାର ବିଧାନସଭା କ୍ଷେତ୍ର ଅନୁଯାୟୀ ପ୍ରାର୍ଥୀଙ୍କ ଭୋଟ୍ ଉପରେ ନଜର ପକାଇଲେ ଜୁଏଲ ଓରାମଙ୍କୁ ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ମିଳିଥିଲା ସର୍ବାଧିକ ୫୯.୧ ପ୍ରତିଶତ ଭୋଟ୍ । ତଳସରା ବିଧାନସଭା ଆସନରୁ ଜୁଏଲଙ୍କୁ ୭୧ ହଜାର ୯୯୮ ଭୋଟ୍ ମିଳିଥିବା ବେଳେ ବୀରମିତ୍ରପୁରରୁ ୭୯ ହଜାର ୯୯୩, ରଘୁନାଥପାଲ୍ଲୀରୁ ୫୦ ହଜାର ୯୨୯, ରାଉରକେଲାରୁ ୬୮ ହଜାର ୧୧୮, ରାଜଗାଙ୍ଗପୁରରୁ ୬୭ ହଜାର ୪୪୩ ଏବଂ ବଣାଇ ବିଧାନସଭା ଆସନରୁ ମିଳିଥିଲା ୫୭ ହଜାର ୬୩୩ ଭୋଟ୍ ।